ତରନତାରନରେ ପାକିସ୍ତାନୀ ଡ୍ରୋନକୁ ଖସାଇଲେ ବିଏସଏଫ
ଚଣ୍ଡୀଗଡ଼ : ଭାରତୀୟ ସୀମାରେ ପ୍ରବେଶ କରିଥିବା ପାକିସ୍ତାନର ଏକ ଡ୍ରୋନକୁ ବିଏସଏଫ ଯବାନ ମାନେ ଗୁଳିକରି ଖସାଇ ଦେଇଛନ୍ତି । ପଞ୍ଜାବ ତରନତାରନ ନିକଟବର୍ତ୍ତି ଲଖନା ଗ୍ରାମରେ ଏହି ଘଟଣା ଘଟିଛି।
ଯବାନ ମାନେ ପ୍ରଥମେ ଡ୍ରୋନର ଶବ୍ଦ ଶୁଣିବାକୁ ପାଇଥିଲେ । ଶବ୍ଦ ଆସୁଥିବା ଦିଗକୁ ଲକ୍ଷ୍ୟ କରି ସେମାନେ ଗୁଳିଚାଳନା କରିଥିଲେ । ଏହାର କିଛି ସମୟ ପରେ ଏହି ଶବ୍ଦ ଶୁଣିବାକୁ ମିଳିନଥିଲା। ଯବାନ ମାନେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପରେ ଏହି ଡ୍ରୋନଟି କ୍ଷେତରେ ପଡିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଏହାକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି।
ଅନ୍ୟପକ୍ଷରେ ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲା ଅନ୍ତର୍ଗତ ଗୁଲପୁର ସେକ୍ଟରରେ ନିୟନ୍ତ୍ରଣ ରେଖା ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ସହିତ ସଂଘର୍ଷ ବେଳେ ଭାରତୀୟ ସେନାର ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ତୁରନ୍ତ ନିକଟସ୍ଥ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଶୁକ୍ରବାର ବିଳମ୍ବିତ ରାତିରେ ଭାରତୀୟ ଯବାନ ମାନେ ଘଞ୍ଚ ଜଙ୍ଗଲ ରାସ୍ତାରେ ଅନ୍ଧକାର ମଧ୍ୟରେ ତିନି ଜଣ ସଶସ୍ତ୍ର ଆତଙ୍କବାଦୀ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ଦେଖିବାକୁ ପାଇଥିଲେ । ସେମାନେ ଆତଙ୍କବାଦୀଙ୍କୁ ଏଥିରୁ ନିବୃତ ରହିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ଏହାପରେ ଆତଙ୍କବାଦୀ ମାନେ ଯବାନଙ୍କୁ ଟାର୍ଗେଟ୍ କରି ଗୁଳିମାଡ କରିଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଗୁଳିବିନିମୟ ଚାଲିଥିବା ବେଳେ ଜଣେ ଭାରତୀୟ ଯବାନ ଆହତ ହୋଇଥିଲେ । ତେବେ ଆତଙ୍କବାଦୀ ମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏହାପରେ ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷା ବଳକୁ ପଠାଯାଇଛି। ଆତଙ୍କବାଦୀ ମାନଙ୍କୁ ନିପାତ କରିବା ପାଇଁ ବଡ ଧରଣର ଅଭିଯାନ ଆରମ୍ଭ ହୋଇଥିବା ସୂଚନା ମିଳିଛି ।
Comments are closed.