ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି

ବିଧାନସଭା ପକ୍ଷରୁ ନବକୃଷ୍ଣ ଚୌଧୁରୀଙ୍କ ୩୯ତମ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ, ଅନ୍ୟତମ ବିପ୍ଳବୀ ପୁରୁଷ, ସମାଜବାଦୀ ନେତା, ପ୍ରଜା ତଥା ଭୂଦାନ ଆନ୍ଦୋଳନର କର୍ଣ୍ଣଧାର, ଆଦର୍ଶବାଦୀ ରାଜନୀତିଜ୍ଞ ଏବଂ ନିଷ୍କଳଙ୍କ ମୁଖ୍ୟମନ୍ତ୍ରୀ ଥିଲେ ନବକୃଷ୍ଣ ଚୌଧୁରୀ । ତାଙ୍କର ଅନନ୍ୟ ବ୍ୟକ୍ତିତ୍ୱ ଓ ବୈପ୍ଳବିକ ଚିନ୍ତାଧାରା ଆଜି ଅକଳ୍ପନୀୟ । ସମ୍ଭ୍ରାନ୍ତ ପରିବାରରେ ଭୂମିଷ୍ଠ ହୋଇଥିଲେ ମଧ୍ୟ ସମାଜର ଦଳିତ, ନିଷ୍ପେସିତ ଓ ଅବହେଳିତଙ୍କ ସେବାରେ ସେ ଥିଲେ ଚିରବ୍ରତୀ । ଚାଷୀମୂଲିଆଙ୍କ ସ୍ୱାର୍ଥରକ୍ଷା, ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ପ୍ରତିବଦ୍ଧତା, ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବ୍ୟବହାର କରିବା ନିମନ୍ତେ ତାଙ୍କର ଉଦ୍ୟମ ପାଇଁ ସେ ଚିର ଅମର ହୋଇ ରହିବେ ।
ଶନିବାର ଓଡ଼ିଶା ବିଧାନସଭା ପକ୍ଷରୁ ଆଦର୍ଶବାଦୀ ବିଶିଷ୍ଟ ଜନନେତା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୩୯ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ବିଧାନସଭାସ୍ଥିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ  ପ୍ରଦିପ କୁମାର ଅମାତ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ  ଅଶ୍ୱିନୀ କୁମାର ପାତ୍ର, ସରକାରୀ ଦଳର ମୁଖ୍ୟ ସଚେତକ  ପ୍ରଶାନ୍ତ କୁମାର ମୁଦୁଲି, ସରକାରୀ ଉପମୁଖ୍ୟ ସଚେତକ ସରୋଜ ମେହେର, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ  ପ୍ରଫୁଲ୍ଲ କୁମାର ସାମଲ ଓ  ଅମର ପ୍ରସାଦ ଶତପଥୀ, ଭୁବନେଶ୍ୱର (ମଧ୍ୟ) ବିଧାୟକ  ଅନନ୍ତ ନାରାୟଣ ଜେନା, ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମହାନ ଜନନାୟକ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା)  ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀମାନେ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଆଧାରିତ ‘ଉତ୍କଳ ମାଟିର ମହାନାୟକ’ ଶୀର୍ଷକ ସଂଗୀତ ପରିବେଷଣ କରିଥିଲେ ।

Comments are closed.