www.samajalive.in
Sunday, December 14, 2025
19.1 C
Bhubaneswar

ପୁରୁଣା ରେଭେନ୍ସା ନାଁରେ ନାହିଁ ଗୁଣ୍ଠେ ଜମି

ଦଖଲ ଜମି ମନଇଚ୍ଛା ନେଉଛି ପ୍ରଶାସନ
ଦ୍ବିତୀୟ ପରିସର ପାଇଁ ଦିଆଗଲାଣି ୧.୩ କୋଟି ଖଜଣା
ବିରୋଧ ପରେ ବଦଳୁଛି କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟ

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ ମୂଳ ପୁରାତନ ପରିସର (କ୍ୟାମ୍ପସ)ର ଜମି ବିଶ୍ବବିଦ୍ୟାଳୟ ନାମରେ ନାହିଁ। ୧୫୫ ବର୍ଷର ଏହି ଐତିହାସିକ ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଥିବା ଜମି ସରକାରୀ ଖାତାରେ ରେଭେନ୍ସା ଦଖଲରେ ଥିବାବେଳେ ବିଶ୍ବବିଦ୍ୟାଳୟ ନାମକୁ ସ୍ଥାନାନ୍ତରଣ ହୋଇପାରୁନି। ସବୁଠାରୁ ବଡ଼ କଥା ହେଲା ଏହା ମହାବିଦ୍ୟାଳୟରୁ ସ୍ବୟଂଶାସିତ ମାନ୍ୟତା ପାଇବା ଓ ପରେ ବିଶ୍ବବିଦ୍ୟାଳୟକୁ ରୂପାନ୍ତରିତ ହୋଇଥିଲେ ମଧ୍ୟ ଏଯାବତ୍‌ ଜମି ସତ୍ବ ପରିବର୍ତ୍ତନ ହୋଇପାରିଲା ନାହିଁ। ନରାଜସ୍ଥିତ ଦ୍ବିତୀୟ ପରିସର (କ୍ୟାମ୍ପସ୍‌) ପାଇଁ ୧୨୭ ଏକର ଜମି ରେଭେନ୍ସାକୁ ଚୁକ୍ତିଭିତ୍ତିକ (ଲିଜ୍‌) ଆକାରରେ ପ୍ରଦାନ କରାଯାଇଛି। ମାତ୍ର ଏଥିପାଇଁ ପ୍ରାୟ ୧୦ ବର୍ଷରେ ବିଶ୍ବବିଦ୍ୟାଳୟ ପ୍ରାୟ ୧ କୋଟି ୩୦ ଲକ୍ଷ ଖଜଣା ଗଣି ନୟାନ୍ତ ହେଲାଣି। ଏଭଳି ସ୍ଥିତିରେ ଉଚ୍ଚଶିକ୍ଷା ବିଭାଗ ନାମରେ ଉଭୟ କ୍ୟାମ୍ପସ୍‌ ଜମି ସ୍ଥାନାନ୍ତର କରି ରେଭେନ୍ସା ଦଖଲରେ ରଖି ଆର୍ଥିକ ବୋଝରୁ ମୁକୁଳିବାକୁ କର୍ତ୍ତୃପକ୍ଷ ମସୁଧା କରୁଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଓ ଅଧ୍ୟାପକଅଧ୍ୟାପିକା ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି।
ସୂଚନା ଅନୁଯାୟୀ ରେଭେନ୍ସା ଦଖଲରେ ଥିବା ମୂଳ ପୁରାତନ ପରିସର ଜମି ବିଶ୍ବବିଦ୍ୟାଳୟ ନାମକୁ ଆସି ନ ଥିବାରୁ ଉକ୍ତ ଜମିରୁ କିଛି ଅଂଶ ପ୍ରଶାସନ ବିଭିନ୍ନ ସମୟରେ ଜମିଗୁଡ଼ିକୁ ମନଇଚ୍ଛା ବିଭିନ୍ନ କାର୍ଯ୍ୟ ପାଇଁ ନେଉଛି। ଏହାଦ୍ବାରା ଦିନକୁ ଦିନ ରେଭେନ୍ସାର ମୂଳ ପରିସର ସଙ୍କୁଚିତ ହେବା ସହ ଦଖଲ ଜମି କମିବାରେ ଲାଗିଛି। ରେଭେନ୍ସା ବିଶ୍ବବିଦ୍ୟାଳୟ ନାମରେ ଜମି ନ ଥିବାରୁ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ଆଇନଗତ ପଦକ୍ଷେପ ନେଇପାରୁନାହାନ୍ତି। ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଶ୍ବବିଦ୍ୟାଳୟ ପରିସରରୁ ୨ ଏକର ଜମି ପ୍ରଦାନ କରାଯାଇଥିଲା। ସେହିପରି ଛତ୍ରବଜାର ଓ କେନାଲ ପାଇଁ ବିଶ୍ବବିଦ୍ୟାଳୟର ପ୍ରାୟ ଦୁଇ ଏକର ଜମି ନିଆଯିବା ସହ ୮ଟି କ୍ବାର୍ଟର୍ସକୁ ଭଙ୍ଗାଯାଇଥିଲା; କିନ୍ତୁ ଯାଇଥିବା ଜମି ଏଯାବତ୍‌ ରେଭେନ୍ସାକୁ ମିଳିନି।
ବିଶ୍ବବିଦ୍ୟାଳୟ ପକ୍ଷରୁ ଦୀର୍ଘବର୍ଷ ହେଲାଣି ଉଚ୍ଚଶିକ୍ଷା ବିଭାଗ, ରାଜସ୍ବ ବିଭାଗକୁ ଏନେଇ ଜଣାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି। ସରକାରୀ ସ୍ତରରେ ସମନ୍ବୟ ଅଭାବ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ୧୮୬୮ରେ ରେଭେନ୍ସା ପ୍ରତିଷ୍ଠା ସମୟରେ ଇଂରେଜ ସରକାରଙ୍କ ନର୍ମାଣ ଓ ପରିବହନ ବିଭାଗ ଅଧୀନରେ ଜମି ଥିଲା। ପରବର୍ତ୍ତୀ ସମୟରେ ରେଭେନ୍ସା ନାମରେ ଏହି ଜମି ପଞ୍ଜୀକରଣଭୁକ୍ତ କରିବାକୁ କେବଳ ଚିଠି ଦିଆନିଆ ଚାଲିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି। ଫଳରେ ଏହି ଐତିହାସିକ ଶିକ୍ଷାନୁଷ୍ଠାନ ନାମରେ ମୂଳ ପରିସରରେ ଗୁଣ୍ଠେ ଜମି ନାହିଁ।
ଅନ୍ୟପକ୍ଷରେ ନରାଜଠାରେ ରେଭେନ୍ସା ପାଇଁ ଦ୍ବିତୀୟ ପରିସର ଲାଗି ରାଜ୍ୟ ସରକାର ୧୨୭ ଏକର ଜମି ପ୍ରଦାନ କରିଛନ୍ତି। ଏହି ଜମି ବାବଦରେ ଖଜଣା, ସେସ୍‌ ନଦେବାକୁ ଜମି ଆବଣ୍ଟନ ସମୟରେ କୁହାଯାଇଥିଲେ ମଧ୍ୟ ଗତ ଦଶବର୍ଷ ହେଲାଣି ରେଭେନ୍ସାଠାରୁ ରାଜସ୍ବ ବିଭାଗ ଖଜଣା ନେଉଛି। ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଟଙ୍କାର ଖଜଣା ଦିଆଯାଉଛି। ବିଗତ ଦଶ ବର୍ଷ ମଧ୍ୟରେ ୧ କୋଟି ୩୦ ଲକ୍ଷ ଟଙ୍କା ରେଭେନ୍ସାଠାରୁ ରାଜସ୍ବ ବିଭାଗ ଟିକସ ନେଇ ସାରିଲାଣି। ଏଭଳି ସ୍ଥିତିରେ ଖଜଣାରୁ ମୁକ୍ତି ପାଇବା ସହ ମୂଳ ପରିସର ଜମି ଦଖଲ ପାଇଁ ଗତ ସିଣ୍ଡିକେଟ୍‌ ବୈଠକରେ ଉଭୟ ପରିସର ଜମି ଉଚ୍ଚଶିକ୍ଷା ବିଭାଗକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା। ଉଚ୍ଚଶିକ୍ଷା ବିଭାଗକୁ ଉଭୟ ପରିସରର ଜମି ହସ୍ତାନ୍ତର କରି ବିଶ୍ବବିଦ୍ୟାଳୟ ଦଖଲରେ ରଖି ଆର୍ଥିକ ବୋଝରୁ ମୁକୁଳିବାକୁ ପ୍ରସ୍ତାବ ଦେବାକୁ ସ୍ଥିର ହୋଇଥିଲା। ଏଯାବତ୍‌ ବିଶ୍ବବିଦ୍ୟାଳୟ ପ୍ରସ୍ତାବ ଦେଇ ନଥିଲେ ମଧ୍ୟ ଏଭଳି ନିଷ୍ପତ୍ତିକୁ ନେଇ ବିରୋଧ ବଢିବା ପରେ ଏବେ ପୁନର୍ବାର କର୍ତ୍ତୃପକ୍ଷ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ଚିନ୍ତନ ଆରମ୍ଭ କରିଛନ୍ତି।
ରେଭେନ୍ସା ଏକ ଐତିହାସିକ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଉଭୟ କ୍ୟାମ୍ପସ୍‌ ଜମି ରେଭେନ୍ସା ନାମରେ ରେକର୍ଡଭୁକ୍ତ କରିବା ସହ ଖଜଣା ଓ ସେସ୍‌ ଭଳି ଟିକସ ଛାଡ଼ ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ଉଠୁଛି। ସରକାର ବିଭିନ୍ନ ସମୟରେ ବହୁ ପ୍ରତିିଷ୍ଠାନକୁ ବିନା ଖଜଣାରେ ଜମି ପ୍ରଦାନ କରୁଥିବାବେଳେ ରେଭେନ୍ସା କ୍ଷେତ୍ରରେ ଏହି ନିୟମ ଲାଗୁ କରିବାକୁ ଛାତ୍ରଛାତ୍ରୀ ମହଲରେ ଦାବି ହେଉଛି। କେବେ ରେଭେନ୍ସା ମୂଳ ପରିସର ରେଭେନ୍ସା ନାମରେ ପଞ୍ଜୀକରଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ନିଷ୍ପତ୍ତିର ପୁନଃବିଚାର ନହେଲେ ଆନ୍ଦୋଳନ ପାଇଁ ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ରେଭେନ୍ସା କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ କହିଛନ୍ତି ଜମି ସ୍ଥାନାନ୍ତର ସମ୍ବନ୍ଧରେ ଗତ ସିଣ୍ଡିକେଟ୍‌ରେ ନିଆଯାଇଥିବା ନିଷ୍ପତ୍ତି ସମ୍ବନ୍ଧରେ କୌଣସି ପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରାଯାଇନି। ଆସନ୍ତା ସିଣ୍ଡିକେଟ୍‌ରେ ଏ ସମ୍ବନ୍ଧରେ ପୁନର୍ବାର ସମୀକ୍ଷା କରାଯିବ। ରେଭେନ୍ସା ବିଶ୍ବବିଦ୍ୟାଳୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ଆସନ୍ତା ସିଣ୍ଡିକେଟ୍‌ରେ ପ୍ରସ୍ତାବ ଆଗତ ହେବ ବୋଲି ସେ କହିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories