ଆମ ସଭ୍ୟତାର ଅନ୍ତରାଳେ

ଗୋପାଳ ଚନ୍ଦ୍ର ମିଶ୍ର

ମଣିଷ ସମାଜ କେବଳ ବୈଷୟିକ ତଥା ବିଜ୍ଞାନର ସହାୟତାରେ ଚରମ ସୀମାରେ ଉପଗତ ହୋଇଗଲେ ଆମେ ତାହାକୁ ସଭ୍ୟ ସମାଜ ବୋଲି କହି ପାରିବା ନାହିଁ। ଏଥି ପାଇଁ ମାନସିକ ତଥା ନୈତିକସ୍ତରରେ ଉତ୍କର୍ଷ ସାଧନ କରିବା ଜରୁରୀ ଅଟେ। ଭାରତୀୟ ସଭ୍ୟତାର ଆଦର୍ଶ ହେଉଛି ତ୍ୟାଗ ଓ ସଂଯମତା। ବର୍ତ୍ତମାନ ସମୟରେ ସାରା ପୃଥିବୀ ଗୋଟିଏ ପରିବାର ଭଳି, ପୃଥିବୀର ଯେ କୌଣସି ସ୍ଥାନରେ ଚମକପ୍ରଦ ଘଟଣା ବା ରାଜନୈତିକ ହଟ ଚମଟ ଘଟିଲେ ତାହାର ପ୍ରତିକ୍ରିୟା ସାରା ବିଶ୍ୱରେ କ୍ଷଣକ ମଧ୍ୟରେ ପ୍ରସାରିତ ହୋଇ ଯାଉଛି। ତେଣୁ ମାନବ ସଭ୍ୟତା ଏବେ ବିଶ୍ୱବ୍ୟାପୀ, ଏହା ଗୋଟିଏ ସ୍ଥାନରେ ସୀମିତ ନୁହେଁ। ତେବେ ସଭ୍ୟତା କହିଲେ ଆମେ ବୁଝୁ କ’ଣ? ଗୋଟିଏ ସମାଜ ସଭ୍ୟ ସମାଜ ବୋଲି କିପରି କହି ପାରିବା ? ସଭ୍ୟସମାଜର ଆଦର୍ଶ କହିଲେ ସୃଷ୍ଟିର ରହସ୍ୟ ଉନ୍ମୋଚନ, ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ମାନବ ସମାଜର ସର୍ବାଙ୍ଗୀଣ ଉନ୍ନତି ସାଧନ ତଥା ନୈତିକ ଉନ୍ନତି ସହିତ ବିଶ୍ୱଶାନ୍ତି ଓ ମାନବିକତାର ଉନ୍ମେଷକୁ ହିଁ ବୁଝାଏ। ଏହି ପରିପ୍ରେକ୍ଷୀରେ ଆମେ କେତେଦୂର ସଂସ୍କୃତି ସଂପନ୍ନ, ସଭ୍ୟ ଏବଂ ଏକ ସୁସ୍ଥ ସମାଜ ଗଠନରେ ତଥା ସଭ୍ୟତାର ବିକାଶରେ ସହାୟକ ତାହା ଆସନ୍ତୁ ବିଚାର କରି ପରଖିବା।

ରକ୍ତମୁଖା ରୁଷର ଘମାଘୋଟ ଆକ୍ରମଣରେ ୟୁକ୍ରେନର ରାଜଧାନୀ କିବ୍‍ ସମେତ ଅନ୍ୟାନ୍ୟ ସହରରେ ହଜାର ହଜାର ନିରୀହ ଜନତା ଏବଂ ଅଜ୍ଞାନ ଶିଶୁ ବଳି ପଡିଛନ୍ତି। ଧ୍ୱଂସ ସ୍ତୂପ ମଧ୍ୟରୁ ବଞ୍ଚିଯାଇଥିବା ମା’ଟିଏ ତା’ର ହଜି ଯାଇଥିବା ସନ୍ତାନକୁ କ୍ରନ୍ଦନରତ ହୋଇ ଅଣ୍ଡାଳିବାରେ ଲାଗିଛି। ସବୁଠାରେ ମାନବିକତାର ଘୋର ଅଭାବ ଓ ପଶୁତ୍ୱର ରାଜତ୍ୱ। “ବିନାଶ କାଳେ ବିପରୀତ ବୁଦ୍ଧି” ନ୍ୟାୟରେ ରୁଷ ତା ନିଜ ସୀମାରେ ବୋମାମାଡ କଲା। ନିଜ ଦେଶର ବୋମା ମାଡରେ ଥରି ଉଠିଲା ରୁଷର ବେଲଗୋରଦ ସହର। ସାଧାରଣ ନିରୀହ ନାଗରିକଙ୍କୁ ହତ୍ୟାକରି ରୁଷ ଯେ ନିଜ ହୀନ ମାନସିକତାର ପରିଚୟ ଦେଇଛି ଏହା ଅନସ୍ୱୀକାର୍ଯ୍ୟ।

ଆଫଗାନୀସ୍ତାନରେ ଏବେ ତାଲିବାନୀ ଶାସନର ଯୁଗ, ଏଠାରେ ନାରୀଟିଏ ସଳଖି ଚାହିଁବା ଦୋଷାବହ। ବର୍ତ୍ତମାନ ଆଫାଗାନୀସ୍ତାନ ଫେରି ଯାଇଛି ମଧ୍ୟଯୁଗର ଅନ୍ଧକାରମୟ ସେହି ଧର୍ମାନ୍ଧ ସମୟକୁ। ପ୍ରାୟ ଦୁଇବର୍ଷ ତଳେ ଆଫାଗାନୀସ୍ତାନକୁ କବଜାରେ ରଖିଥିବା ତାଲିବାନ ଏବେ ପାକିସ୍ତାନ ଉପରେ ନାଲିଆଖି ପକାଇଛି। ପରବର୍ତ୍ତୀ ଆଫଗାନୀସ୍ତାନ ହେବାକୁ ଯାଉଛି ପଡୋଶୀ ପାକିସ୍ତାନ। ପାକିସ୍ତାନରେ ଏକ ପ୍ରକାର ଗୃହଯୁଦ୍ଧ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶ୍ୱର ଅଧିକାଂଶ ସ୍ଥାନରେ ବିରାଜମାନ କରିଛି ଧର୍ମାନ୍ଧତା ଓ ଅରାଜକତା।

ଆମ ସଭ୍ୟତାର ଅନ୍ତରାଳେ ବିଶ୍ୱ ରାଜନୀତି ପର୍ଯ୍ୟାଲୋଚନା କଲେ ଦେଖାଯାଉଛି ଯେଉଁମାନେ ମୁଣ୍ଡିଆଳ ସାଜି ସାରା ବିଶ୍ୱରେ ବଡଭାଇପଣିଆ ଦେଖାଉଛନ୍ତି ସେମାନେ ବାସ୍ତବରେ ନୈତିକତା ଦୃଷ୍ଟିରୁ ଅନ୍ୟମାନଙ୍କ ପାଇଁ ଆଦୌ ଗ୍ରହଣୀୟ ନୁହନ୍ତି। ଯୌନ ଉତ୍ପୀଡନ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହେବା ତାହାର ଏକ ନିଛକ ଉଦାହରଣ। ପତ୍ରିକା ଲେଖିକା ଇ ଜିନ୍‍ କ୍ୟାରୋଲଙ୍କୁ ଯୌନ ଉତ୍ପୀଡନ ଦେବା ମାମଲାରେ ନ୍ୟୁୟର୍କରେ ନଅ ସଦସ୍ୟ ବିଶିଷ୍ଟ ଜୁରି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଲେଖିକାଙ୍କୁ ପାଞ୍ଚ ନିୟୁତ ଡଲାର୍‍ (ଭାରତୀୟ ମୁଦ୍ରାରେ ପ୍ରାୟ ୪୧ କୋଟି ଟଙ୍କା) କ୍ଷତି ପୂରଣ ଦେବାକୁ ଟ୍ରମ୍ପଙ୍କୁ ନି​‌େ​‌ର୍ଦଶ ଦେଇଛନ୍ତି। ତେଣୁ ସଭ୍ୟତାର ଚରମ ସୀମାରେ ଥିବା ଆମେରିକାର ବଡ ବଡ ନେତା ଏପରି କି ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଅନ୍ୟମାନଙ୍କ ପାଇଁ ଜଣେ ଆଦର୍ଶ ବ୍ୟକ୍ତିତ୍ୱ ନୁହନ୍ତି। ସବୁଠାରେ ନୈତିକତାର ଚରମ ବିଲୟ।

prayash

ଏହି ସବୁ ଘଟଣା ବିଚାରକୁ ନେଲେ ଆମେ କିପରି କହିପାରିବା ମନୁଷ୍ୟର ସଭ୍ୟତା ବିକାଶ ଲାଭ କରୁଛି ଏବଂ ଆମେ ଏହି ବିକାଶଶୀଳ ସଭ୍ୟ ସମାଜର ଅଂଶୀଦାର। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପି ହାଣ୍ଡିକ ଯାକ ଭାତର ଅବସ୍ଥା ଜାଣିଲା ପରି ଏହା ବିକାଶଶୀଳ ମାନବ ସଭ୍ୟତାର କେତୋଟି ଛୋଟ ଛୋଟ ଝଲକ ମାତ୍ର। ଏଗୁଡିକ ଆମ ସାମାଜିକ ତଥା ନୈତିକ ଅଧୋଗତି ପ୍ରତି ଅଙ୍ଗୁଳି ନି​‌େ​‌ର୍ଦଶ କରେ।

ଏୟାର ଇଣ୍ଡିଆର ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ବିଜନେସ କ୍ଳାସରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ମଦ ନିଶାରେ ଆଉ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେବା ଘଟଣା ଆପଣମାନଙ୍କ ନଜର ମଧ୍ୟକୁ ନିଶ୍ଚୟ ଆସିଥିବ। ଏହା ଥିଲା ଗତ ନଭେମ୍ବର ମାସ ଶେଷ ସପ୍ତାହର ଚମକପ୍ରଦ ସମ୍ବାଦ। ବିମାନରେ ସହଯାତ୍ରୀଙ୍କ ଉପରେ ଏପରି ନିନ୍ଦନୀୟ କାର୍ଯ୍ୟ ଏହା ମଧ୍ୟରେ ଅନେକବାର ଘଟିଲାଣି। ଆଶ୍ଚର୍ଯ୍ୟର ବିଷୟ ହେଲା ଏହି ନୂଆ ରୋଗଟି କେବଳ ବିମାନ ଯାତ୍ରା କ୍ଷେତ୍ରରେ ଆଉ ସୀମିତ ହୋଇ ରହିନାହିଁ।

ଉତ୍ତରପ୍ରଦେଶର ଏକ ଚଳନ୍ତା ଟ୍ରେନରେ ଅନ୍ୟ କେହି ନୁହେଁ ସ୍ୱୟଂ ଟିକେଟ ନିରୀକ୍ଷକ, ଜଣେ ମହିଳା ଯାତ୍ରୀ ମଧ୍ୟ ରାତ୍ରରେ ଶୋଇଥିବା ବେଳେ ତାଙ୍କ ମୁଣ୍ଡ ଉପରେ ପରିସ୍ରା କରିଦେଲେ। ଟିକେଟ ନିରୀକ୍ଷକ ଜଣକ ରେଳବାଇରେ କାର୍ଯ୍ୟରତ ଥିଲେ ଏବଂ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଏଭଳି କୁକର୍ମ କରିଥିଲେ। ଏହି ଭଳି ବିଶୃଙ୍ଖଳିତ ଆଚରଣ ସୂଚାଇ ଦିଏ ଆମ ନୈତିକତାର ଅଧପତନ ଓ ସାମାଜିକ ଦୁର୍ବଳତାର ଦିଗକୁ। ଆମର ଭଦ୍ରମୁଖା ତଳେ ତଥା ସଭ୍ୟତା ମଧ୍ୟରେ କେତେ ଅସଭ୍ୟ ଓ ବର୍ବର ଚିନ୍ତାଧାରା ଲୁଚି ରହିଛି ତାହା ଏବେ ଦାଣ୍ଡରେ ହାଟରେ ଡିବି ଡିବି ହୋଇ ବାଜୁଛି।

ଏଥର ଆଉ ଗୋଟିଏ ବଡ ସାମାଜିକ ପ୍ରସଙ୍ଗକୁ ଯିବା, ଯାହା ହେଲା ଓଡ଼ିଶା ତଥା ଓଡ଼ିଶା ବାହାରେ ନିଶା କାରବାରର କଳା କାରନାମାକୁ ପୁଲିସ ଆଉ ଅବକାରୀ ବିଭାଗର ଲଗାମ୍‍ ନାହିଁ। ରାଜଧାନୀର ପେଣ୍ଠସ୍ଥଳମାନଙ୍କରେ ଗଞ୍ଜେଇ ତଥା ଧଳା ଜହରର ଖୋଲାବଜାର ବେପାର ଚାଲିଛି ତଥା ରାଜ୍ୟ ବାହାରକୁ ଚାଲାଣ ହେଉଛି, ଚାଲଣକାରୀ ଯେ ଗିରଫ ହେଉ ନାହାନ୍ତି ତାହା ନୁହେଁ, ମାତ୍ର ଗୋଦରା କୋଡେ ଯେତେ, ମାଡେ ସେତେ ନ୍ୟାୟରେ ଯେତେ ନିଶା ଜବତ ହେଲେ ମଧ୍ୟ ପୁଣି ଆତ୍ମ ପ୍ରକାଶ କରୁଛି ନୂଆ ନୂଆ ତରିକାରେ। ଦାମୀ କାର୍‍ ମଧ୍ୟରେ ଗୁପ୍ତ କୋଠରି କରି ନିଶା କାରବାର ହେଉଛି ଯାହାର ଟେର୍‍ ପାଇବା କାଠିକର ପାଠ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଶାସକ୍ତକୁ ବାଟକୁ ଆଣିବା ପାଇଁ ପରିବାରର ଲୋକ ନିଶା ନିବାରଣ କେନ୍ଦ୍ରକୁ ଭରସା କରି ଟଙ୍କା ଖର୍ଚ୍ଚ କରି ନିଶାସକ୍ତମାନଙ୍କୁ ଏହି କେନ୍ଦ୍ରକୁ ଛାଡୁଛନ୍ତି, ମାତ୍ର ଆରୋଗ୍ୟ ହେବା ବଦଳରେ ସେମାନଙ୍କର ଜୀବନ ଯିବାଭଳି ଅଘଟଣ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଆମ ସଭ୍ୟତାର ଅନ୍ତରାଳରେ କ’ଣ ସବୁ ଚାଲିଛି ସେ ବିଷୟରେ ଆଉ ଅଧିକ ଆଲୋଚନା ନକରି ଆମ ବିଧି ବ୍ୟବସ୍ଥା ଓ ସଂସ୍କୃତି ପରମ୍ପରା ସଂପର୍କୀୟ ଏବଂ ମଜାଦାର୍‍ ଘଟଣା ବର୍ଣ୍ଣନା କରି ଲେଖନୀକୁ ବିଶ୍ରାମ ଦେବା।
‘ବିବାହ’ ଆମ ସାମାଜିକ, ଧର୍ମୀୟ ତଥା ସାଂସ୍କୃତିକ ପରମ୍ପରାର ଏକ ପବିତ୍ର ବନ୍ଧନ। ଏହି କାର୍ଯ୍ୟରେ ବର-କନ୍ୟା ମୁଖ୍ୟ। ବାହାଘର କାର୍ଯ୍ୟରେ ଅସ୍ୱାଭାବିକ ପରିସ୍ଥିତି ବେଳେ ବେଳେ ସୃଷ୍ଟି ହେଲେ ମଧ୍ୟ ବରକନ୍ୟା ବେଦୀ ଉପରେ ସାଧାରଣତଃ କଥା ବାର୍ତ୍ତା ହେବା ତ ଦୂରର କଥା ଆଗେ ପରସ୍ପର ମୁହଁକୁ ମଧ୍ୟ ଚାହୁଁ ନଥିଲେ। ଏବେ ନିକଟରେ ଦିଲ୍ଲୀରେ ବେଦୀ ଉପରେ ନବ ଦମ୍ପତି ଚାପୁଡା ବିଧା ମରାମରି ହେବା ସହ ଚୁଟି ଧରାଧରି ହୋଇ ଚପଲମାଡ ପର୍ଯ୍ୟନ୍ତ ଯିବା ଏବଂ ବିବାହ ବେଦୀ ଯୁଦ୍ଧକ୍ଷେତ୍ରରେ ପରିଣତ ହେବା ଭଳି ଅଘଟଣ ଆମ ସାମାଜିକ ବିଧି ବ୍ୟବସ୍ଥା ତଥା ସଭ୍ୟ ସମାଜ ପ୍ରତି ଏକ ଚେତାବନୀ ସଦୃଶ।

kalyan agarbati

Comments are closed.