ଆଠଗଡ : ଆଠଗଡର ସର୍ବପୁରାତନ ବିଶ୍ଵନାଥ ବିଦ୍ୟାପୀଠ ଏନସିସି ପକ୍ଷରୁ ବୁଧବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏନସିସି ଶିକ୍ଷକ ମୃତ୍ୟଞ୍ଜୟ ରଥ ଓ ସହକାରୀ ଶିକ୍ଷକ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଯୋଗ ଶିବିରରେ ଶତାଧିକ ଏନସିସି ଛାତ୍ର ଯୋଗଦେଇ ସାମୁହିକ ଯୋଗାଭ୍ୟାସ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ କୁମାର ବେହେରା, ଯୋଗ ପ୍ରଶକ୍ଷକ ନରେନ୍ଦ୍ର କୁମାର ଜେନା, ମନୋଜ କୁମାର ପାଣିଗ୍ରାହୀ ଓ ବିଚିତ୍ର ରଞ୍ଜନ ବେହେରା ଏହି ଅବସରରେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ନିୟମିତ ଯୋଗଭ୍ୟାସ ସର୍ବୋତ୍ତମ ମାର୍ଗ ବୋଲି ମତପ୍ରକାଶ କରିଥିଲେ। ଏହି ପ୍ରଶିକ୍ଷକମାନେ ଉପସ୍ଥିତ ଏନସିସି ଛାତ୍ର ଓ ଶିକ୍ଷକମାନଙ୍କୁ ଯୋଗର ବିଭିନ୍ନ ଶୈଳୀ ଓ ଆସନ ବିଷୟରେ ଶିକ୍ଷା ଦେବା ସହିତ ଅଭ୍ୟାସ କରାଇଥିଲେ।
ଗୋପବନ୍ଧୁ ବିଜ୍ଞାନ କଲେଜ
ନବମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଏନସିସି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ସାହୁ, ଅଧ୍ୟାପକ ତଥା ଏନସିସି ଅଧିକାରୀ ସୌମ୍ୟକାନ୍ତ ସେନାପତି, ଅଧ୍ୟାପକ ଦେବାଶିଷ ସାହୁ, ଅଧ୍ୟାପକ ଦିବ୍ୟଶକ୍ତି ସାମନ୍ତରାୟ, ଅଧ୍ୟାପକ ସୁରେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର ପ୍ରାରମ୍ଭରେ ଅଧ୍ୟକ୍ଷ ତଥା ଅଧ୍ୟାପକମାନେ କ୍ୟାଡେଟ ମାନଙ୍କୁ ଏହି ବର୍ଷର ଯୋଗ ଦିବସର ବାର୍ତ୍ତା ‘ବସୁଧୈବ କୁଟୁମ୍ବକମ୍’ର ତାତ୍ପର୍ଯ୍ୟ ବୁଝାଇବା ସହ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଓ ତଥା ସୁସ୍ଥ ଜୀବନ ଯାପନ ପାଇଁ ଯୋଗର ଉପାଦେୟତା ବିଷୟରେ ବୁଝାଇଥିଲେ ଏବଂ ପ୍ରତ୍ୟେକ ଦିନ କିଛି ସମୟ ଯୋଗ କରିବାକୁ ଉପଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ କ୍ୟାଡେଟ ଓ ଅଧ୍ୟାପକ ମାନେ ମହାବିଦ୍ୟାଳୟ ପରିସରରେ ଯୋଗାଭ୍ୟାସ କରିଥିଲେ।
ଗୋପବନ୍ଧୁ ମହିଳା କନିଷ୍ଠ କଲେଜ
ଆଠଗଡର ଗୋପବନ୍ଧୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ କଲେଜ)ଯୁବ ରେଡକ୍ରସ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ଏହି ଅବସରରେ ଆୟୋଜିତ ଯୋଗ ଶିବିରକୁ ଉଦଘାଟନ କରି ଯୋଗର ଆମ ଶରୀର ପାଇଁ ଉପାଦେୟତା ଏବଂ ଆବଶ୍ୟକତା ସମ୍ପର୍କରେ ବୁଝାଇବା ସହିତ ଛାତ୍ରୀମାନଙ୍କୁ ନିୟମିତ ଯୋଗ କରିବାକୁ ପରାମର୍ଶ ଦେଇଥିଲେ । କଲେଜର କ୍ରୀଡା ଓ ଯୋଗ ପ୍ରଶିକ୍ଷିକା ବିଜୟାଲକ୍ଷ୍ମୀ ମହାନ୍ତି ଶତାଧିକ ଛାତ୍ରୀ ଓ ସମସ୍ତ ଅଧ୍ୟାପିକାଙ୍କୁ ଯୋଗାଭ୍ୟାସ କରାଇଥିଲେ ।
ଯୋଗ ସେବା କେନ୍ଦ୍ର
ଆଠଗଡ ଯୋଗ ସେବା କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବୁଧବାର ଏକ ସ୍ବତନ୍ତ୍ର ଯୋଗ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଯଦୁମଣି ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଭୁବନାନନ୍ଦ ଦାସ, ପ୍ରବାସୀ ଓଡ଼ିଆ ଇଞ୍ଜିନିୟର ନରେନ୍ଦ୍ର କୁମାର ସାହୁ ମୁଖ୍ୟବକ୍ତା ଏବଂ କେନ୍ଦ୍ରର ବୟୋଜ୍ୟେଷ୍ଠ ସଦସ୍ୟ ତଥା ସମାଜସେବୀ ଶ୍ରୀପତି ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ୫ ହଜାର ବର୍ଷ ପୂର୍ବରୁ ଆମ ଭାରତୀୟ ମୁନିଋଷିମାନେ ଶରୀର ଓ ମନର ସୁସ୍ଥତା ପାଇଁ ଯେଉଁ ଯୋଗକୁ ଆବିଷ୍କାର କରିଥିଲେ ତାର ମହତ୍ବ ଏବେ ବିଶ୍ୱବାସୀ ଉପଲବ୍ଧି କଲେଣି ବୋଲି ପ୍ରକାଶ କରଥିଲେ। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ନିୟମିତ ଯୋଗାଭ୍ୟାସ ଜରୁରୀ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଯୋଗାଚାର୍ଯ୍ୟ ଡାକ୍ତର ଗୋକୁଳାନନ୍ଦ ପତ୍ରୀ ଶତାଧିକ ଲୋକଙ୍କୁ ଯୋଗାଭ୍ୟାସ କରାଇଥିଲେ। ଅନୁଷ୍ଠାନର ସମ୍ପାଦକ ଶିକ୍ଷାବିତ ପ୍ରମୋଦ କୁମାର ଜେନା ସମ୍ପାଦକୀୟ ବୀବରଣୀ ପାଠ କରିବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଯୋଗର ପ୍ରଚାର ପ୍ରସାର ସହିତ ଏହି ଅନୁଷ୍ଠାନର ବହୁବିଧ ସେବା ପାଇଁ ଚିତ୍ରସେନ ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ରଜେନ୍ଦ୍ର କୁମାର ରାୟ ଓ ନଳିନୀ ପଣ୍ଡା ଯୋଗାଭ୍ୟାସର ଅନୁଭୂତି ବର୍ଣ୍ଣନା କରିଥିଲେ। ସୁବାସ ଚନ୍ଦ୍ର ସ୍ବାଇଁ, ରତ୍ନାକର ସାହୁ, ପ୍ରଭାକର ନାୟକ, ନରେନ୍ଦ୍ର ଜେନା, ପ୍ରମୋଦ ନାୟକ, ରତିରଞ୍ଜନ ପାଇକରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.