‘ଭାରତ-ଆମେରିକା ସମ୍ପର୍କ ଦୃଢ଼ ଓ ନିବିଡ଼ ହୋଇଛି’
ନୂଆଦିଲ୍ଲୀ : ଅନ୍ୟ ଦେଶର ସାର୍ବଭୌମତ୍ବ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ସହିତ ଆଇନକୁ ଅନୁସରଣ କରିବା ଏବଂ ମତଭେଦ ଓ ବିବାଦକୁ ଶାନ୍ତିପୂର୍ଣ୍ଣ ସମାଧାନ କରିବା ଭାରତର ମୂଳ ବିଶ୍ବାସ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆମେରିକା ଗସ୍ତ ପୂର୍ବରୁ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ଏକ ସାକ୍ଷାତ୍କାରରେ ମୋଦୀ କହିଛନ୍ତି ଯେ ସମସ୍ତ ରାଷ୍ଟ୍ର ଆନ୍ତର୍ଜାତିକ ଆଇନକୁ ଅନୁସରଣ ସହିତ ଅନ୍ୟ ରାଷ୍ଟ୍ରର ସାର୍ବଭୌମତ୍ବକୁ ସମ୍ମାନ ଦେବା ଦରକାର। ବିବାଦକୁ କୂଟନୀତି ଓ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଦରକାର। କେତେକ ଲୋକ କୁହନ୍ତି ଯେ ସେମାନେ ନିରକ୍ଷେପ। ମାତ୍ର ଭାରତ ସର୍ବଦା ଶାନ୍ତିର ପକ୍ଷ ନେଇଥାଏ ବୋଲି ମୋଦୀ କହିଛନ୍ତି। ସମଗ୍ର ବିଶ୍ବ ଜାଣିଛି ଯେ ଶାନ୍ତି ହେଉଛି ଭାରତର ମୂଳ ବୈଶିଷ୍ଠ୍ୟ। ମୋଦୀ କହିଛନ୍ତି ଯେ ଭାରତ ଓ ଆମେରିକାର ସମ୍ପର୍କ ପୂର୍ବାପେକ୍ଷା ନିବିଡ ଓ ଦୃଢ ହୋଇଛି। ଦୁଇଦେଶର ନେତାଙ୍କ ମଧ୍ୟରେ ଅଭୂତପୂର୍ବ ବିଶ୍ବାସ ରହିଛି। ଦୁଇ ଦେଶର ସମ୍ପର୍କରେ ଏପରି ନିବିଡତାର ମୂଳ କାରଣ ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ପରସ୍ପରର ସହଯୋଗ କରିବା। ଏହି ସହଯୋଗିତା ବାଣିଜ୍ୟ, ବୈଷୟିକ ଜ୍ଞାନକୌଶଳ ଓ ଶକ୍ତି କ୍ଷେତ୍ରକୁ ସମ୍ପ୍ରସାରିତ ହୋଇଛି। ମୋଦୀ କହିଛନ୍ତି ଯେ ସମ୍ପ୍ରତି ବିଶ୍ବ ରାଜନୀତିରେ ଅସ୍ଥିରତା ଲାଗି ରହିଥିବାବେଳେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଭାରତ କୌଣସି ରାଷ୍ଟ୍ର ସହିତ କପଟତାପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରୁନାହିଁ। ଜାତିସଂଘ ସୁରକ୍ଷା ପରିଷଦର ସମ୍ପ୍ରସାରଣ ସମ୍ପର୍କରେ ମୋଦୀ କହିଛନ୍ତି ଯେ ବିଶ୍ବ ସମୁଦାୟଙ୍କୁ ପ୍ରଶ୍ନ କରାଯିବା ଦରକାର ଯେ ଭାରତକୁ ଏହି ପରିଷଦରେ ସାମିଲ କରାଯିବା ଉଚିତ୍ କି ନୁହେଁ। ଏହା ସହିତ ପରିଷଦରେ ଥିବା ବର୍ତ୍ତମାନର ସଦସ୍ୟଙ୍କ କାର୍ଯ୍ୟକୁ ସମୀକ୍ଷା କରାଯିବା ଦରକାର। ଭାରତ-ଚୀନ ଦ୍ବିପାକ୍ଷିକ ସମ୍ପର୍କ ଉପରେ ମୋଦୀ କହିଛନ୍ତି ଯେ ସୀମାରେ ଶାନ୍ତି ଓ ସ୍ଥିରତା ବିନା ଦୁଇଦେଶର ସମ୍ପର୍କରେ ସ୍ବାଭାବିକତା ଆସିପାରିବ ନାହିଁ।
Comments are closed.