ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦୀ
ଆଜି ଜାତିସଂଘରେ ପାଳିବେ ଯୋଗ ଦିବସ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆମେରିକା ଗସ୍ତରେ ଯାଇ ନ୍ୟୁୟର୍କରେ ପହଞ୍ଚିଛନ୍ତି । ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ନ୍ୟୁୟର୍କ ବିମାନ ବନ୍ଦରରୁ ହୋଟେଲ ଯିବା ରାସ୍ତାରେ ପ୍ରବାସୀ ଭାରତୀୟ ଶ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ମୋଦୀ ପୂର୍ବରୁ ୫ଥର ଆମେରିକା ଗସ୍ତ କରିଥିବାବେଳେ ସରକାରୀ ଭାବେ ଏହା ହେଉଛି ତାଙ୍କର ପ୍ରଥମ ଆମେରିକା ଗସ୍ତ। ଜଣେ ଭାରତୀୟ ନେତା ଭାବେ ମୋଦୀ ତୃତୀୟ ବ୍ୟକ୍ତି ଯିଏକି ଆମେରିକାକୁ ସରକାରୀ ଗସ୍ତ କରିଛନ୍ତି । ଏହା ପୂର୍ବରୁ ୧୯୬୩ରେ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍ ଓ ୨୦୦୯ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆମେରିକାକୁ ସରକାରୀ ଗସ୍ତ କରିଥିଲେ।
Landed in New York City. Looking forward to the programmes here including interaction with thought leaders and the Yoga Day programme tomorrow, 21st June. pic.twitter.com/6V5gHglLCg
— Narendra Modi (@narendramodi) June 20, 2023
ଜୁନ୍ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ମୋଦୀ ଆମେରିକାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଜୁନ୍ ୨୧ ପ୍ରଥମ ଦିନରେ ମୋଦୀ ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବେ। ମୋଦୀଙ୍କ ସହିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହି ଯୋଗ ଦିବସ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଗୁଟେରସ ତାଙ୍କ ଯୋଗଦିବସ ବାର୍ତ୍ତାରେ କହିଛନ୍ତି ଯେ ଯୋଗ ହେଉଛି ଏକ ପ୍ରାଚୀନ ଅଭ୍ୟାସ। ଏହାର ସୃଷ୍ଟି ଭାରତରୁ ଠାବ କରାଯାଇପାରିବ। ଯୋଗ କେବଳ ମନ ଓ ଶରୀରକୁ ଏକାଠି କରି ନଥାଏ । ଏହା ବିଶ୍ବର କୋଟିକୋଟି ଜନତାଙ୍କୁ ମଧ୍ୟ ଏକଜୁଟ୍ କରିଥାଏ।
ଗସ୍ତର ଦ୍ବିତୀୟ ଦିନରେ ମୋଦୀ ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଏହା ସହିତ ସେ ଆମେରିକାର ବିଭିନ୍ନ ଅଧିକାରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ଏଠାରେ ମୋଦୀ ଭାରତୀୟ ବଂଶୋଦ୍ଭବଙ୍କୁ ମଧ୍ୟ ସମ୍ବୋଧନ କରିବେ। ଆମେରିକାରେ ମୋଦୀ ଟେସଲା ସିଇଓ ଏଲନ ମସ୍କଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସାକ୍ଷାତ କାଳରେ ଭାରତରେ ଇଲେକ୍ଟ୍ରିକ୍ କାର ତିଆରି ନିମନ୍ତେ ମୋଦୀ ମସ୍କଙ୍କୁ ସ୍ବାଗତ କରିବେ। ଜୁନ୍ ୨୪ରେ ମୋଦୀ ଇଜିପ୍ଟ ଗସ୍ତ କରିବେ ଓ ୨୫ରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ।
Comments are closed.