ସାରା ବର୍ଷ ଜଳ ଯନ୍ତ୍ରଣାରେ ବିତୁଛି ଜୀବନ

ଅଡବା : ଗ୍ରୀଷ୍ମ ଋତୁ ଆସିଲେ ବିଭିନ୍ନ ସ୍ଥାନରେ ସରକାର ଜଳ କଷ୍ଟ ଦୂର କରିବା ଲାଗି ଅନେକ ଯୋଜନା ମାନ କରିଛନ୍ତି। କିନ୍ତୁ ଆଜି ମଧ୍ୟ କିଛି ଅଞ୍ଚଳରେ ସରକାରୀ ଅବହେଳା ଯୋଗୁଁ ଲୋକେ କେବଳ ଗ୍ରୀଷ୍ମ ଋତୁ ନୁହେଁ ବରଂ ବର୍ଷ ତମାମ ଜଳ କଷ୍ଟ ଭୋଗୁଛନ୍ତି । ଏଭଳି କିଛି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଳକ ଆଦିବାସୀ ଦୁର୍ଗମ ଅଞ୍ଚଳରେ ଥିବା ଡେଙ୍ଗେସଖାଲ ପଂଚାୟତ ନିକଟସ୍ଥ କେଲୁହୁରୁ ଗ୍ରାମରରୁ। ଏହି ଗାଁରେ ୩୬ ପରିବାର ଥିବା ବେଳେ ୨୦୦ ଲୋକେ ବସବାସ କରୁଛନ୍ତି। ତେବେ ଏ ସମସ୍ତ ଗ୍ରାମବାସୀଙ୍କ ଅଭିଯୋଗ ବର୍ଷ ତମାମ ସେମାନେ ଏକ ପୁରାତନ କୁଅ ଉପରେ ଭରସା କରୁଛନ୍ତି। ଦୁଇ ଦୁଇଟି ନଳକୂପ ତାହା ବି ଅଚଳ ହୋଇ ପଡିଛି । ସୌର ପାଇପ ଜଳ ଯୋଗାଣ ସମୁଦ୍ରକୁ ଶଙ୍ଖେ । ଘଣ୍ଟା ଘଣ୍ଟା ଧରି ଜଳ ସଂଗ୍ରହ ପାଇଁ ପରିଶ୍ରମ କରିବା ପରେ ବାହାରୁଛି କାଦୁଅ ଓ ଗୋଳିଆ ପାଣି ।
prayash
ଲୋକେ ଏହି କୁଅର ଦୂଷିତ ପାଣି ପିଇବା ହେତୁ ନାନା ପ୍ରକାର ରୋଗରେ ଶିକାର ମଧ୍ୟ ହେଉଛନ୍ତି। ତେଵେ ବର୍ଷ ତମାମ କଷ୍ଟେ ମଷ୍ଟେ ଜଳ ସଂଗ୍ରହ କରୁଥିବା ଲୋକଙ୍କ ପାଇଁ ଗ୍ରୀଷ୍ମ ଋତୁ ଆସିଲେ ବଢ଼ି ଯାଉଛି ଏହି ଜଳ କଷ୍ଟ ସମସ୍ୟା। ପ୍ରତି ଦିନ ପୁରୁଣା କୂଅରେ ଟୋପାଏ ପାଣି ପାଇଁ ମହିଳା ମାନଙ୍କ ମଧ୍ୟରେ ମହାଭାରତ ସୃଷ୍ଟି ହେଉଛି। ଘଣ୍ଟା ଘଣ୍ଟା ଅପେକ୍ଷା କରି ଲୋକେ ଜଳ ସଂଗ୍ରହ କରୁଥିବା ବେଳେ ଏଥି ପ୍ରତି କାହାର ନିଘା ନଥିବା ଅଭିଯୋଗ କରିଛନ୍ତି । ସରକାର ପ୍ରତେକ ଅଂଚଳ ପାଇଁ ବିଶୁଦ୍ଧ ଜଳ ଯୋଗାଇ ଦେବାକୁ ଅନେକ ପଦକ୍ଷେପ ନେଉଥିବା ସତ୍ୱେ ଗଜପତି ଜିଲ୍ଲା ମୋହନା ବ୍ଳକର ଏମିତି ଅନେକ ଅଂଚଳ ଅଛି ଯେଉଁ ଠାରେ ସ୍ଥାନୀୟ ଯନ୍ତ୍ରୀ ତଥା ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଆଜି ମଧ୍ୟ ଲୋକେ ଦୂଷିତ ପାଣି ପିଉଛନ୍ତି। ତେବେ ପାଣି ସମସ୍ୟା ପାଇଁ ସ୍ଥାନୀୟ ପଞ୍ଚାୟତ ସମେତ ବହୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ ଫଳ ଶୂନ ହୋଇଥିବା ବେଳେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ଜଳଯୋଗାଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ପୁର୍ବତନ ସରପଞ୍ଚ ଯାକବ ମାଝୀଙ୍କ ସମେତ ଗ୍ରାମବାସୀ।

Comments are closed.