ତିଗିରିଆ : ତିଗିରିଆର ଆରାଧ୍ୟ ପ୍ରଭୁ ପ୍ରସନ୍ନମଣିଙ୍କ ପୀଠରେ ପବିତ୍ର ଘୋଷଯାତ୍ରାର ନିଆରା ପରମ୍ପରା ମଙ୍ଗଳବାର ଆରମ୍ଭ ହୋଇଛି। ପହଣ୍ଡି ପର୍ବ ସହିତ ପୀଠର ଚତୁର୍ଦ୍ଧା ବିଗ୍ରହ ପ୍ରଭୁ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ଧାଡ଼ି ପହଣ୍ଡିରେ ମନ୍ଦିରରୁ ବାହାରି ରଥାରୁଢ଼ ହୋଇଛନ୍ତି। ପୀଠର ନିଜସ୍ୱ ପରମ୍ପରା ଅନୁଯାୟୀ ପୁରୀ ଶ୍ରୀକ୍ଷେତ୍ର ଘୋଷ ଯାତ୍ରାର ପରଦିନ ଅର୍ଥାତ୍ ବୁଧବାର ପ୍ରସନ୍ନମଣି ପୀଠର ତିନି ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ସନ୍ଧ୍ୟାରେ ତିଗିରିଆ ରାଜା ଶ୍ରୀଶ୍ରୀ ବୀରପ୍ରତାପ କ୍ଷତ୍ରିୟ ବୀରବର ଚମୁପତି ସିଂହ ମହାପାତ୍ର ଛେରା ପହଁରା କରିଥିଲା ବେଳେ ମନ୍ଦିର ସେବାୟତ ଏବଂ ପରିଚାଳନା ଟ୍ରଷ୍ଟି ଲଳିତକୃଷ୍ଣ ଦାସ ଉପସ୍ଥିତ ରହି ଶୃଙ୍ଖଳାର ସହିତ ସମସ୍ତ ନୀତି ସମାପନ କରିଛନ୍ତି।
ଅପରପକ୍ଷେ ତିଗିରିଆ ବ୍ଳକର ପ୍ରମୁଖ ଜଗନ୍ନାଥ ପୀଠ ଶୁଣ୍ଠିପାଳ ଦଧିବାମନଜୀଉ, ନୂଆପାଟଣାସ୍ଥିତ ପତିତ ପାବନ ଜୀଉ ଏବଂ ପାଞ୍ଚଗାଁସ୍ଥିତ ଦଧିବାମନ ଜୀଉଙ୍କ ଗୁଣ୍ଡିଚା ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି। ପୀଠଗୁଡ଼ିକର ପରିଚାଳନା କମିଟି ପକ୍ଷରୁ ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ପହଣ୍ଡି ହେବା ସହିତ ଏହି ତିନି ପୀଠରେ ଠାକୁର ରଥାରୁଢ଼ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ପ୍ରଚଣ୍ଡ ଖରା ତାତି ଯୋଗୁଁ ସମସ୍ତ ପୀଠରେ ଠାକୁରଙ୍କ ପହଣ୍ଡି କାର୍ଯ୍ୟ ଅପରାହ୍ନ ୩ଟା ପରେ ଆରମ୍ଭ ହୋଇଥିଲା। ନୂଆପାଟଣା ପତିତପାବନଙ୍କ ରଥରେ ଧ୍ୟାନଚାନ୍ଦ ମହାରାଜ ଛେରା ପହଁରା କରିଥିବା ବେଳେ ଶୁଣ୍ଠିପାଳ ଠାରେ ଯୁଗଳ ଦାଶ ଏବଂ ପାଞ୍ଚଗାଁରେ ଶିରିଶଚନ୍ଦ୍ର ସିଂହସାମନ୍ତ ଛେରା ପହଁରା କରିଥିଲେ। ସନ୍ଧ୍ୟା ୬ ଟା ପୂର୍ବରୁ ରଥ ଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚିଥିଲା। ପାଞ୍ଚଗାଁରେ ଠାକୁର ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିବା ବେଳେ ଶୁଣ୍ଠିପାଳ ଏବଂ ନୂଆପାଟଣା ଠାରେ ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ବୋଲି ଜଣାପଡିଛି। ଠାକୁର ରଥାରୁଢ଼ ହୋଇ ରହିଥିବାରୁ ଗୁଣ୍ଡିଚା ମନ୍ଦିର ଠାରେ ମଙ୍ଗଳବାର ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
Comments are closed.