ଖତ ଖାଉଛି ସାଧାରଣ ଶୌଚାଳୟ, ଦିଗହରା ସ୍ଵଚ୍ଛଭାରତ ଅଭିଯାନ
ରେଙ୍ଗାଲିକ୍ୟାମ୍ପ: ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ୧୨ଟି ୱାର୍ଡ ମଧ୍ୟରୁ ୮ଟି ୱାର୍ଡରେ ନିର୍ମିତ ହୋଇଥିଲା ସାଧାରଣ ଶୌଚାଳୟ। ଅଞ୍ଚଳର ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଚାରି ଲକ୍ଷ ପଚାଶ ହଜାର ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ହୋଇଥିଲା ଏହି ଶୌଚାଳୟଗୁଡ଼ିକ । ୨୦୧୮ ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ତାହା ସଂପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ତିନି ବର୍ଷରୁ ଅଧିକ ସମୟ ହେବ କାମରେ ଆସୁନି। ବର୍ତ୍ତମାନ ଶୌଚାଳୟଗୁଡ଼ିକ ଖତ ଖାଉଛି କେବଳ ୱାର୍ଡ ନଂ ୧୦ ବ୍ୟତୀତ ଅନ୍ୟ ୭ଟି ଯାକ ଅଚଳରେ। ୱାର୍ଡ଼ ନଂ ୪ ରେ ଥିବା ଦୁଇ ଶୌଚାଳୟ ଭିତରେ ଆଉ କିଛି ଜିନିଷ ନ ଥିବା ବେଳେ ଆବର୍ଜନାପୂର୍ଣ୍ଣ ହୋଇ ଦୁର୍ଗନ୍ଧରେ ଫାଟି ପଡୁଛି । ୱାର୍ଡ ନଂ ୫ ନିର୍ମାଣ ହୋଇଥିବା ଶୌଚାଳୟରେ ମଧ୍ୟ ନାହିଁ ବେସିନ କି ପରିସ୍ରା ପ୍ୟାନ । ଏହା ଛଡା କାନ୍ଥ ଫାଟି ଆଁ କଲାଣି । ୱାର୍ଡ ନଂ ୯ରେ ନାହିଁ ଶୌଚାଳୟର ଫଳକ। ସମ୍ପୂର୍ଣ୍ଣ ଭାଙ୍ଗି ଗଲାଣି ଶୌଚାଳୟ। ପରିସ୍ରା ପ୍ୟାନ, ବେଶିନ୍, ଫଲ୍ସ, ବିଦ୍ୟୁତ୍ ବଲ୍ବ ଆଉ କିଛି ବି ନାହିଁ। ୱାର୍ଡ ନଂ ୧୧ରେ ମଧ୍ୟ ସେହି ଅବସ୍ଥା । ୱାର୍ଡ ନଂ ୧୨ରେ ନିର୍ମାଣ ହୋଇଥିଲା ୩ଟି ଶୌଚାଳୟ। ୱାର୍ଡ ଅନ୍ତର୍ଗତ କାଣ୍ଡପାଲି, ଦୁର୍ଗା ନଗର ଓ ମୋହନ ଟିକ୍ରାରେ ନିର୍ମିତ ଶୌଚାଳୟଗୁଡିକରେ ପାଇଖାନା ଟାଙ୍କିଗୁଡ଼ିକ ମଇଳାରେ ଭର୍ତ୍ତି ହୋଇଯିବାରୁ ଆଉ ବ୍ୟବହାର ହୋଇ ପାରୁନାହିଁ। ଏହି ଟାଙ୍କିଗୁଡ଼ିକ ସଫା କରାଯାଉ ନାହିଁ । ବିଲ୍ଡିଂ ଠିକ୍ଠାକ୍ ଅଛି । ବିଲ୍ଡିଂ ଉପରେ ପାଣିଟାଙ୍କି ଅଛି କିନ୍ତୁ ପାଇପଗୁଡ଼ିକ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି । କୌଣସି ଶୌଚାଳୟରେ ଲାଇଟ୍ ଜଳୁନାହିଁ। ଶୌଚାଳୟକୁ ସଫା ସୁତୁରା ରଖିବା ପାଇଁ କୌଣସି ଲୋକକୁ ଦାୟିତ୍ୱ ନ ଦେଇଥିବାରୁ ତାହା ଏବେ ଅଳିଆ ଆବର୍ଜନା ଗୃହ ପାଲଟିଛି । ଅଯଥାରେ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଖତ ଖାଉଛି। ସେହିଦିନଠାରୁ ଏହି ଶୌଚାଳୟ ଉପରେ ପ୍ରଶାସନର ସୁଦୃଷ୍ଟି ପଡିନି ବୋଲି ସାଧାରଣରେ ଆଲୋଚନା ହେଉଛି । ଅତାବିରା ବିଜ୍ଞାପିତ ଅଞ୍ଚଳକୁ ୧୫ ବର୍ଷ ପୂରିଲା । ଆଦର୍ଶ ଏନଏସିରେ ପରିଣତ କରିବା ପାଇଁ ଯୋଜନା ପରେ ଯୋଜନା ଚାଲିଛି । ଅଞ୍ଚଳକୁ ସଫା ସୁତୁରା ରଖିବାକୁ ଏହି ଶୌଚାଳୟ ନିର୍ମାଣ କରାଯାଇଥିଲା । ଯାତ୍ରୀ ତଥା ସାଧାରଣ ଲୋକେ ବାହାରେ ତଥା ରାସ୍ତା ଘାଟରେ ମଳତ୍ୟାଗ କିମ୍ବା ପରିସ୍ରା କରିବେ ନାହିଁ ବୋଲି ଶୌଚାଳୟ ନିର୍ମାଣ କରାଯାଇଥିଲା, କିନ୍ତୁ ଏହି ଶୌଚାଳୟଗୁଡ଼ିକର ଏପରି ଦୂରାବସ୍ଥା ଯୋଗୁଁ ଲୋକେ ବାଧ୍ୟ ହୋଇ ବାହାରେ, ରାସ୍ତା କଡ଼ରେ ପରିସ୍ରା କରୁଛନ୍ତି । ଶୌଚାଳୟ ବାହାରେ ମଳତ୍ୟାଗ କରୁଛନ୍ତି । ପରିଣାମସ୍ବରୂପ ସହର ଦୁର୍ଗନ୍ଧରେ ଫାଟି ପଡୁଛି । ଏତେ ଟଙ୍କା ଖର୍ଚ୍ଚ ହୋଇ ମଧ୍ୟ ଯଥା ପୂର୍ବମ୍ ତଥା ପରମ୍। କୌଣସି ଅଞ୍ଚଳର ବିକାଶ ତା’ର ସ୍ବଚ୍ଛତାରୁ ଜଣାପଡ଼େ । ତେବେ ଅତାବିରା ବିଜ୍ଞାପିତ ଅଞ୍ଚଳର ସ୍ବଚ୍ଛତା ଏବେ ଦିଗହରା ହୋଇପଡିଛି। ତେଣୁ ଏନଏସିର କର୍ତ୍ତୃପକ୍ଷ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଏହାର ରକ୍ଷଣାବେକ୍ଷଣ ଦାୟିତ୍ଵ ଉପରେ ତତ୍ପରତା ପ୍ରକାଶ କରି ଏହା ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି । ପୁଣି କିଛି ଦିନ ପରେ ଏହି ରାସ୍ତା ଦେଇ ଯିବେ ୫ଟି ସଚିବ । ଏହି ଶୌଚାଳୟ ଉପରେ ସଚିବଙ୍କ ଦୃଷ୍ଟି ପଡ଼ିବ ତ ? ଏହା ମଧ୍ୟ ଜନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
Comments are closed.