‘ଯୁବାବସ୍ଥାରେ ବି ପାକସ୍ଥଳୀ କର୍କଟ ଆଶଙ୍କା’
ଭୁବନେଶ୍ବର : ପୂର୍ବରୁ ଧାରଣା ଥିଲା ଯେ, ଗ୍ୟାଷ୍ଟ୍ରିକ୍ କର୍କଟ ପ୍ରାୟ ୪୦ବର୍ଷ ବୟସ ପରେ ହୋଇଥାଏ। ମାତ୍ର ଏବେ ତାହା ଭୁଲ୍ ପ୍ରମାଣିତ ହୋଇଛି। ୩୦ବର୍ଷ ବୟସ ତଳକୁ ମଧ୍ୟ ଗ୍ୟାଷ୍ଟ୍ରିକ୍ କର୍କଟ ଚିହ୍ନଟ ହୋଇଛି। ନିକଟ ଅତୀତରେ ୩୦ବର୍ଷରୁ କମ୍ ବୟସର ଅନେକ ଯୁବକ ଗ୍ୟାଷ୍ଟ୍ରିକ୍ କର୍କଟ ଓ କଲୋନ କର୍କଟର ଆକ୍ରାନ୍ତ ହୋଇଛନ୍ତି। ଭୋକ ନ ଲାଗିବା, ଓଜନ ହ୍ରାସ, ପେଟ ବ୍ୟଥା ଆଦି ଲକ୍ଷଣ ଦେଖାଯାଉଥିଲେ ଏହା ପାକସ୍ଥଳୀ (ଷ୍ଟୋମାକ୍) କର୍କଟର ଲକ୍ଷଣ ହୋଇପାରେ। ଝାଡ଼ାରେ ରକ୍ତ ପଡ଼ିବା, ପୁରୁଷଙ୍କ ରକ୍ତହୀନତା ଦେଖାଯିବା ଓ ଝାଡ଼ାଯିବା ଅଭ୍ୟାସରେ ପରିବର୍ତ୍ତନ ଦେଖାଯିବା ଆଦି ଲକ୍ଷଣ କଲୋନ୍ କର୍କଟର ହୋଇପାରେ। ଏସବୁ ଲକ୍ଷଣ ଦେଖାଯାଉ ଥିଲେ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ ବୋଲି ସହିଦନଗରସ୍ଥିତ ସାଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାେଷ୍ଟ୍ରାଏଣ୍ଟେରୋଲୋଜି ଆଣ୍ଡ ଲିଭର ସାଇନ୍ସର ପ୍ରତିଷ୍ଠାତା ତଥା ପେଟ ଓ ଲିଭର ରୋଗ ବିଶେଷଜ୍ଞ ଡା. ଆଶୁତୋଷ ମହାପାତ୍ର କହିଛନ୍ତି।।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଏଭଳି କ୍ଷେତ୍ରରେ ଏଣ୍ଡୋସ୍କୋପି ମାଧ୍ୟମରେ ପ୍ରାରମ୍ଭିକ ଗ୍ୟାସ୍ଜନିତ କର୍କଟ ଚିହ୍ନଟ କରାଯାଏ। ଯଦି ପ୍ରାରମ୍ଭିକ ଅବସ୍ଥାରେ ଗ୍ୟାଷ୍ଟ୍ରିକ୍ କର୍କଟ ଚିହ୍ନଟ ହୁଏ, ତାହେଲେ ଏଣ୍ଡୋସ୍କୋପି ମାଧ୍ୟମରେ ଚିକିତ୍ସା କରାଯାଇ ପାରିବ। ଏଥିପାଇଁ କୌଣସିପ୍ରକାର ଅେସ୍ତ୍ରାପଚାର କିମ୍ବା କେମୋଥେରାପି ଦରକାର ପଡ଼ିନଥାଏ। ତେବେ ୪୦ବର୍ଷ ବୟସ ହୋଇଗଲେ ଟିକିଏ ଅଧିକ ସତର୍କ ହେବାର ଆବଶ୍ୟକତା ରହିଛି। ପ୍ରତି ତିନିରୁ ପାଞ୍ଚ ବର୍ଷରେ ଥରେ ନିଜର ଷ୍ଟୋମାକ୍ କର୍କଟ ପରୀକ୍ଷା କରାଇ ନେବାକୁ ଜାପାନରୁ ତାଲିମପ୍ରାପ୍ତ ଡା. ମହାପାତ୍ର ପରାମର୍ଶ ଦେଇଛନ୍ତି।
Comments are closed.