୨୧ରୁ ଖୋଲିବ ବିଦ୍ୟାଳୟ

୭ ଜିଲାରେ ଜିଲାପାଳ ନେବେ ନିଷ୍ପତ୍ତି

ଭୁବନେଶ୍ବର : ଗ୍ରୀଷ୍ମଛୁଟି ପରେ ରାଜ୍ୟରେ ଆସନ୍ତା ୨୧ ତାରିଖ (ବୁଧବାର)ଠାରୁ ବିଦ୍ୟାଳୟ ଖୋଲିବା ସହ ପାଠପଢ଼ା ଆରମ୍ଭ ହେବ ; କିନ୍ତୁ ୭ଟି ଜିଲାରେ ଗ୍ରୀଷ୍ମପ୍ରବାହର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲାର ଜିଲାପାଳମାନେ ସକାଳୁଆ ବିଦ୍ୟାଳୟ କିମ୍ବା ସମ୍ପୂର୍ଣ୍ଣ ଛୁଟି ପାଇଁ ନିଷ୍ପତ୍ତି ନେଇପାରିବେ। ବାକି ୨୩ଟି ଜିଲାରେ ୨୧ରୁ ବିଦ୍ୟାଳୟ ଖୋଲିବା ସହ ସ୍ବାଭାବିକ ସମୟରେ ପାଠପଢ଼ା ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲାପାଳଙ୍କୁ ନିର୍ଦେଶନାମା ଜାରି ହୋଇଛି। ପାଣିପାଗ ଆକଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏନେଇ ବିଚାର ବିମର୍ଶ କରିବା ପରେ ୨୧ରୁ ବିଦ୍ୟାଳୟଗୁଡ଼ିକ ସ୍ବାଭାବିକ ସମୟରେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରତିଷେଧକମୂଳକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୋଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଆଦି ୭ଟି ଜିଳାରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେବାକୁ ଜିଲାପାଳଙ୍କୁ କ୍ଷମତା ଦିଆଯାଇଛି। ସେମାନେ ଉକ୍ତ ୭ ଜିଲାରେ ସକାଳୁଆ ବିଦ୍ୟାଳୟ କିମ୍ବା ସମ୍ପୂର୍ଣ୍ଣ ଛୁଟି ଘୋଷଣା କରିପାରିବେ। ଏହି ୭ଟି ଜିଲାକୁ ଛାଡ଼ି ଦେଲେ ବାକି ୨୩ଟି ଜିଲାରେ ସ୍ବାଭାବିକ ସମୟରେ ବିଦ୍ୟାଳୟ ଖୋଲିବ। ବିଭାଗ ପକ୍ଷରୁ ପାଣିପାଗ ସ୍ଥିତି ଉପରେ ସତର୍କ ନଜର ରଖାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୧୯ ପରିବର୍ତ୍ତେ ୨୧ ତାରିଖରେ ବିଦ୍ୟାଳୟ ଖୋଲିବାକୁ ନିର୍ଦେଶନାମା ଜାରି କରିଥିଲେ। ଚଳିତଥର ରାଜ୍ୟ ସରକାର ଗତ ଏପ୍ରିଲ ୨୧ରୁ ଖରାଛୁଟି ଘୋଷଣା କରିଥିଲେ।

Comments are closed.