ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏବଂ ୫-ଟି ସଚିବଙ୍କ କାର୍ଯ୍ୟାନୁଷ୍ଠାନ କେବେ ?

ଆଠଗଡ ବନଖଣ୍ଡ ଅଧିକାରୀଙ୍କ ତାତ୍ସଲ୍ୟଭରା ଉତ୍ତରକୁ ନେଇ ବିଭିନ୍ନ ସାମାଜିକ ସଂଗଠନର ତୀବ୍ର ପ୍ରତିକ୍ରିୟା

ଆଠଗଡ/ଗୁରୁଡିଝାଟିଆ :  ଲୋକ ସେବକ ମଣ୍ଡଳ ଓ ‘ସମାଜ’ ଦ୍ୱାରା ଆଠଗଡର ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ(ଜିମସାର) ପରିସରରେ ଶକ୍ତ ପାଚେରୀ ଭାଙ୍ଗି ହାତୀ ପଶିବା ଯୋଗୁଁ ରୋଗୀ ସହାୟକ ଓ କର୍ମଚାରୀମାନେ ଭୟଭୀତ ଅବସ୍ଥାରେ ରହିଥିଲେ। ଅସହାୟ ହୋଇ ବିଳମ୍ବିତ ରାତି ପ୍ରାୟ ୧୧:୪୫ ସମୟରେ ଅନେକ ଆଶା ଓ ଭରଷା ନେଇ ସହାୟତା ପାଇଁ ଆଠଗଡ ବନଖଣ୍ଡ ଅଧିକାରୀ ଡଃ ଯଜ୍ଞଦତ୍ତ ପତିଙ୍କୁ ଯୋଗାଯୋଗ କରାଯାଇଥିଲା । ସହାୟତା ଦେବା ତ ପଛକଥା। ଆମକୁ କଣ ପାଇଁ ଫୋନ କରୁଛ ? ତଳସ୍ତରର କର୍ମଚାରୀଙ୍କୁ ଯୋଗାଯୋଗ କରନ୍ତୁ । ଆମେ କଣ ଭାତଡାଲି ଖୁଆଇଦେବୁ କହି ତାତ୍ସଲ୍ୟଭରା ଉତ୍ତର ପ୍ରଦାନ କରିବା ଘଟଣାକୁ ପରିବେଶବୀତ୍, ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କୁ ଅବଗତ କରାଇଛନ୍ତି । ବନ୍ୟପ୍ରାଣୀଙ୍କ ସୁରକ୍ଷା, ଅଭିବୃଦ୍ଧି ସାଙ୍ଗକୁ ଜଙ୍ଗଲ ସଂପଦର ବିକାଶ ଏବଂ ହାତୀ-ମଣିଷ ଲଢେଇକୁ ରୋକିବା ଦିଗରେ ବନଖଣ୍ଡ ସ୍ତରରେ ବନଖଣ୍ଡ ଅଧିକାରୀ ମୁଖ୍ୟ ହୋଇଥିବା ବେଳେ ଭୂମିକା ମଧ୍ୟ ବେଶ ଗୁରତ୍ୱପୂର୍ଣ୍ଣ । ସାଧାରଣ ଜନତା ବନଖଣ୍ଡ ଅଧିକାରୀଙ୍କ ଉପରେ ଅଜସ୍ର ଭରଷା ଓ ଆଶା ରଖିଥାନ୍ତି । ହେଲେ ହାତୀ, ଚିକିତ୍ସାଳୟ ପରିସରରେ ପଶି ଭୟଭୀତ ପରିବେଶ ସୃଷ୍ଟି କରିବା ସହ କର୍ମଚାରୀ ଓ ରୋଗୀ ସହାୟକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ ଅସହାୟ ହୋଇ ସହାୟତା ମାଗରିବାରୁ ବନଖଣ୍ଡ ଅଧିକାରୀ ଡଃ ପତିଙ୍କ ତାତ୍ସଲ୍ୟଭରା ଆଚରଣ ପ୍ରଦର୍ଶନ ସରକାରଙ୍କ ୫-ଟି ବ୍ୟବସ୍ଥା ଓ ମୋ ସରକାରଙ୍କୁ ଏକ କୁଠାରଘାତ କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାର ହେଉଛନ୍ତି ଜନସାଧାରଣଙ୍କର। ଜନସାଧାରଣଙ୍କୁ ପ୍ରତ୍ୟେକ ମୁହୁର୍ତ୍ତରେ ସହଯୋଗ ପ୍ରଦାନ କରିବା ପାଇଁ ନୀତି ନିୟମ ପ୍ରଣୟନ କରିଥିଲେ ମଧ୍ୟ ଚିକିତ୍ସାଳୟ ଭଳି ଏକ ଜରୁରୀକାଳୀନ ପ୍ରତିଷ୍ଠାନରେ ହାତୀପଶି ଭୟଭୀତ ପରିବେଶ ସୃଷ୍ଟି କରୁଥିବା ବେଳେ ବନଖଣ୍ଡ ଅଧିକାରୀଙ୍କ ମୌଳିକ କର୍ତ୍ତବ୍ୟ ହାତୀକୁ ଘଉଡାଇବା ନୁହେଁ କି ? ସରକାରୀ କର୍ମଚାରୀ ହିସାବରେ ନିଜର କର୍ତ୍ତବ୍ୟ ସଂପାଦନ କରିବା ପ୍ରଧାନ ଓ ପ୍ରଥମ କର୍ତ୍ତବ୍ୟ ହୋଇଥିବା ବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ଅରୁଚିକର। ଏଥିପ୍ରତି ମୁଖ୍ୟମନ୍ତ୍ରୀ, ଜଙ୍ଗଲ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆଠଗଡ ବିକାଶ ମଞ୍ଚ ସଭାପତି ତଥା ବିଜୁ ଜନତାଦଳ ଯୁବନେତା ମାନସ ବସ୍ତିଆ ଟୁଇଟ ଯୋଗେ ଜଣାଇବା ସହ ଏହି ମତ ପ୍ରକାଶ କରିଛନ୍ତି।

prayash

ଆଠଗଡ ବିକାଶ ପରିଷଦ ସଭାପତି ରାମନାରାୟଣ ମହାନ୍ତି ବଡମ୍ବାରେ ହାତୀମୃତ୍ୟୁ ମାମଲାରେ ନିରୀହ ଲୋକଙ୍କୁ ହେପାଜତରେ ରଖି ମାଡମାରି ମାରିଦେବା ଘଟଣାରେ ବିବାଦୀୟ ହୋଇପଡିଥିବା ଆଠଗଡ ବନଖଣ୍ଡ ଅଧିକାରୀଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକତା ରହିଛି ବୋଲି କହିଥିଲେ। ଆଠଗଡ ବନଖଣ୍ଡରେ ବନ୍ୟ ସଂପଦ ବିଶେଷତଃ ହାତୀ ମୃତ୍ୟୁ ଜାତୀୟସ୍ତରରେ ଅପଯଶ ଆଣିଦେଇଛି । ବନ୍ୟ ସଂପଦ ସଂପୂର୍ଣ୍ଣ ଅସୁରକ୍ଷିତ । ଲୋକ ସେବକ ମଣ୍ଡଳ ଓ ‘ସମାଜ’ ଦ୍ୱାରା ପ୍ରତିଷ୍ଠିତ ଜିମସାର ଚିକିତ୍ସାଳୟରେ ହାତୀ ପଶି ଭୟଭୀତ ପରିବେଶ ସୃଷ୍ଟି କରିବା ଘଟଣାରେ ସହାୟତା ମାଗିବା ସମୟରେ ଆଠଗଡ ବନଖଣ୍ଡ ଅଧିକାରୀଙ୍କ ଅରୁଚିକର ଆଚରଣ ବାସ୍ତବିକ୍ ଅତ୍ୟନ୍ତ ନିନ୍ଦନୀୟ। ଆଠଗଡ ଉପଖଣ୍ଡ ସହିତ ଢେଙ୍କାନାଳ ଓ କଟକ ସହରର ରୋଗୀମାନେ ଜିମସାର ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି । ବିଳମ୍ବିତ ରାତିରେ ହାତୀ ଉତ୍ପାତରୁ ସହାୟତା ପାଇଁ ବନଖଣ୍ଡ ଅଧିକାରୀଙ୍କୁ ଯଦି ଫୋନ କରାଯିବ ନାହିଁ ତାହାଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କୁହନ୍ତୁ ସାଧାରଣ ଜନତା କାହାକୁ ଫୋନ କରି ସହାୟତା ମାଗିବେ ବୋଲି ଶ୍ରୀ ମହାନ୍ତି କହିବା ସହ ଜଙ୍ଗଲମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ଦେବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ଜଣାଇଛନ୍ତି । ପ୍ରକାଶ ଯୋଗ୍ୟ କରୋନା ମହାମାରୀ ସମୟରେ ଜିମସାରର ରୋଗୀସେବା କ୍ଷେତ୍ରରେ ବଳିଷ୍ଠ ଭୂମିକାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଥିଲେ । ଏଠାରେ ଏମଆରଆଇ, ସିଟିସ୍କାନ, ଆଇସିୟୁ, ଉନ୍ନତ ନିଦାନ ପରୀକ୍ଷା କେନ୍ଦ୍ର ,ଡେଣ୍ଟାଲ ୟୁନିଟ ସହିତ ବହୁ ବିଭାଗର ବିଶେଷଜ୍ଞ ସୁବିଧା ଯୋଗାଉଛନ୍ତି।

Comments are closed.