ଗୋପାଳପୁରରେ ବାତ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ଅଭ୍ୟାସ ପ୍ରଦର୍ଶନ

ଗୋପାଳପୁର : ଗଞ୍ଜାମ ଜିଲ୍ଲା ଉପକୂଳ ଅଞ୍ଚଳରେ ପ୍ରାୟତଃ ବାତ୍ୟାର ପ୍ରଭାବ ପଡିଥାଏ ଯାହା ଫଳରେ ଧନ ଜୀବନ ନଷ୍ଟ ହେବା ସହ ବହୁ ସମସ୍ୟା ଉପୁଜି ଥାଏ। ଏହାକୁ ନଜରରେ ରଖି ଆଜି  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ବାତ୍ୟା ଆଶ୍ରୟସ୍ଥଳୀଠାରେ ସୋମବାର ବାତ୍ୟା ପୂର୍ବରୁ କିଭଳି ସତର୍କତା ମୂଳକ ପଦକ୍ଷେପ ନିଆଯିବ ଏବଂ ବାତ୍ୟା ପରେ କଣ ସବୁ କରାଯିବ ସେ ନେଇ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବା ସହ ଅଭ୍ୟାସ ପ୍ରଦର୍ଶନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଓଏସଏପି ୟୁନିଟ ୮ମ ବାଟାଲିନ ନୂଆ ଓଡ୍ରାଫ ଦଳର କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାସଙ୍କ ନିର୍ଦ୍ଦେଶ କ୍ରମେ ଟିମ୍ ଲିଡର କେ.ଗଙ୍ଗାଧର ପ୍ରଧାନଙ୍କ ନେତୃତ୍ୱରେ ୩୫ ଜଣିଆ ଟିମ୍ ଗୋପାଳପୁର ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ପହଞ୍ଚିଥିଲେ।
ବାତ୍ୟା ପୂର୍ବରୁ ଲୋକଙ୍କୁ ଓ ଗୃହପାଳିତଙ୍କୁ କିଭଳି ସ୍ଥାନାନ୍ତର କରାଯିବ, ବାତ୍ୟା ପରେ ଫସି ରହିଥିବାଙ୍କୁ କିଭଳି ଉଦ୍ଧାର କରାଯିବ ତାହାର ଅଭ୍ୟାସ ପ୍ରଦର୍ଶନ କରି ଦେଖାଇଥିଲେ । ବାତ୍ୟା ପରେ ରାସ୍ତାଘାଟ ଅବରୋଧକୁ କିଭଳି ସଫା କରାଯିବ ଆବଶ୍ୟକ ଯନ୍ତ୍ରପାତି ଗୁଡ଼ିକର ପ୍ରଦର୍ଶନ କରିଥିଲେ। ବାତ୍ୟା ପରେ ପ୍ରାଥମିକ ଚିକିତ୍ସା କିଭଳି କରାଯିବ ସେନେଇ ମଧ୍ୟ ସଚେତନ କରିଥିଲେ।ସାଙ୍ଗରେ ଆଣିଥିବା ବିଭିନ୍ନ ଯନ୍ତ୍ରପାତି, ରବର ବୋଟ,  ଆକ୍ବାଟିକ୍ ଆଦିର ଅଭ୍ୟାସ ପ୍ରଦର୍ଶନ ଦେଖାଇବା ସହ ସାହସର ସହିତ ବାତ୍ୟାକୁ ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଏଡିଏମ ପ୍ରିୟ ରଂଜନ ପୃଷ୍ଟି, ନୋଡାଲ ଅଫିସର ତଥା ପିଡି ଡୁଡା ନୀଳ ମାଧବ ଭୋଇ, ଓସଡମାର ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ସୂତାନୁ ଠାକୁର, ବିସ୍ମୟ ଏନଜିଓର ବିମଳ ପଟ୍ଟନାୟକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ମିଶ୍ର, ଡିପିଓ ଦେବେନ୍ଦ୍ର ନାୟକ, ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ୱଜିତ ରାଏ, ଗୋପାଳପୁର ଏନଏସି ଅଧକ୍ଷ ଏ.ଜାନକୀ ରାମ, ବହୁ ମୁଖୀବାତ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ ଜି.ମୋହନ ରାଓ, ସମସ୍ତ କାଉନସିଲର, ଅଙ୍ଗନୱାଡ଼ି, ଆଶାକର୍ମୀ, ମତ୍ସ୍ୟଜୀବୀ, ସ୍ଥାନୀୟ ପୁଲିସ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟକ ସ୍ଥାନୀୟ ଲୋକେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ପରିଚାଳନା କରିଥିଲେ ।
prayash

Comments are closed.