ରତ୍ନଭଣ୍ଡାର ସ୍ଥିତି ଭଲନାହିଁ : ଗଜପତି
ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସ୍ଥିତି ଭଲ ନ ଥିବା ପୁଣିଥରେ ଦୋହରାଇଛନ୍ତି ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ। କାନ୍ଥରେ ଫାଟ ହେବା ସହ ବର୍ଷା ହେଲେ ପାଣି ଗଳୁଥିବା ଶନିବାର ସେ ପ୍ରକାଶ କରିଛନ୍ତି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ସ୍ଥିତିକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ତଥା ଗଜପତି ମହାରାଜ ଶ୍ରୀଦେବ ଉଦ୍ବେଗ ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ରତ୍ନଭଣ୍ଡାରର ଜରୁରୀ ମରାମତି ସମେତ ମହାପ୍ରଭୁଙ୍କ ଗହଣା ଗୁଡିକର ଗଣତି କରାଯିବାର ଆବଶ୍ୟକତା ରହିଛି । ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ପ୍ରତି ୩ବର୍ଷରେ ଥରେ ଶ୍ରୀମନ୍ଦିର ପ୍ରଶାସନ ଭିତର ରତ୍ନଭଣ୍ଡାର ଖୋଲି ଗହଣା ତାଲିକା ମେଳ କରିବାର ଆଇନରେ ବ୍ୟବସ୍ଥା ରହିଛି । ଭିତର ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦୀର୍ଘଦିନ ତଳୁ ରିପୋର୍ଟ ଦେଇଛନ୍ତି । ପୂର୍ବରୁ କେବେ ରତ୍ନଭଣ୍ଡାର ମରାମତି କରାଯାଇଥିଲା
ସେ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ୨୦୧୮ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ମନ୍ଦିର ପ୍ରଶାସନ ଉଦ୍ୟମ କରି ବିଫଳ ହୋଇଥିଲା। ରାଜ୍ୟ ସରକାର ଅନୁମତି ଦେଲେ ଶ୍ରୀମନ୍ଦିର ପ୍ରଶାସନ ଭିତର ରତ୍ନଭଣ୍ଡାର ଖୋଲିବ ବୋଲି ସେ ମତ ଦେଇଛନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ସହ କୋଟି କୋଟି ଭକ୍ତଙ୍କ ଭାବାବେଗ ଜଡିତ ଥିବାରୁ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ଦେବା ଉଚିତ ବୋଲି ସେ କହିଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ରାଜ୍ୟ ସରକାର ଗଠନ କରିଥିବା ବିଚାର ବିଭାଗୀୟ ତଦନ୍ତ କମିଶନ ରିପୋର୍ଟରେ କଣ ସୁପାରିସ କରାଯାଇଛି ସେ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି ଗଜପତି ମହାରାଜ। ଭିତର ଓ ବାହାର ରତ୍ନଭଣ୍ଡାର ଖୋଲାଯାଇ ତାହାର ଆବଶ୍ୟକୀୟ ମରାମତି କରାଯିବା ସହ ମୂଲ୍ୟବାନ ଗହଣାଗୁଡିକର ସୁରକ୍ଷା ପାଇଁ ସେ ପରାମର୍ଶ ଦେଇଛନ୍ତି । ଯେତେ ଶୀଘ୍ର ଭିତର ରତ୍ନଭଣ୍ଡାର ଖୋଲାଯାଇ ମରାମତି କରାଯିବ ସେତେ ଭଲ ବୋଲି ଗଜପତି ମହାରାଜ ପ୍ରକାଶ କରିଛନ୍ତି।
Comments are closed.