ଅଡବା : ଆଦିବାସୀ ଛାତ୍ରୀ ନିବାସ ନିର୍ମାଣରେ ବିତିଛି ୧୩ ବର୍ଷ । ତଥାପି ନା ଛାତ୍ରୀ ନିବାସ କୋଠା ନିର୍ମାଣ କାମ ଶେଷ ହେଉଛି ନା ଛାତ୍ରୀମାନଙ୍କ ପାଇଁ ରହଣି ସୁବିଧା ହେଉଛି । ମନମୁଖୀ ଠିକାଦାର କୋଠାଟିକୁ ନିମ୍ନ ମାନର କାମ କରିଥିବାରୁ ଏବେ ଏହା ଛାତ୍ରୀ ମାନଙ୍କ କାର୍ଯ୍ୟରେ ଆସୁନି। ଦୁର୍ଗମ ଅଞ୍ଚଳରେ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଛାତ୍ର ଛାତ୍ରୀ ପାଠ ପଢା ସହ ରହିବା ଲାଗି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ଯୋଜନାର ଲାଭ ପାଉନାହାନ୍ତି ଆଦିବାସୀ ଛାତ୍ର ଛାତ୍ରୀ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଖାରିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସ କୋଠା ନିର୍ମାଣ କ୍ଷେତ୍ରରେ।
ଗଜପତି ଜିଲ୍ଲା ମୋହନା ବ୍ଲକ୍ ଖାରିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସ କୋଠା। ଏହି କୋଠା ଗତ ୨୦୦୯-୧୦ ମସିହାରେ ୫୫ ଲକ୍ଷ ଟଙ୍କା ବିନିମୟରେ ଶହେ ସଂଖ୍ୟା ଆସନ ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ସଂପୃକ୍ତ ଠିକାଦାର କୋଠା ନିର୍ମାଣ ନିମ୍ନମାନର କାମ କରିଥିବାରୁ କୋଉଠି ଫ୍ଲୋରିଂ ଉଠି ଯାଇଛି ତ ଆଉ କେଉଁଠି ଛାତରୁ ସିମେଣ୍ଟ ଝଡି ପଡ଼ିଲାଣି। ବିଭିନ୍ନ ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହେବା ସହ ବର୍ଷା ଦିନରେ ଛାତରୁ ପାଣି ଗଳୁଛି। କାମ ନିମ୍ନମାନ ହୋଇ ଥିବାରୁ ଏବେ ଏହା ବ୍ୟବହାର ଉପଯୋଗ ପାଇଁ ଅଭିଭାବକମାନେ ସୁରକ୍ଷିତ ମଣୁ ନାହାଁନ୍ତି। ଦୀର୍ଘ ୧୩ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଯାଏଁ ବିଭାଗୀୟ ଅଧିକାରୀଙ୍କର ଦୃଷ୍ଟି ପଡୁନି। ଫଳରେ ଏହି ବିଦ୍ୟାଳୟରେ ଦୁର ଦୁରାନ୍ତରୁ ଆସି ଅଧ୍ୟୟନ କରୁଥିବା ବହୁ ଛାତ୍ରୀମାନଙ୍କ ପାଇଁ ଛାତ୍ରୀ ନିବାସ ନ ଥିବାରୁ ବର୍ଷ ବର୍ଷ ଧରି ସମସ୍ୟା ଭୋଗି ଆସୁଛନ୍ତି। ହଷ୍ଟେଲ ସୁବିଧା ନ ଥିବାରୁ ପ୍ରତ୍ୟେକ ବର୍ଷ ବହୁ ଛାତ୍ରୀ ପାଠ ଛାଡ଼ିବା ପାଇଁ ବାଧ୍ୟ ହେଉଛନ୍ତି। ଏବେ ବି ଏହାର ପାଚେରୀ ଓ ରୋଷେଇ ଘର ନିର୍ମାଣ ହୋଇ ପାରିନାହିଁ ।ଫଳରେ ଏହା ବିଦ୍ୟାଳୟ ପରିଚାଳନା କମିଟିକୁ ହସ୍ତାନ୍ତର କରା ଯାଇନାହିଁ। ଯଦି ଖୁବ୍ ଶୀଘ୍ର ଏହି କୋଠା ପୁନଃ ନିର୍ମାଣ କରି ଛାତ୍ରୀମାନଙ୍କ ପାଇଁ ହଷ୍ଟେଲସୁବିଧା କରା ନ ଯାଏଁ, ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଗୋଟିଏ ପଟେ ସରକାର ବିଦ୍ୟାଳୟ ଗୁଡ଼ିକୁ ୫-ଟିରେ ଅନ୍ତର୍ଭୁକ୍ତ କରି ରୂପାନ୍ତରିତ କରି ଛାତ୍ର-ଛାତ୍ରୀମାନଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବାକୁଁ ପ୍ରୟାସ କରୁଥିବା ବେଳେ ଏଠି ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣାଧୀନ ହଷ୍ଟେଲ କୋଠା ନିର୍ମାଣରେ ଅନିୟମିତତା ଓ କାମ ଅଧାପନ୍ତରିଆ ଯୋଗୁଁ ସରକାରଙ୍କ ଏହି ୫-ଟି ଯୋଜନା କେତେ କାର୍ଯ୍ୟକାରୀ ହୋଇ ପାରିବ ବୋଲି ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଆଜି ଉଭୟ ଗାଁର ସରପଞ୍ଚ ଓ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଏ ନେଇ ଜିଲ୍ଲାପାଳ କହିଛନ୍ତି, ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆସିଛି । ଆଇଟିଡିଏ ପକ୍ଷରୁ ଏକ ଟିମ୍ ଯାଇ ତାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।
Comments are closed.