ବଜ୍ରପାତରେ ୧ ସଂକଟାପନ୍ନ, ୧ ଗୁରୁତର
ଗୁରୁଡିଝାଟିଆ : ହଠାତ ବଜ୍ରପାତ ଯୋଗୁଁ ମଇଁଷି ଚରାଉଥିବା କାହ୍ନା ବେହେରା (୨୬) ଓ ଅରୁଣ ବେହେରା ଗୁରୁତର ହୋଇଛନ୍ତି। ସେମାନଙ୍କ ଭିତରୁ କାହ୍ନାର ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ପ୍ରେରଣ କରାଯାଇଥିବା ବେଳେ ଆରୁଣକୁ ମାଧବପୁର ସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କାହ୍ନା ନିଜ ଭିଣୋଇଘରକୁ ବୁଲି ଆସିଥିବା ବେଳେ ମଇଁଷି ନେଇ ସଂପର୍କୀୟ ଅରୁଣ ସହିତ ତଳଗଡ(ଗଉଡଝରି) ନିକଟସ୍ଥ ଚାରଣ ଭୂମିରେ ମଇଁଷି ଚରାଉଥିଲେ। ଶନିବାର ଅପରାହ୍ନରେ ଅତର୍କିତ ବଜ୍ରପାତ ହେବା ଫଳରେ କାହ୍ନାର ଛାତିରେ ବଜ୍ରାଘାତ ହୋଇଥିଲା। ଫଳରେ ତା’ର ଅବସ୍ଥା ସଂକଟାପନ୍ନ ହୋଇଥିଲା ଓ ଅରୁଣ ଗୁରୁତର ଆହତ ହୋଇଥିଲା। ଦୁଇଜଣଙ୍କୁ ଚିକତ୍ସା ପାଇଁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅରୁଣ ମାଧବପୁର ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ବେଳେ କାହ୍ନା ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି। ପ୍ରକାଶଯୋଗ୍ୟ କାହ୍ନାର ଘର ଢେଙ୍କାନାଳ ଥାନା ଅନ୍ତର୍ଗତ ନଡିଆଳି ଗ୍ରାମରେ।
Comments are closed.