ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରାଘାତରେ ୩ ମୃତ ଓ ୪ ଆହତ

ଭାଙ୍ଗିଲା ଗଛ, ଉଡିଲା ଛପର, ସାରା ସହର ଅନ୍ଧାର

ଢେଙ୍କାନାଳ :  ଢେଙ୍କାନାଳରେ ଅଚାନକ କାଳବୈଶାଖୀ ତାଣ୍ଡବ ରଚିଥିଲା। ବଜ୍ରପାତ ସହ ପ୍ରବଳ ବେଗରେ ପବନ ବହିବାରୁ ଗଛ ଡାଳ ଭାଙ୍ଗିପଡି ବିଦ୍ୟୁତ ତାର ଛିଡି ଯାଇଛି। ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ପବନରେ ଅନେକ ଟିଣ ଓ ଚାଳ ଛପର ଘର ଉଡି ଯାଇଛି । ବିଦ୍ୟୁତ ବିଭ୍ରାଟ ଯୋଗୁଁ ସାରା ସହର ଅନ୍ଧାର ହୋଇ ରହିଛି । ଗଛ ଡାଳ ପଡି ରାସ୍ତା ଅବରୋଧ ହେବା ସହ ବର୍ଷାଜଳ ରାସ୍ତାରେ ଜମିରହିଥିଲା । ବିଦ୍ୟୁତ ସଂଯୋଗ ପାଇଁ କର୍ମଚାରୀ ନିୟୋଜିତ ହୋଇଥିଲେ ହେଁ ବିଦ୍ୟୁତ ଯୋଗାଣ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ହୋଇପାରିବ ନାହିଁ ବୋଲି ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି ।
ଢେଙ୍କାନାଳରେ ଦିନବେଳେ ଅସମ୍ଭବ ପ୍ରକାରର ତାତି ଲାଗି ରହିଥିଲା । ଶନିବାର ଦିନ ମଧ୍ୟ ତାପମାତ୍ରା ୪୩.୬ ଡିଗ୍ରି ରହିଥିଲା । ପ୍ରବଳ ଗରମ ହେଉଥିବା ବେଳେ ଅପରାହ୍ନ ପ୍ରାୟ ୫ ଟା ସମୟରେ ହଠାତ୍ କାଳବୈଶାଖୀ ଦେଖାଦେଇଥିଲା। ଆକାଶ ମେଘାଛନ୍ନ ରହି ଘଡଘଡି ବିଜୁଳି ମାରିଥିଲା । ବଜ୍ରାଘାତରେ ଗଁଦିଆ ଅଞ୍ଚଳର ଦେଓଗାଁ ଡଗରାପଲି ସ୍କୁଲ ବାରଣ୍ଡାରେ ୫ ଜଣ ବ୍ୟକ୍ତି ଛିଡା ହୋଇଥିବା ବେଳେ ବଜ୍ରାଘାତରେ ଘଟଣାସ୍ଥଳରେ ଡଗରପଲି ଗ୍ରାମର ଜଗଦା ଦେହୁରୀ (୪୫)ଙ୍କ  ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେହିପରି ଢେଙ୍କାନାଳ ସଦର ବ୍ଲକର ନଢଣପୁର ଗ୍ରାମରେ ମଇଁଷି ଚରାଉଥିବା ବେଳେ ବଜ୍ରାଘାତରେ ପ୍ରକାଶ ବେହେରା (୪୮) ଓ ଶଙ୍କର୍ଷଣ ବେହେରା (୭୦) ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଖୁବ୍ ଜୋରରେ ପବନ ବହିବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା । ପ୍ରାୟ ଏକ ଘଣ୍ଟା ଧରି ଖୁବ୍ ଜୋରରେ ବର୍ଷା ହେବାରୁ ବିଭିନ୍ନ ସ୍ଥାନରେ ବର୍ଷାଜଳ ରାସ୍ତାରେ ଜମି ରହିଥିଲା । ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଜଳ ପ୍ରବାହିତ ହେଉଥିବାରୁ ଯାତାୟତରେ ବାଧା ଉପୁଜିଥିଲା । ଯଦିଓ ବର୍ଷା ପରେ ସାମାନ୍ୟ ଆଶ୍ୱସ୍ଥି ଅନୁଭୁତ ହୋଇଥିଲେ ହେଁ ଗୁଳୁଗୁଳି ଲାଗି ରହିଛି । ଅନେକ ପୁରୁଖା ଲୋକଙ୍କ ମତରେ ଏଭଳି ଗରମ ପୂର୍ବରୁ କେବେ ଦେଖାଦେଇନଥିଲା । ଶନିବାର ହୋଇଥିବା କାଳବୈଶାଖୀ ଓ ବର୍ଷା ସତ୍ତ୍ବେ ଗୁଳୁଗୁଳି ହେବା ଓ ବିଦ୍ୟୁତ ବିଚ୍ଛିନ୍ନ ହେବା ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି

Comments are closed.