ଅସହ୍ୟ ଗ୍ରୀଷ୍ମ ତାପ ସାଙ୍ଗକୁ ଦହଗଞ୍ଜ କରୁଛି ବିଦ୍ୟୁତ୍‌‌ ବିଭ୍ରାଟ; ସକାଳ ୯ରୁ ସନ୍ଧ୍ୟା ୫ କର୍ଫ୍ୟୁର ଭ୍ରମ

କଲମପୁର : ଗତ ୧୫ ଦିନ ଧରି ବୃଦ୍ଧି ପାଇଚାଲିଛି ଗ୍ରୀଷ୍ମ ତାପ। ୪୦ ଡିଗ୍ରୀରୁ ଏବେ ୪୫ ଡିଗ୍ରୀରେ ପହଞ୍ଚି ସାରିଛି ତାପମାତ୍ରା। ଦିନ ତମାମ ଗ୍ରୀଷ୍ମ ତାପ ବୃଦ୍ଧି ସାଙ୍ଗକୁ ଗୁଳୁଗୁଳିର ପ୍ରଭାବ ଲାଗି ରହୁଛି। ଦେହର ଝାଳ ମଧ୍ୟ ଶୁଖି ପାରୁନାହିଁ। ଏଭଳି ସ୍ଥିତିରେ ଜନ ଜୀବନକୁ ଦହଗଞ୍ଜ କରୁଛି ବାରମ୍ବାର ବିଦ୍ୟୁତ୍‌‌ କାଟ। ଲୋକେ ସକାଳୁ ଉଠି ପାଣି ଟିକକ ସଂଗ୍ରହ କରିବା ବେଳକୁ ଗୋଲ ହେଉଛି ବିଦ୍ୟୁତ୍‌‌। ଯେତେବେଳେ ବିଦ୍ୟୁତ ସମ୍ବନ୍ଧୀୟ ସୂଚନା ମଗାଯାଉଛି, ସେତେବେଳେ କୁହାଯାଉଛି ୩୩ କେଭିରେ ତ୍ରୁଟି। ସର୍ବଦା ୩୩ କେଭି ତ୍ରୁଟି ଯୋଗୁଁ ବିଦ୍ୟୁତ୍‌‌ ପୁନଃ ସଂଯୋଗ କେତେବେଳେ ହେବ ତାର କୌଣସି ସଠିକ ସୂଚନା ମିଳିନଥାଏ। ପ୍ରତିବର୍ଷ ୩୩ କେଭି, ୧୧ କେଭି, ୧୩୨ କେଭି ଏବଂ ଗ୍ରୀଡ ମରାମତି ନାଁରେ ଅଧିକାଂଶ ଦିନ ୧୦ରୁ ୧୨ ଘଣ୍ଟା ଯାଏ ବିଦ୍ୟୁତ୍‌‌ ସେବା ବିଚ୍ଛିନ୍ନ କରାଯାଇଥାଏ। ତେବେ କେଉଁ କାରଣରୁ ବାରମ୍ବାର ୩୩ କେଭି ବିଦ୍ୟୁତ୍‌‌ ବିଭ୍ରାଟ ଦେଖାଦେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହିଭଳି ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏ ଲୋକେ ବାହାରକୁ ବାହାରିବା ପାଇଁ ସୁରକ୍ଷିତ ମଣୁ ନାହାଁନ୍ତି। ଯେଉଁଥିପାଇଁ ଦୋକାନ ବଜାର ଖାଁ ଖାଁ। ସତେ ଯେମିତି ଅଦିନିଆ କର୍ଫ୍ୟୁ ଲାଗି ରହିଛି। ଏଭଳି ସ୍ଥିତିରେ ଲୋକେ ପଙ୍ଖା, କୁଲର ଆବଶ୍ୟକ କରୁଥିବା ବେଳେ ବିଦ୍ୟୁତ୍‌‌ ଗୋଲ ଯୋଗୁଁ ଦୟନୀୟ ଅବସ୍ଥା ସୃଷ୍ଟି ହେଉଛି। ବର୍ତମାନି ସ୍ଥିତିରେ ଜଳସ୍ତର ନିମ୍ନଗାମୀ ଯୋଗୁଁ ଶୁଖି ସାରିଛି କୂଅ ଓ ପୋଖରୀ। ଅନେକ ନଳକୂଅ ଅଚଳ। ଗଭୀର ନଳକୂଅ ଶୋଷୁଛି ପାଣି, ଶୁଖି ସାରିଛି ନଦୀ, ନାଳ ଓ ଝରଣା ଭଳି ପ୍ରାକୃତିକ ଜଳଉତ୍ସ। ବର୍ତମାନଠାରୁ ପ୍ରାକୃତିକ ଜଳ ଉତ୍ସଗୁଡିକୁ ସୁରକ୍ଷା ଦିଆନଗଲେ ଆଗାମୀ ଦିନରେ ଜଳକଷ୍ଟ ବହୁଗୁଣା ବୃଦ୍ଧି ପାଇବ। ଏହାସହ ଜଳ ଧାରଣା କ୍ଷମତା ଥିବା ଆମ୍ବ, ପଣସ ଭଳି ଗଛ ବ୍ୟତୀତ ବ୍ୟବସାୟିକ ନୀଳଗିରୀ ଗଛର ବୃଦ୍ଧି ଯୋଗୁଁ ଜଳସ୍ତର ଚିନ୍ତାଜନକ ସ୍ଥିତିରେ ପହଞ୍ଚି ସାରିଛି। ତେଣୁ ସରକାର ଓ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ନୀଳଗିରୀ ଗଛ ପ୍ରତି ପ୍ରତିବନ୍ଧକ ଲଗାଇବାର ସମୟ ଆସିଛି।

ଅନ୍ୟପଟେ ପୋଡୁଚାଷ ପାଇଁ ଜଙ୍ଗଲ ପୋଡି, ଜାଳେଣୀ ସଂଗ୍ରହ ବେଳେ ଜଙ୍ଗଲ ପୋଡି ଏବଂ ମହୁଲଫୁଲ ଗୋଟାଇବା ନାଁରେ ଜଙ୍ଗଲ ପୋଡି ଯୋଗୁଁ ଜଙ୍ଗଲ ସଂପଦ ନଷ୍ଟ ହୋଇସାରିଛି। ଏବେ ବକ୍ସାଇଟ ଖନନ ପାଇଁ ଜଙ୍ଗଲ ସମ୍ପଦ ନଷ୍ଟ ହେଉଥିବାରୁ ଆଗାମୀ ଦିନରେ ଏହାର ପ୍ରଭାବ ଜନ ଜୀବନ ଉପରେ ପ୍ରଭାବିତ ହେବ। ବର୍ତମାନ ଅନେକ ଜଙ୍ଗଲି ଜନ୍ତୁ ନିଖୋଜ ହୋଇ ସାରିଲେଣି। ଜଳବାୟୁ ପରିବର୍ତନ ଯୋଗୁଁ ଆହୁରି ଅନେକ ଜୀବ ଜନ୍ତୁ ସତ୍ତା ହରାଇବେ। ବିଶେଷକରି ବିକାଶ ନାଁରେ ଖଣି ଖନନ ଆଗାମୀ ପୀଢିକୁ ବିନାଶ ଦିଗକୁ ଟାଣି ନେଉଛି। ବଫଲାମାଳି ଖଣି ଖନନ ଏବଂ ନୀଳଗିରୀ ଗଛର ବୃଦ୍ଧି ଯୋଗୁଁ କଳାହାଣ୍ଡିର ଚେରାପୁଞ୍ଜି କୁହାଯାଉଥିବା ଥୁଆମୁଳ ରାମପୁର ଏବେ ମରୁ ଅଞ୍ଚଳ ପାଲଟିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ପ୍ରଭାବିତ ହେବ କଳାହାଣ୍ଡି ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଇନ୍ଦ୍ରାବତୀ ବହୁମୁଖୀ ଯୋଜନା। ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ବଫଳାମାଳି ଖଣି ଖନନର ବର୍ଜ୍ୟ ତଥା ବିଷାକ୍ତ ପଦାର୍ଥ ଦ୍ୱାରା ପୋତି ହେବା ସହ ବିଷମୟ ହେଉଛି ଜଳ ଭଣ୍ଡାରର ପାଣି। ଅତୀତରେ ଜଳ ଭଣ୍ଡାର ମଧ୍ୟରେ ଅନେକ ମାଛ ମରିପଡ଼ିବା ଏବଂ ଖଣିର ପାଦ ଦେଶରେ ଥିବା ଜନ ବସତିର ଗାଈ ଗୋରୁ, ଛେଳି ମେଣ୍ଢା ଆଦି ମୃତ୍ୟୁବରଣ କରିବା ତାର ଏକ ଜ୍ୱଳନ୍ତ ଉଦାହରଣ। ତେଣୁ ବେଳ ଥାଉ ଥାଉ ବନ୍ଧ ବାନ୍ଧିବାର ଆବଶ୍ୟକତା ରହିଛି।

Comments are closed.