www.samajalive.in
Saturday, December 6, 2025
16.1 C
Bhubaneswar

ସହରର ନାମ ପରିବର୍ତ୍ତନ

ଗୋଟେ ସହର ବା ସ୍ଥାନକୁ ଜାଣିବା, ଚିହ୍ନିବା ପାଇଁ ତା’ର ନାଁର ଆବଶ୍ୟକତା ପଡ଼େ; କିନ୍ତୁ ସେ ସ୍ଥାନ, ସହରର ବିଶେଷତ୍ବ ହିଁ ତାହାର ପରିଚୟକୁ ସ୍ଥାୟୀ କରିଥାଏ। ଆମ ଦେଶରେ ଏମିତି ଅନେକ ପ୍ରାଚୀନ ଓ ଐତିହାସିକ ସହର ରହିଛି ଯାହା କାଳର ବିଭିନ୍ନ ଖଣ୍ଡରେ ଭିନ୍ନଭିନ୍ନ ନାମ ଓ ପରିଚୟ ବହନ କରିଛି। ସ୍ଥାନ ବା ସହରର ନାମକରଣ ସହିତ ଶାସିତଙ୍କ ଅପେକ୍ଷା ଶାସକର ଭୂମିକା ଅଧିକ। ତେଣୁ ବିଭିନ୍ନ ସମୟରେ ଭାରତରେ ଶାସନ କରିଥିବା ବିଭିନ୍ନ ଶାସକ ନିଜର ସୁବିଧା ଅନୁସାରେ ବିଭିନ୍ନ ସହରର ନାମକରଣ କରିଆସିଛନ୍ତି।
ଦକ୍ଷିଣ ଓ ପଶ୍ଚିମ ଭାରତର ଅନେକ ପ୍ରତିଷ୍ଠିତ ସହରର ନାମ କେବେଠୁ ବଦଳାଯାଇ ସାରିଲାଣି। ଚେନ୍ନଇଠାରୁ ଆରମ୍ଭକରି ତିରୁଅନନ୍ତପୁରମ୍‌, ବେଙ୍ଗାଲୁରୁ, ମେଙ୍ଗାଲୁରୁ, ପୁଣେ, ମୁମ୍ବଇ, ବଡ଼ୋଦରା ଆଦି ବହୁ ସହରର ପୁରୁଣାନାମ ଏବେ ଇତିହାସ। ବାରାଣସୀ, କଲକାତା, ବିଶାଖାପାଟଣା ଆଦି ସହରର ପୁରୁଣା ନାଁ ଆଉ ଲୋକଙ୍କ ସ୍ମରଣରେ ନାହିଁ କହିଲେ ଚଳେ। ଏହି ପୁନଃ ନାମକରଣ ଓ ନାମ ସଂଶୋଧନ ପଛରେ ଅବଶ୍ୟ କେତେକ ଯୁକ୍ତି ରହିଛି। ବିଦେଶୀମାନଙ୍କ ସମୟର କେତେକ ନାମକରଣ ଓ ତ୍ରୁଟିପୂର୍ଣ୍ଣ ଉଚ୍ଚାରଣକୁ ବଦଳାଇ ଏହାକୁ ଭାରତୀୟ ନାମଦେବା ପଛରେ ଜାତୀୟ ଅସ୍ମିତା ଓ ସାଂସ୍କୃତିକ ଚେତନାବୋଧ ମୁଖ୍ୟତଃ କାର୍ଯ୍ୟ କରୁଛି। ଏହା ସହିତ ରାଜନୀତି ଯୋଡ଼ିହୋଇ ପ୍ରସଙ୍ଗ ଅଧିକ ଜୋରଦାର୍‌ ହେଉଛି। ଏବେ ଉତ୍ତରପ୍ରଦେଶ ସରକାର ଫୈଜାବାଦର ନାମ ବଦଳାଇ ଅଯୋଧ୍ୟା କରିଛନ୍ତି ଏବଂ ଆହ୍ଲାବାଦ ‘ମହାପ୍ରୟାଗ’ ନାମରେ ନାମିତ ହୋଇଛି। ରାଜ୍ୟର ଆଉ କେତେକ ପ୍ରମୁଖ ସହରର ନାମ ପରିବର୍ତ୍ତନର ମସୁଧା ମଧ୍ୟ ଚାଲିଛି। ସେହିଭଳି ସିମଳା, ଅହମଦାବାଦର ନାମ ଯଥାକ୍ରମେ ଶ୍ୟାମଳୀ ଓ ବର୍ଣ୍ଣାବଳୀ ରଖିବାକୁ ସଂପୃକ୍ତ ରାଜ୍ୟ ସରକାର ଆପାତତଃ ନିଷ୍ପତ୍ତି ନେଇଥିବାବେଳେ ମହାରାଷ୍ଟ୍ରର ଅଉରଙ୍ଗାବାଦ ଓ ଓସମାନାବାଦ୍‌ ସହରର ନାମ ପରିବର୍ତ୍ତନକରି ଶିବାଜି ଓ ଶମ୍ଭୁଜିଙ୍କ ନାମରେ ନାମିତ କରିବାକୁ ଦାବି ଉଠିଲାଣି। ଏହି ନାମ ପରିବର୍ତ୍ତନ ପଛରେ ଦକ୍ଷିଣପନ୍ଥୀ ଓ ଆଞ୍ଚଳିକ ଦଳମାନଙ୍କର ସାଂସ୍କୃତିକ ପରିଷ୍କରଣ ବିଚାର ବିଶେଷଭାବେ କାର୍ଯ୍ୟକରୁଛି।
ଆହ୍ଲାବାଦ ଭଳି ଯେଉଁସବୁ ଭାରତୀୟ ସହର ମୋଗଲ ଓ ମୁସଲମାନ ଶାସନକାଳର ନାମ ବହନକରି ନିଜର ପ୍ରାଚୀନ ନାମକୁ ହରାଇଛି ତା’ଉପରେ ଏବେ ପରିବର୍ତ୍ତନକାରୀଙ୍କ ଗୁରୁତ୍ବ ଅଧିକ। ଏହା ବିରୋଧରେ ଯେଉଁ ସ୍ବର ଉଠୁଛି ତାହା ବିଶେଷ ଫଳପ୍ରଦ ମନେ ହେଉନାହିଁ। କାରଣ ଏହା ପଛରେ ଯଥେଷ୍ଟ ଜନସମର୍ଥନ ନାହିଁ। ଦ୍ବିତୀୟତଃ ଭୋଟ ରାଜନୀତିରେ ବିଶ୍ବାସୀ ରାଜନୈତିକ ଦଳମାନେ ନାମ ପରିବର୍ତ୍ତନ ପ୍ରୟାସର ବିରୋଧ କରିବାକୁ ଅନାଗ୍ରହୀ। ତେଣୁ, କେବଳ ମୁସଲମାନ ବା ମୋଗଲ ନୁହନ୍ତି, ବ୍ରିଟିଶ ଶାସକଙ୍କ ଦ୍ବାରା ହୋଇଥିବା ଦେଶର ପ୍ରାଚୀନ ସହରଗୁଡ଼ିକର ନାମ କାଳକ୍ରମେ ବଦଳିବା ପ୍ରାୟ ନିଶ୍ଚିତ। ସମୟ ଆସିବ ଦେଶର ଦୁଇ ସ୍ବୀକୃତିପ୍ରାପ୍ତ ନାମ ମଧ୍ୟରୁ ‘ଇଣ୍ଡିଆ’ର ଅବସାନ ଘଟି କେବଳ ଭାରତ ଭାବେ ଏକକ ପରିଚୟ ରହିବ। ମଣିଷ ଯାହା କରିଛି, ଅନ୍ୟମାନେ ତାହା କରିବେ। ଏ ପରିବର୍ତ୍ତନ ଧାରାକୁ ଅଟକାଇବା ସହଜ ନୁହେଁ।
ଏହା ଯଦି ହେଲା ଏଥିରେ ଅସୁବିଧା କ’ଣ? ଆମେ ତ ଆଗରୁ କହିଛୁ ଶାସକର ଇଚ୍ଛାମତେ ସ୍ଥାନର ନାଁ ବଦଳେ। ହେଲେ ନାଁରେ ଅଛି କ’ଣ? ପ୍ରକୃତରେ ଗୋଟେ ନାଁରେ ଅନେକ କିଛି ରହିଛି- ସଂସ୍କୃତି, ସଭ୍ୟତା, ଇତିହାସ, ଭୂଗୋଳ, ଦର୍ଶନ, ଐତିହ୍ୟ, ପରମ୍ପରା, ଧାର୍ମିକ ମାହାତ୍ମ୍ୟ ଓ ଆହୁରି ଅନେକ। ଆମର ବିଶ୍ବାସ ଗୋଟିଏ ସ୍ଥାନ ଓ ସହରର ବିଶେଷତ୍ବ ହିଁ ତାକୁ ସ୍ମରଣୀୟ କରିବ, ନାମ ପରିବର୍ତ୍ତନ କେବଳ ଏକ ପ୍ରାଶାସନିକ ସାଇନବୋର୍ଡ଼ ଭାବେ ଝୁଲିବ ଇତିହାସର କାନ୍ଥରେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories