ଓଡ଼ିଶାର ପୁନଃଗଠନ ପାଇଁ ଯୁବ ସମାଜ ଆଗେଇ ଆସିବାକୁ ଆହ୍ୱାନ
ଉତ୍ତରଭୁବନେଶ୍ୱର : ଓଡ଼ିଶା ପୁନଃଗଠନ କ୍ଷେତ୍ରରେ ଏବେ ନେତୃତ୍ୱ ତିଆରି କରିବାର ସମୟ ଆସିଛି । ବିନା ନେତୃତ୍ୱରେ ଏହା ସମ୍ଭବ ନୁହେଁ । ଗାନ୍ଧିଜୀଙ୍କ ଛୋଟ ଛୋଟ କାର୍ଯ୍ୟ ଦିନେ ବିରାଟ ଆକାରର ରୂପ ନେଇଥିଲା ଲବଣ ସତ୍ୟାଗ୍ରହକୁ ଛୋଟ କାର୍ଯ୍ୟ ଭାବି କେହି ବିଶ୍ୱାସ କରୁନଥିବା ବେଳେ ତାହା ଦିନେ ସ୍ୱାଧୀନତା ଆନ୍ଦୋଳନର ଏକ ଅଂଶ ହୋଇଯାଇଥିଲା । ଆଜି ଆମର ଛୋଟ ଛୋଟ କାମକୁ କେହି ବିଶ୍ୱାସ କରୁନଥିଲେ ମଧ୍ୟ ଆଗାମୀ ଦିନରେ ଏହା ଏକ ବିରାଟ ଆନ୍ଦୋଳନର ରୂପ ନେବ ବୋଲି ଲୋକସେବକ ମଣ୍ଡଳର ଉପସଭାପତି ଦୀପକ ମାଲବ୍ୟ ମତପୋଷଣ କରିଛନ୍ତି। ଓଡିଶା ପୁନଃ ନିର୍ମାଣ ଅଭିଯାନ ପକ୍ଷରୁ ସିୱାଇଏସଡି ସମ୍ମିଳନୀ କକ୍ଷରେ ଶନିବାର ଅପରାହ୍ଣରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମାଲବ୍ୟ କହିଥିଲେ ଯେ ଦକ୍ଷତା ତିଆରି ହେବା କ୍ଷେତ୍ରରେ ଗଣମାଧ୍ୟମର ସହଯୋଗ ନିହାତି ଆବଶ୍ୟକ । ସାଧୁ ସନ୍ଥଙ୍କ ତ୍ୟାଗ ଓ ତପସ୍ୟା କେବେ ବ୍ୟର୍ଥ ଯାଏନି। ଯୁବ ବର୍ଗ ନିଜର ଦକ୍ଷତାକୁ ନେଇ କାର୍ଯ୍ୟ କଲେ କେହିନା କେହି ସହଯୋଗର ହାତ ବଢାଇବେ ଏଥିରେ ସନ୍ଦେହ ନାହିଁ। ତେଣୁ ସର୍ବଦା ଶିକ୍ଷା ଓ ସ୍ୱାସ୍ଥ୍ୟ ଦିଗକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ। ଏଭଳି କାର୍ଯ୍ୟରେ ସେ ନିଜେ ସବୁପ୍ରକାର ସହଯୋଗ କରିବେ ବୋଲି ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ନିର୍ବାଚନ ଆୟେଗ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ଅଧ୍ୟକ୍ଷତା କରିଥିବା ବେଳେ ସିୱାଇଏସ୍ଡିର ସହପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସାହୁ, ପିପୁଲ୍ସ ଫୋରମର ପ୍ରତିଷ୍ଠାତା ଗୋବିନ୍ଦ ପଟ୍ଟନାୟକ, ପୂର୍ବତନ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ମାନସ ରଞ୍ଜନ ଦାସ, ନିହାର ରଞ୍ଜନ ଦାସ ପଟ୍ଟନାୟକ, ରାମଦେବୀ ସଂଯୋଜକ ସୁଶାନ୍ତ କୁମାର ପଟ୍ଟନାୟକ, ସ୍କାଉଟ ଗାଇଡ୍ସର ପ୍ରଶିକ୍ଷଣ ଆୟୁକ୍ତ ସୁରଜିତ ସେନ, ଶ୍ରୀ ସୋମ, ସ୍ୱର୍ଣ୍ଣଲତା ଜେନା, ବିଷ୍ଣୁ ପଣ୍ଡା, ଅମ୍ରିତା ସାବତ, ଡ. ସ୍ୱାତୀ, ଅରୂପା ଗୌଡ, ରାଣୀ ମହାରଣା, ପୂଜା ଡାକୁଆ, ତୁଳସୀ ରାମଜଗତ ପ୍ରମୁଖ ଯୋଗ ଦେଇ ସ୍ୱଚ୍ଛତା, ସ୍ୱାବଲମ୍ବନ, ସଦ୍ଭାବନା ଓ ଆଦର୍ଶ ଗାଁ ସମ୍ପର୍କରେ ନିଜ ନିଜର ସଫଳତାର କଥା କହିଥିଲେ । ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ ସଂଯୋଜନା କରି କହିଥିଲେ ଯେ ଆସନ୍ତା କିଛି ବର୍ଷରେ ଓଡିଶା ୧୦୦ ବର୍ଷରେ ପହଞ୍ଚିବ । ୧୦୦ ବର୍ଷରେ ଓଡ଼ିଶାର ଚିତ୍ର ଏଭଳି ହେବା ଦରକାର ଯେମିତି ଏକ ସବୁଜ, ସ୍ୱଚ୍ଛ, ସ୍ୱାବଲମ୍ବ ଓଡ଼ିଶାର ପ୍ରତିଛବି ସମସ୍ତେ ଅନୁଭବ କରିପାରିବେ। ଏହି କାର୍ଯ୍ୟକ୍ରମକୁ ଲକ୍ଷ୍ମୀ ପଣ୍ଡା, ରାକେଶ ଚୌଧୁରୀ, କାଳୀଚରଣ ଏବଂ ରାକେଶ ବଳ ପ୍ରମୁଖ ପରିଚାଳନା କରିଥିଲେ ।
Comments are closed.