www.samajalive.in
Wednesday, December 10, 2025
16.1 C
Bhubaneswar

ହରିଦ୍ୱାରରେ ପହଞ୍ଚିଲେ ବଦ୍ରିନାଥରେ ଫସିଥିବା ତୀର୍ଥଯାତ୍ରୀ

ଭୋଗରାଇ : ହରିଦ୍ୱାରସ୍ଥିତ ବରଫାବୃତ୍ତ ଅଞ୍ଚଳରେ ଫସି ରହିଥିବା ତୀର୍ଥ ଯାତ୍ରୀ ସୋମବାର ଦ୍ୱିପ୍ରହରରେ ହରିଦ୍ୱାର ପହଞ୍ଚି ସାରିଥିବା ସୂଚନା ମିଳିଛି। ସମସ୍ତଙ୍କୁ ସୁରକ୍ଷିତଭାବେ ଭୋଗରାଇସ୍ଥିତ ନିଜ ନିଜ ଘରକୁ ଫେରାଇ ଆଣିବାକୁ ସମସ୍ତ ବ୍ୟବସ୍ଥା ହୋଇଛି ବୋଲି ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ; ଭୋଗରାଇ ବ୍ଲକର କମର୍ଦ୍ଦା ଛକରୁ ଅକ୍ଟୋବର ୧୯ତାରିଖ (ଦଶହରା) ସନ୍ଧ୍ୟାରେ ସମୁଦାୟ ୫୫ଜଣ ତୀର୍ଥ ଯାତ୍ରୀଙ୍କୁ ନେଇ ଏକ ବସ ଉତ୍ତର ଭାରତ ଯାଇଥିଲା। ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ପରେ ଶେଷରେ ହରିଦ୍ୱାର ପହଞ୍ଚିଥିଲା। ୪ଦିନ ପୂବେରୁ ଯାତ୍ରୀମାନେ ବଦ୍ରିନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ୫୫ଜଣଙ୍କ ମଧ୍ୟରୁ ୩୩ଜଣ ତୀର୍ଥ ଯାତ୍ରୀ ଉପରକୁ ଯାଇଥିଲେ। ମାତ୍ର ରାସ୍ତାରେ ପ୍ରବଳ ତୁଷାରପାତ ଆରମ୍ଭ ହୋଇଥିଲା। ଏତେ ମାତ୍ରାରେ ବରଫ ପଡିଥିଲା ଯେ ବସର ଚକ ଫସିଯାଇ ଗାଡି ଆଗକୁ ଗଡ଼ିବା ସମ୍ଭବ ହୋଇ ନ ଥିଲା। ଫଳରେ ଯାତ୍ରୀମାନେ ଅଧା ରାସ୍ତାରେ ବହୁ ସମୟ ପର୍ଯ୍ୟନ୍ତ ହନ୍ତସନ୍ତ ହୋଇଥିଲେ। ଜୀବନ ନେଇ ଘରକୁ ଫେରିବାର ଆଶା କ୍ଷୀଣ ହୋଇଯାଉଥିବା ସମୟରେ ଉତ୍ତରାଖଣ୍ଡର ଆର୍ମି ୟୁନିଟ ସେଠାରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆର୍ମି ୟୁନିଟ ବରଫରେ ଚାଲିବା ପାଇଁ ଆବଶ୍ୟକ ଜୋତା ପିନ୍ଧିଥିବା ବେଳେ ଯାତ୍ରୀମାନେ ପ୍ରାୟ ୪କିମି ପର୍ଯ୍ୟନ୍ତ ଖାଲି ପାଦରେ ବରଫରେ ଚାଲିଥିଲେ। ବହୁ କଷ୍ଟ ପରେ ଶେଷରେ ଏକ ଆର୍ମି କ୍ୟାମ୍ପରେ ଯାତ୍ରୀମାନେ ପହଞ୍ଚିବାରେ ସଫଳ ହୋଇଥିଲେ। ସେଠାରେ ସମସ୍ତଙ୍କୁ ନିଆଁ ସେକ ଦିଆଯାଇଥିଲା। ପ୍ରତ୍ୟେକଙ୍କୁ ୨ଟି କରି କମ୍ବଳ ଦେବା ସହ ସମସ୍ତଙ୍କ ଭୋଜନ ବ୍ୟବସ୍ଥା କରାଯାଇଥିବା ଯାତ୍ରୀମାନେ ସୂଚନା ଦେଇଛନ୍ତି। ତେବେ ବରଫାବୃତ୍ତ ଅଞ୍ଚଳରେ ଯାତ୍ରୀମାନେ ଫସିଯାଇଥିବା ଦିନ ସକାଳ ଠାରୁ ରାତି ୯ଟା ପର୍ଯ୍ୟନ୍ତ କାହାର ଫୋନ ଲାଗି ନ ଥିଲା। ଫଳରେ ସମସ୍ତଙ୍କ ପରିବାରରେ ବ୍ୟସ୍ତତା ବଢ଼ିବା ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ ସୋମବାର ମଧ୍ୟାହ୍ନରେ ତୀର୍ଥ ଯାତ୍ରୀମାନେ ହରିଦ୍ୱାରରେ ପହଞ୍ଚିଛନ୍ତି ଏବଂ ସମସ୍ତଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଅଣାଯିବାର ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ସେ କହିଛନ୍ତି ଯେ ଖବର ପାଇବା ପରେ ଆମେ ଉତ୍ତରାଖଣ୍ଡ ସରକାର ଏବଂ ତାଙ୍କ କମିଶନରଙ୍କ ସହିତ ଯୋଗାଯୋଗ କରିଥିଲୁ। ତୀର୍ଥ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ଆମ ସରକାର ଅନୁରୋଧ କରିଥିଲେ ବୋଲି ଶ୍ରୀ ଦାସ ଜଣାଇଛନ୍ତି। ଯାତ୍ରୀମାନେ ସୁରକ୍ଷିତ ଭାବେ ହରିଦ୍ୱାର ପହଞ୍ଚିବା ଖବର ପାଇବା ପରେ ପରିବାର ଲୋକଙ୍କୁ ଆଶ୍ୱସ୍ତି ମିଳିଛି।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories