ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାତୀୟ ପ୍ରସଙ୍ଗ ନୁହେଁ : ପୱାର
ନାସିକ : ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କେତେକ ରାଜନୈତିକ ଦଳ ତରଫରୁ ପ୍ରଶ୍ନ ଉଠାଯାଇଥିବା ବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ନ୍ୟାସନାଲିଷ୍ଟ କଂଗ୍ରେସ ଦଳର ମୁଖ୍ୟ ଶରଦ ପୱାର। ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାତୀୟ ପ୍ରସଙ୍ଗ ହୋଇନଥିବାରୁ ଏଥିପ୍ରତି ଅଧିକ ଗୁରୁତ୍ବ ଦିଆଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ପୱାର ସ୍ପଷ୍ଟ କରି ଦେଇଛନ୍ତି। ଦେଶରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଥିବାରୁ ଏଥିପ୍ରତି ଧ୍ୟାନ ଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ପୱାର କହିଥିଲେ ବେକାରୀ ସମସ୍ୟା, ଦରଦାମ୍ ବୃଦ୍ଧି, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜନୈତିକ ଦଳମାନେ ସ୍ବର ଉତ୍ତୋଳନ କରିବା ଆବଶ୍ୟକ। କାହାର ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ଏତେଟା ଗୁରୁତ୍ବପୂର୍ଣ୍ଣ ନୁହେଁ। ସୂଚନାଥାଉ କି ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ୍ ବାରମ୍ବାର ପ୍ରଶ୍ନ ଉଠାଇ ଆସୁଛନ୍ତି। ଉଲ୍ଲେଖଥାଉ କି ଆଦାନି ଗୋଷ୍ଠୀର ଅର୍ଥ କାରବାରକୁ ନେଇ ବିରୋଧୀ ଦଳମାେନ ଏହାର ତଦନ୍ତ ପାଇଁ ଯୁଗ୍ମ ସଂସଦୀୟ କମିଟି ଗଠନ ପାଇଁ ଦାବି କରୁଥିବା ବେଳେ ଯୁଗ୍ମ ସଂସଦୀୟ କମିଟି ଗଠନ ଦ୍ବାରା ବିଶେଷ ଲାଭ ମିଳିବ ନାହିଁ ବୋଲି ପୱାର କହିଥିଲେ। ଏହାକୁ ନେଇ ବିରୋଧୀ ଦଳଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା।
Comments are closed.