ଶେଷ ୫ ବଲ୍‌ରେ ରିଙ୍କୁଙ୍କ ୫ ଛକା

ରସିଦ୍‌ଙ୍କ ହ୍ୟାଟ୍ରିକ୍‌ ନିଷ୍ଫଳ ; ଗୁଜରାଟ ବିପକ୍ଷରେ କଲକାତାର ଅବିଶ୍ବସନୀୟ ବିଜୟ

ଅହମଦାବାଦ : ଚଳିତ ଆଇପିଏଲ୍‌ରେ ଅଦ୍ୟାବଧି ସବୁଠାରୁ ରୋମାଞ୍ଚକର ତଥା ଅବିଶ୍ବସନୀୟ ମ୍ୟାଚ୍‌ ରବିବାର ଦେଖିବାକୁ ମିଳିଛି। ଗତବର୍ଷର ଚମ୍ପିଆନ ଗୁଜରାଟ ଟାଇଟାନ୍‌ସ ବିପକ୍ଷରେ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୨୦୫ ରନ୍‌ର ପିଛା କରିଥିଲା। ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ଭେଙ୍କଟେଶ ଆୟର ଓ ଅଧିନାୟକ ନୀତୀଶ ରାଣା ୯.୧ ଓଭରରେ ୧୦୦ ରନ୍‌ ଯୋଗକରି ଦଳକୁ ବିଜୟ ଆଶା ଦେଇଥିଲେ। ହେଲେ ଆଲ୍‌ଜାରି ଜୋସେଫ୍‌ ଉଭୟଙ୍କୁ ଆଉଟ୍‌ କରି ଦେଇଥିଲେ। ପରେ ଗୁଜରାଟ ଅଧିନାୟକ ରସିଦ୍‌ ଖାଁ ହ୍ୟାଟ୍ରିକ୍‌ ନେବା ପରେ ମ୍ୟାଚ୍‌ର ଫଇସଲା ହେବା ପରି ଲାଗୁଥିଲା। ଜିତିବା ପାଇଁ କେକେଆର୍‌ ୮ ବଲ୍‌ରୁ ୩୯ ରନ୍‌ ଆବଶ୍ୟକ କରୁଥିବା ବେଳେ ରିଙ୍କୁ ସିଂହ ଅବିଶ୍ବସନୀୟ ବ୍ୟାଟିଂ କରିଥିଲେ। ୧୯ଶ ଓଭରର ଶେଷ ୨ଟି ବଲ୍‌ରୁ ରିଙ୍କୁ ଛକା ଓ ଚୌକା ମାରିବା ପରେ ଶେଷ ଓଭରରୁ ୨୯ ରନ୍‌ ଦରକାର ଥିଲା। ୟଶ୍‌ ଦୟାଲ୍‌ ବୋଲିଂ କରିଥିବା ଶେଷ ଓଭରର ପ୍ରଥମ ବଲ୍‌ରୁ ଉମେଶ ଯାଦବ ସିଙ୍ଗଲ୍‌ ନେଇ ରିଙ୍କୁଙ୍କୁ ଷ୍ଟ୍ରାଇକ୍‌ ଦେଇଥିଲେ। ଶେଷ ୫ଟି ବଲ୍‌ରେ ଯାହା ଘଟିଲା; ତାହାକୁ କେବଳ ଚମତ୍କାର କହିହେବ। ଏହି ୫ଟି ବଲ୍‌ରୁ ରିଙ୍କୁ ୬, ୬, ୬, ୬, ୬ ମାରି କେକେଆର୍‌କୁ ଏପରି ବିଜୟ ଦେଇଥିଲେ; ଯାହା ସବୁଦିନ ପାଇ ମନେରହିବ। ପ୍ରଥମ ମ୍ୟାଚ୍‌ ହାରିଥିବା କେକେଆର୍‌ ୩ ୱିକେଟରେ ଜିତି କ୍ରମାଗତ ୨ୟ ବିଜୟ ହାସଲ କରିଛି। ଗୁଜରାଟ ଟାଇଟାନ୍‌ସ ୩ୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ଭୋଗିଛି।
ବିଜୟ ଶଙ୍କର ଓ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଗୁଜରାଟ ଟାଇଟାନ୍‌ସ ୪ ୱିକେଟରେ ୨୦୪ ରନ୍‌ କରିଥିଲା। ପରେ ଭେଙ୍କଟେଶ ଆୟର ଓ ଅଧିନାୟକ ନୀତୀଶ ରାଣାଙ୍କ ଲଢ଼ୁଆ ଇନିଂସ ପରେ ରିଙ୍କୁ ସିଂହ ଖେଳିଥିବା ଶେଷ ୭ଟି ବଲ୍‌ରୁ ୪୦ ରନ୍‌ କରିବା ଫଳରେ ଶେଷ ବଲ୍‌ରେ ୭ ୱିକେଟ ହରାଇ କେକେଆର୍ ଜିତିଥିଲା। ୨୦୫ ରନ୍‌ ଲକ୍ଷ୍ୟରେ କଲକାତା ନାଇଟ୍‌ ରାଇଡର୍ସ ୪ର୍ଥ ଓଭରରେ ୨୮ ରନ୍‌ ସ୍କୋର୍‌ରେ ଦୁଇ ଓପ୍‌ନର ରହମନୁଲ୍ଲା ଗୁରବାଜ (୧୫) ଓ ଏନ୍‌. ଜଗଦ୍ଦୀଶନ୍‌ (୬) ଆଉଟ୍‌ ହୋଇ ଯାଇଥିଲେ। ସୁୟାଶ ଶର୍ମାଙ୍କ ସ୍ଥାନରେ ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ଭେଙ୍କଟେଶ ଆୟର ଓ ଅଧିନାୟକ ନୀତୀଶ ରାଣା ୩ୟ ୱିକେଟ ପାଇଁ ୫୫ ବଲ୍‌ରୁ ୧୦୦ ରନ୍‌ ଯୋଡ଼ି ଦଳକୁ ବିଜୟ ଆଶା ଦେଇଥିଲେ। ବିଶେଷକରି ଭେଙ୍କଟେଶ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ନୀତୀଶ ରାଣା ୨୯ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୪୫ ରନ୍‌ କରିଥିଲେ। ଅଢ଼େଇ ଓଭର ପରେ ଭେଙ୍କଟେଶ ମଧ୍ୟ ଆଉଟ୍‌ ହୋଇଥିଲେ। ମଧ୍ୟପ୍ରଦେଶର ଭେଙ୍କଟେଶ ବିସ୍ଫୋରକ ଇନିଂସ ଖେଳି ୪୦ ବଲ୍‌ରୁ ୫ଟି ଛକା ଓ ୮ଟି ଚୌକା ସହ ୮୩ ରନ୍‌ କରିଥିଲେ। ପରବର୍ତ୍ତୀ ଓଭର​‌େ​‌ର ରସିଦ୍‌ ଖାଁ ହ୍ୟାଟ୍ରିକ୍ ନେଇ ଗୁଜରାଟକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ବ ନେଇଥିବା ରସିଦ୍ ୧୭ଶ ଓଭରର ପ୍ରଥମ ୩ଟି ବଲ୍‌ରେ ଆ​‌େ​‌ନ୍ଦ୍ର ରସେଲ (୧), ସୁନୀଲ ନାରାୟଣ (୦) ଓ ସାର୍ଦୁଲ ଠାକୁର (୦)ଙ୍କୁ ଆଉଟ୍‌ କରି ଦେଇଥିଲେ। ଏକମାତ୍ର ବ୍ୟାଟ୍‌ସମ୍ୟାନ ରିଙ୍କୁ ସିଂହ କ୍ରିଜ୍‌ରେ ଥିଲେ। ପରବର୍ତ୍ତୀ ୧୩ ବଲ୍‌ରୁ ମାତ୍ର ୧୧ ରନ୍‌ ହୋଇଥିଲା। ଫଳରେ ଶେଷ ୮ ବଲ୍‌ରୁ ୩୯ ରନ୍‌ ଆବଶ୍ୟକ ଥିଲା। ୧୯ଶ ଓଭରର ଶେଷ ୨ଟି ବଲ୍‌ରୁ ଉତ୍ତର ପ୍ରଦେଶର ରିଙ୍କୁ ସିଂହ ୧୦ ରନ୍‌ ନେଇଥିଲେ। ଶେଷ ଓଭରରୁ ୨୯ ରନ୍‌ ମଧ୍ୟ ଅସମ୍ଭବ ଲାଗୁଥିଲା। ପ୍ରଥମ ବଲ୍‌ରେ ୧ ରନ୍‌ ହେବା ପରେ ଜିତିବା ପାଇଁ ଶେଷ ୫ଟିଯାକ ବଲ୍‌ରୁ ବାଉଣ୍ଡରୀ (ଅତିକମ୍‌ରେ ୪ଟି ଛକା ଓ ଗୋଟିଏ ଚୌକା) ଆବଶ୍ୟକ ଥିଲା। ହେଲେ ରିଙ୍କୁ ଏହି ୫ଟିଯାକ ବଲ୍‌ରେ ଛକାମାରି ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ପୂର୍ବରୁ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ କୌଣସି ଦଳ ଶେଷ ଓଭରରେ ୩୧ ରନ୍‌ ମାରିନଥିଲା। ୨୦୨୫ରେ ବିଗ୍ ବାସ୍‌ ଲିଗ୍‌ରେ ସିଡ୍‌ନୀ ଥଣ୍ଡର ଏବଂ ୨୦୧୬ରେ ପୁଣେ ସୁପର ଜ୍ୟାଣ୍ଟ୍‌ସ ଶେଷ ଓଭରରେ ସର୍ବାଧିକ ୨୩ ରନ୍‌ ଲେଖାଏଁ କରିଥିଲେ। ୧୪ ବଲ୍‌ରୁ ୮ ରନ୍‌ କରିଥିବା ରିଙ୍କୁ ଶେଷ ୭ଟି ବଲ୍‌ରୁ ୬ଟି ଛକା ଓ ଗୋଟିଏ ଚୌକା ସହ ୪୦ ରନ୍‌ ନେଇଥିଲେ। ଏହି ବାମହାତି ୨୧ ବଲ୍‌ରୁ ୪୮ ରନ୍‌କରି ଅପରାଜିତ ଥିଲେ। ରସିଦ୍ ଖାଁ ୩ଟି ଓ ଆଲ୍‌ଜାରି ଜୋସେଫ୍‌ ୨ଟି ୱିକେଟ ପାଇଥିଲେ। ରିଙ୍କୁ ସିଂହ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଗୁଜରାଟ ଟାଇଟାନ୍‌ସ ଟସ୍ ଜିତି ବ୍ୟାଟିଂ ନେବା ପରେ ଏହାର ଓପ୍‌ନିଂ ଯୋଡ଼ି ୩୩ ରନ୍‌ କରିଥିଲା। ଋଦ୍ଧିମାନ ଶାହା ୧୭ ବଲ୍‌ରୁ ୩ଟି ଚୌକା ସହ ୧୭ ରନ୍‌ କରିଥିଲେ। ଶୁବ୍‌ମାନ ଗିଲ୍‌ ଓ ସାଇ ସୁଦର୍ଶନ ୬୭ ରନ୍‌ ଯୋଡ଼ିଥିଲେ। ଗିଲ୍‌ ୩୧ ବଲ୍‌ରୁ ୫ଟି ଚୌକା ସହ ୩୯ ରନ୍‌ କରିଥିଲେ। ଅଭିନବ ମନୋହର ୮ ବଲ୍‌ରୁ ୩ଟି ଚୌକା ସହ ୧୪ ରନ୍‌ କରିଥିଲେ। ସୁଦର୍ଶନ ଓ ବିଜୟ ଶଙ୍କର ୪ର୍ଥ ୱିକେଟ ପାଇଁ ୪ ଓଭରରେ ୩୫ ରନ୍‌ କରିଥିଲେ। ତାମିଲନାଡ଼ୁର ସୁଦର୍ଶନ ୩୮ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୫୩ ରନ୍‌ କରିଥିଲେ। ଶେଷଆଡ଼କୁ ତାମିଲନାଡ଼ୁର ଅନ୍ୟ ବ୍ୟାଟ୍‌ସମ୍ୟାନ୍ ବିଜୟ ଶଙ୍କର ବିସ୍ଫୋରକ ବ୍ୟାଟିଂ କରିବାରୁ ଗୁଜରାଟ ଟାଇଟାନ୍‌ସ ଶେଷ ୨ ଓଭରରୁ ୪୫ ରନ୍‌ ନେଇଥିଲା। ଶଙ୍କର ୨୪ ବଲ୍‌ରୁ ୫ଟି ଛକା ଓ ୪ଟି ଚୌକା ସହ ୬୩ ରନ୍‌କରି ଅପରାଜିତ ଥିଲେ। ସୁନୀଲ ନାରାୟଣ ୩ଟି ୱିକେଟ ନେଇଥିଲେ।

Comments are closed.