ଭାରତରେ ଅଛନ୍ତି ୩୧୬୭ ବାଘ

ପ୍ରଧାନମନ୍ତ୍ରୀଙ୍କ ସୂଚନା

ମହୀଶୂର : ଭାରତର ବିଭିନ୍ନ ଜଙ୍ଗଲରେ ୨୦୨୨ ସୁଦ୍ଧା ୩୧୬୭ଟି ବାଘ ରହିଥିବା ରବିବାର ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତରେ ବାଘଙ୍କ ସ୍ଥିତି ସମ୍ପର୍କିତ ୨୦୨୨ ରିପୋର୍ଟକୁ ଉନ୍ମୋଚନ କରି ମୋଦୀ ଦର୍ଶାଇଥିଲେ ୨୦୧୮ରେ ଦେଶରେ ୨୯୬୭ଟି ବାଘ ରହିଥିବା ବେଳେ ୨୦୨୨ରେ ବାଘ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି। ବ୍ୟାଘ୍ର ପ୍ରକଳ୍ପ ୫୦ ବର୍ଷ ପୂରଣ କରିଥିବା ବେଳେ ଦେଶରେ ବାଘ ସଂଖ୍ୟାରେ ବେଶ୍‌ ବୃଦ୍ଧି ଘଟିଥିବା ମୋଦୀ କହିଥିଲେ।
ଭାରତୀୟ ସଂସ୍କୃତି ଓ ପରିବାର ସୁରକ୍ଷା ପ୍ରତି ଭାରତୀୟଙ୍କ ସକାରାତ୍ମକ ମନୋଭାବ ଯୋଗୁଁ ବନ୍ୟଜନ୍ତୁଙ୍କ ସଂଖ୍ୟା ଆଶାନୁରୂପ ଭାବେ ବଢ଼ିଛି ବୋଲି ମୋଦୀ ସୂଚନା ଦେଇଥିଲେ। ବିଶ୍ବର ମୋଟ୍‌ ଭୂଭାଗର ୨.୪% ଭାରତରେ ରହିଥିବା ବେଳେ ବିଶ୍ବ ଜୈବ ବିବିଧତାର ୮% ଭାରତରେ ରହିଥିବା ସେ ଦର୍ଶାଇଥିଲେ। ବାଘଙ୍କ ବ୍ୟତୀତ ଭାତରରେ ହାତୀ ଓ ଏକଶିଙ୍ଘ ବିଶିଷ୍ଟ ଗଣ୍ଡାଙ୍କ ସଂଖ୍ୟା ବେଶ୍‌ ଅଧିକ ରହିଛି ବୋଲି ସେ କହିଥିଲେ। ସେହିପରି ୨୦୧୫ରେ ଭାରତରେ ୫୨୫ଟି ସିଂହ ରହିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୬୭୫ରେ ପହଞ୍ଚିଥିବା ସେ ସୂଚନା ଦେଇଥିଲେ।
କେନ୍ଦ୍ର ସରକାରଙ୍କ ନଦୀ ସଫେଇ ଅଭିଯାନ ସମ୍ପର୍କରେ ସୂଚନା ଦେଇ ମୋଦୀ କହିଥିଲେ ଗଙ୍ଗା ସହ ଅନ୍ୟାନ୍ୟ ନଦୀର ସଫେଇ କାର୍ଯ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ। ଗଙ୍ଗା ନଦୀର ସଫେଇ ଫଳରେ ଅନେକ ଲୁପ୍ତପ୍ରାୟ ଜଳଜୀବଙ୍କ ସଂଖ୍ୟାରେ ବେଶ୍‌ ଉନ୍ନତି ଆସିଛି। ଜନସାଧାରଣଙ୍କ ସହଯୋଗ ଓ ପରିବେଶ ସୁରକ୍ଷା ପ୍ରତି ସଚେତନତା ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ବ୍ୟାଘ୍ର ସଂରକ୍ଷଣ ଯୋଜନା ସମ୍ପର୍କରେ ମତ ଦେଇ ମୋଦୀ କହିଥିଲେ ଶତାଧିକ ବର୍ଷ ହେବ ମଧ୍ୟପ୍ରଦେଶ, ମହରାଷ୍ଟ୍ର ସମେତ ଦେଶର ଅନ୍ୟ ଭାଗରେ ବାଘଙ୍କୁ ଜନସାଧାରଣ ସୁରକ୍ଷା ପ୍ରଦାନ କରି ଆସୁଛନ୍ତି। କେତେକ ସମ୍ପ୍ରଦାୟ ବାଘକୁ ପୂଜା କରିବା ସହ ସେମାନଙ୍କୁ ନିଜ ପରିବାର ସଦସ୍ୟ ଭାବେ ପରିଗଣିତ କରିଥାନ୍ତି। ବ୍ୟାଘ୍ର ପ୍ରକଳ୍ପର ସଫଳତା କେବଳ ଭାରତ ନୁହେଁ ବିଶ୍ବ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି। ବାଘଙ୍କ ପାଇଁ ଭାରତୀୟ ଜଙ୍ଗଲ ବେଶ୍‌ ସୁରକ୍ଷିତ ହୋଇଥିବା ବେଳେ ଦେଶର ୭୫ହଜାର ​‌େ​‌ସ୍କ୍ବୟାର କିଲୋମିଟର ଜଙ୍ଗଲରେ ବାଘଙ୍କ ନିମନ୍ତେ ଅଭୟାରଣ୍ୟ ରହିଥିବା ସେ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନୀଳଗିରି ଜିଲାରେ ଥିବା ମୁଦୁମାଲାଇକୁ ଯାଇ ହାତୀ ମାନଙ୍କୁ ଆଖୁ ଖାଇବାକୁ ଦେଇଥିଲେ। ଏଥିସହ ସେ ଥେପାକାଡୁ ଅଭୟାରଣ୍ୟ ବୁଲି ଦେଖିଥିଲେ। ମୋଦୀ ସେଠାକାର କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ଅଭୟାରଣ୍ୟରେ ରହୁଥିବା ଜୀବଜନ୍ତୁଙ୍କ ସୁରକ୍ଷା ସମ୍ପର୍କରେ ପଚାରି ବୁଝିଥିଲେ। ଦି ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ ଦମ୍ପତି ଭାବେ ଖ୍ୟାତି ଅର୍ଜନ କରିଥିବା ବେଲି ଓ ବୋମାନଙ୍କୁ ମୋଦୀ ଭେଟି ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Comments are closed.