ସରିଲା ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା
ଆଜି ସ୍ବର୍ଣ୍ଣାଦ୍ରି ବିଜେ
ଭୁବନେଶ୍ୱର : ସରିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା। ଶୀତଳଷଷ୍ଠୀ ରାସ୍ତା ପାର୍ଶ୍ବରୁ ସୋମବାର ଅପରାହ୍ଣ ସାଢ଼େ ୪ଟାରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ୭ଟା ୫୨ରେ ରଥ ମହାଖଳାରେ ଲାଗିଥିଲା। ରଥ ଟାଣିବା ଦେଢ଼ଘଣ୍ଟା ବିଳମ୍ବ ହୋଇଥିଲେ ମଧ୍ୟ ମହାଖଳାରେ ଲାଗିବାକୁ ପ୍ରାୟ ୩ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।
ପୂଜାପଣ୍ଡା ନିଯୋଗ କାର୍ଯ୍ୟାଳୟ ସମ୍ମୁଖରେ ରଥ ଅଟକିବା ପରେ ନିଯୋଗ ତରଫରୁ ପଣାଭୋଗ କରାଯାଇଥିଲା। ଏହାପରେ ରଥ ବଢ଼େଇ ବାଙ୍କ ଛକ ଅଭିମୁଖେ ଗଡ଼ିଥିଲା। ଛକରେ ରଥ ଅଟକିବା ପରେ ବଡୁ ନିଯୋଗ ପକ୍ଷରୁ ପଣା ଭୋଗ କରାଯାଇଥିଲା। ସେଠାରୁ ରଥ ମହାଖଳା ଅଭିମୁଖେ ଗଡ଼ିଥିଲା। ରଥ କପାଳି ମଠ ନିକଟରେ ପହଞ୍ଚିବା ପରେ ଦେବୀ ପାର୍ବତୀ ସୁସଜ୍ଜିତ ପାଲିଙ୍କିରେ ବିଜେ କରି ଦିଅଁଙ୍କ ରଥ ଅଭିମୁଖେ ଆସିଥିଲେ। ଦେବୀ ପାର୍ବତୀଙ୍କ ପାଲିଙ୍କି ରଥ ଚାରିପଟ ପ୍ରଦକ୍ଷିଣ କରି ମହାପ୍ରଭୁ ରଥରେ ଆସିଛନ୍ତି କି ନାହିଁ ତଦାରଖ କରିଥିଲେ। ରଥରେ ମହାପ୍ରଭୁ ଥାଇ ସେବାୟତଙ୍କ ହାତରେ ଆଜ୍ଞାମାଳ ଦେବା ପରେ ଦେବୀ ପାର୍ବତୀ ମନ୍ଦିରକୁ ଫେରିଯାଇ ଚାହାଣି ମଣ୍ଡପରେ ମହାପ୍ରଭୁଙ୍କ ଆସିବା ବାଟକୁ ଅପେକ୍ଷା କରିଥିଲେ। ଦେବୀ ପାର୍ବତୀଙ୍କ ଫେରିବା ପରେ ରଥଟଣା ଆରମ୍ଭ ହୋଇଥିଲା। କିଛିବାଟ ରଥ ଗଡ଼ିବା ପରେ ବାମ ପଟ ରାସ୍ତା ତଳକୁ ଗଡ଼ିଯବାରୁ ଚକ ଦୁଇଟି ମାଟିରେ ଦବି ଯାଇଥିଲା। ପ୍ରାୟ ୧ଘଣ୍ଟାରୁ ଅଧିକ ସମୟ ରଥ ଏସ୍ବିଆଇ ଏଟିଏମ୍ ସାମ୍ନାରେ ଅଟକିଥିଲା। ସନ୍ଧ୍ୟା ହୋଇଯିବାରୁ ଖରଡ଼ା ସେବାୟତ ରଥ ଅନ୍ଧାରରେ ଟାଣିବା ସମ୍ଭବ ନୁହେଁ କହି ଛାଡ଼ି ଚାଲି ଯାଇଥିଲେ। ଏପଟେ ଦିଅଁଙ୍କ ରଥ ମହାଖଳାରେ ନଲାଗିବା ଯାଏଁ ଦିଅଁଙ୍କ ନୀତି ଆଗକୁ ବଢ଼ିପାରିବ ନାହିଁ ବୋଲି ସେବାୟତମାନେ କହିଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ଖରଡ଼ା ସେବାୟତଙ୍କୁ ମନାଇଲେ ମଧ୍ୟ ସେମାନେ ମାନିବାକୁ ରାଜି ହୋଇନଥିଲେ। ଶେଷରେ ସ୍ଥାନୀୟ କର୍ପୋରେଟର ଶିବପ୍ରସାଦ ବେହେରା ହସ୍ତକ୍ଷେପ କରି ଖରଡ଼ା ସେବାୟତଙ୍କ ସହ ଆଲୋଚନା କରି ସେମାନଙ୍କୁ ମନାଇଥିଲେ। କର୍ପୋରେଟର ନିଜେ ଦାୟିତ୍ବ ନେଇ ଖରଡ଼ା ସେବାୟତଙ୍କୁ ରଥ ଟାଣିବାକୁ ଅନୁମତି ଦେଇ ରଥକୁ ମହାଖଳାରେ ପହଞ୍ଚାଇଥିଲେ। ରଥଯାତ୍ରା ୬ଦିନ ହୋଇଥିବାରୁ ମହାପ୍ରଭୁଙ୍କୁ ରାତିରେ ରଥ ଉପରେ ରହିବାକୁ ପଡ଼ିଥିଲା। ଆସନ୍ତାକାଲି ସ୍ବର୍ଣ୍ଣାଦ୍ରି ବିଜେ ହୋଇ ମନ୍ଦିରକୁ ବିଜେ କରିବେ। ରଥ ମହାଖଳାରେ ଲାଗିବା ପରେ ବେହେରା ସେବାୟତ ରଥରେ ଚାରମାଳ ବାନ୍ଧିଥିଲେ। ଚାରମାଳ ବନ୍ଧା ଯିବା ପରେ ଦିଅଁଙ୍କ ନୀତି ଆରମ୍ଭ ହୋଇଥିଲା। ଚାହାଣି ମଣ୍ଡପରେ ଦିଅଁଙ୍କ ଫେରିବା ବାଟକୁ ଅପେକ୍ଷା କରିଥିବା ଦେବୀ ପାର୍ବତୀଙ୍କ ସହ ରଥ ଉପରେ ମହାପ୍ରଭୁଙ୍କ ଭେଟଆଳତି ହୋଇ ଦିଅଁଙ୍କ ଅନ୍ୟାନ୍ୟ ନୀତି କରାଯାଇଥିଲା। ମନ୍ଦିରରେ ଯେଉଁ ନୀତି କରାଯାଇଥିଲା ରଥ ଉପରେ ଅନୁରୂପ ଭାବେ ସମାନ ନୀତି କରାଯାଇଥିଲା। ମହାଖଳାରେ ରଥ ଲାଗିବା ପରେ ଶ୍ରଦ୍ଧାଳୁମାନେ ରଥରେ ଚଢ଼ି ଦିଅଁଙ୍କୁ ଦର୍ଶନ କରିଥିଲେ।
ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣାରଥ ଯାତ୍ରାରେ ଘୋର ବିଭ୍ରାଟ ଘଟିଛି। ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏପରି ଘଟି ଚାଲିଛି। ଯାହାକୁ ନେଇ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
Comments are closed.