ଆଜିଠୁ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ପିଲାଙ୍କୁ ବିଦ୍ୟାଳୟ ଆଣିବାକୁ ପ୍ରସ୍ତୁତି

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷ ସୋମବାରଠୁ ଆରମ୍ଭ ହୋଇଛି । ପିଲାମାନେ କିପରି ବିଦ୍ୟାଳୟକୁ ଆସିବେ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛି। ମଙ୍ଗଳବାର ଠାରୁ ସପ୍ତାହବ୍ୟାପୀ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷ‌ା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ମଙ୍ଗଳବାର ଠାରୁ ପାଳନ କରାଯିବ। ୬ରୁ ୧୪ ବର୍ଷ ବୟସର ଯେଉଁମାନେ ନୂଆ ନାମ ଲେଖାଇବାକୁ ଥିବେ, ପାଠପଢ଼ା ଅଧାରୁ ଛାଡ଼ିଥିବେ ବା ଆଦୌ ନାମ ଲେଖାଇ ନ ଥିବେ ସେମାନଙ୍କୁ ବିଦ୍ୟାଳୟ ଆଣିବା ଉଦ୍ଦେଶ୍ୟରେ ଏହି ପ୍ରବେଶ ଉତ୍ସବ ପାଳନ କରାଯିବ। ପ୍ରବେଶ ଉତ୍ସବ ସଚେତନତା କାର୍ଯ୍ୟକ୍ରମ ଏବଂ ନାମଲେଖା ଅଭିଯାନ ୧୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ବତୀ ଏସ୍ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।
ଏତେ ସବୁ ଯୋଜନା ସତ୍ତ୍ବେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଶ୍ରେଣୀଗୃହ ନଥିବା ଜଣାଯାଇଛି। ଏତଦ୍‌ବ୍ୟତୀତ ଅନେକ ବିଦ୍ୟାଳୟ ପରିସରରେ ପାଚେରୀ ନାହିଁ, ତାହା ମୁକୁଳା ପଡ଼ିଛି ଏବଂ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଅନେକ ବିଦ୍ୟାଳୟରେ ଶୁଦ୍ଧ ପିଇବା ପାଣି ଓ ଶୌଚାଳୟ ସୁବିଧା ମଧ୍ୟ ନାହିଁ। ରାଜ୍ୟର ୫୦,୫୨୬ ବିଦ୍ୟାଳୟ ମଧ୍ୟରୁ ୪୦,୯୫୫ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ ଶ୍ରେଣୀ ଗୃହ ନାହିଁ। ଓଡ଼ିଶା ଉଚ୍ଚନ୍ୟାୟାଳୟ ପକ୍ଷରୁ ନିଯୁକ୍ତ କୋର୍ଟ ମିତ୍ର ଏହି ତଥ୍ୟ ଉଚ୍ଚନ୍ୟାୟାଳୟରେ ରଖିଛନ୍ତି। ବିଧାନସଭାରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ଉପସ୍ଥାପିତ ତଥ୍ୟ ଅନୁଯାୟୀ ୧୧,୭୧୦ ବିଦ୍ୟାଳୟ ଅନ୍ଧାରରେ ରହିଛି। ୨୧,୦୧୦ ବିଦ୍ୟାଳୟରେ ଖେଳପଡ଼ିଆ ନାହିଁ। ୫୩ହଜାର ଶିକ୍ଷକ ପଦ ମଧ୍ୟ ଖାଲି ପଡ଼ିଛି। ଏଭଳି ପରିସ୍ଥିତିରେ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ସହିତ ସମସ୍ତଙ୍କର ନାମ ଲେଖାଇଲେ ସେମାନଙ୍କୁ କିଭଳି ଶିକ୍ଷା ଦିଆଯିବ, ତାହାକୁ ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପକ୍ଷରେ ସଚିବ ତାଙ୍କ ଚିଠିରେ ବିସ୍ତୃତ କାର୍ଯ୍ୟସୂଚୀ ପ୍ରଦାନ କରି କହିଛନ୍ତି, ୫ ତାରିଖରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଷ୍ଟାଣ୍ଡିଂ କମିଟି ସଦସ୍ୟ, ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟ, ପିତାମାତା ସଂଘ, ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ, ଶିକ୍ଷାବିତ୍, ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟା, ଅଙ୍ଗନବାଡ଼ି କର୍ମୀଙ୍କ ସମେତ ପିଲାମାନଙ୍କୁ ନେଇ ଏକ ଶିକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ‌ ହେବ। ଏହି ଶୋଭାଯାତ୍ରାରେ ଶିକ୍ଷା ଅଧିକାର ନିୟମ, ୨୦୧୦ ଅନୁଯାୟୀ ଶିକ୍ଷା ବିଷୟରେ ଥିବା ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକୁ ସ୍ଲୋଗାନ, ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର କରାଯିବ। ଶୋଭାଯାତ୍ରା ପରେ ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇ ବିଭିନ୍ନ ସଂଗଠନ ବା ବ୍ୟକ୍ତିବିଶେଷ ବିଦ୍ୟାଳୟ ଆଖପାଖରେ ଥିବା ଗ୍ରାମ ବା ପଡ଼ା‌‌େ‌ର ଥିବା ୬ରୁ ୧୪ ବର୍ଷ ବୟସର ପିଲାଙ୍କର ତାଲିକା ପ୍ରସ୍ତୁତ କରିବେ। ଯେଉଁ ପିଲାଙ୍କ ତାଲିକା ପ୍ରସ୍ତୁତ କରିବେ, ସେହି ପିଲାମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କୁ ନିକଟସ୍ଥ ବିଦ୍ୟାଳୟରେ ନାମ ଲେଖାଇବାକୁ ବୁଝାଇବେ। ୧୨ ତାରିଖକୁ ପୂର୍ଣ୍ଣ ଉପସ୍ଥାନ ଦିବସ ଭାବେ ପାଳନ କରାଯିବ। ସେହିଦିନ ନାମ ଲେଖାଇଥିବା ପିଲାଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ବାଗତ କରାଯିବ। ସେମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଫଟୋଚିତ୍ର ରାଜ୍ୟ ପ୍ରକଳ୍ପ ନିର୍ଦେଶକଙ୍କୁ ପଠାଇବାକୁ କୁହାଯାଇଛି।
ସପ୍ତାହବ୍ୟାପୀ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ଏକ ବ୍ୟାନର ଲଗାଯିବ। ଏହି କାର୍ଯ୍ୟକ୍ରମରେ ପ୍ରତି ବିଦ୍ୟାଳୟ ପାଇଁ ୧ ହଜାର ଟଙ୍କା ବ୍ୟୟ କରାଯିବ। ସମଗ୍ର ଶିକ୍ଷା ଗୋଷ୍ଠୀ ସଞ୍ଚାଳନ ଉପବିଭାଗ ୨୦୨୩-୨୪ରୁ ଏହା ଭରଣା କରାଯିବ। ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଥିବା ଉପଲବ୍ଧ ଅର୍ଥରାଶିରୁ ଏଥିପାଇଁ ବ୍ୟୟ କରିବେ। ଯାହା ପରବର୍ତ୍ତୀ ଅନୁମୋଦିତ ଅର୍ଥରାଶି ବିଦ୍ୟାଳୟକୁ ପ୍ରଦାନ କରାଯିବ। ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ୩୧୪ ବ୍ଲକ୍ ଓ ୨ଟି
ସହରାଞ୍ଚଳ ସାଧନ କେନ୍ଦ୍ରରେ ଶିକ୍ଷା ସଚେତନତା ରଥ ପରିଭ୍ରମଣ କରିବ। ଏଥିପାଇଁ ଆବଶ୍ୟକ ଅର୍ଥ ଜିଲା ପ୍ରକଳ୍ପ କାର୍ଯ୍ୟାଳୟରୁ ଖର୍ଚ୍ଚ କରାଯିବ। ଗୋଷ୍ଠୀ ସଞ୍ଚାଳନ ଉପବିଭାଗ ନିମନ୍ତେ ଉଦ୍ଦିଷ୍ଟ ଅର୍ଥରାଶି (ବିଦ୍ୟାଳୟ ପିଛା ୫୦୦ ଟଙ୍କା ହିସାବରେ) ୨୦୨୩-୨୪ ଆର୍ଥିକ ବର୍ଷରୁ ଭରଣା କରାଯିବ।

Comments are closed.