ସତ୍ୟବାଦୀର ସତକଥା

ମମତା ବିଶୋଇ, ଉପମୁଖ୍ୟ ସହସମ୍ପାଦିକା, ସମାଜ

ଏକ ମନ, ଏକ ପ୍ରାଣର ସମ୍ମିଳିତ ଉଦ୍ୟମ, ନିଷ୍ଠା, ଏକାଗ୍ରତା ବଳରେ ମୂକ କଥା କହେ, ପଙ୍ଗୁ ଗିରି ଲଙ୍ଘିବାର ସାମର୍ଥ୍ୟ ହାସଲ କରେ ଯାହା ପ୍ରମାଣ କରିପାରିଛି ‘ଗୋପବନ୍ଧୁଙ୍କ ସତ୍ୟବାଦୀ’। ୧୯୧୫ମସିହାରେ ଜନ୍ମ ନେଇଥିବା ‘ସତ୍ୟବାଦୀ’ ମାତ୍ର ପାଞ୍ଚ ବର୍ଷ​‌ରେ ତା’ର ସତ୍ତା ହରାଇଥିଲା। ତଥାପି ସେହି ସତ୍ୟବାଦୀ କର୍ପୂରର ବାସ୍ନା ‘ସମାଜ’ ଅନ୍ତର୍ଚେତନାରେ ଗୁଞ୍ଜରିତ ହେଉଥିଲା ଏବଂ ୧୯୮୯/୯୦ମସିହାରେ ପୁନଃପ୍ରକାଶିତ ହୋଇଥିଲେ ମଧ୍ୟ ତାହା ଦୀର୍ଘସ୍ଥାୟୀ ହୋଇପାରିଲା ନାହିଁ। ଗତ ୨୦୧୬ ମସିହାରୁ ଏହା ପୁନଃପ୍ରକାଶିତ ହୋଇ ଇତି ମଧ୍ୟରେ ଛ’ବର୍ଷ ଅତିକ୍ରାନ୍ତ କରିସାରିଲାଣି। ସେହି ସତ୍ୟବାଦୀର ରୂପାନ୍ତରୀକରଣ ହୋଇ ଆଜି ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ନାମରେ ତା’ର ଆତ୍ମୀୟମାନଙ୍କର ଏକାଗ୍ରତାକୁ ପାଥେୟ କରି ସାହିତ୍ୟାକାଶର ଶୀର୍ଷତମ ସୋପାନରେ ଉପନୀତ। ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ଉତ୍‌ଥାନରେ ତା’ର ପ୍ରାଣ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ସ୍ବର୍ଗବାସରେ ତୃପ୍ତିଲାଭ କରୁଥିବେ ନିଶ୍ଚୟ। ଗୋପବନ୍ଧୁଙ୍କ ମାନସ ସନ୍ତାନ ‘ସମାଜ’ ଖବରକାଗଜ ଆଜି ବହୁ ଘାତ-ପ୍ରତିଘାତକୁ ମୁକାବିଲା କରି ମହାଦ୍ରୁମରେ ପରିଣତ ହେବା ସହିତ ଆତ୍ମନିର୍ଭରଶୀଳ ହୋଇ କାହିଁ କେତେ ଓଡ଼ିଆଙ୍କୁ ଅଭୟ ଆଶ୍ରୟ ଦେଇଥିବାବେଳେ ଅନେକଙ୍କ ପେଟ ପୋଷିବାରେ ସାହାରା ସାଜିଛି। କେବଳ ସେତିକି ନୁହେଁ, ଗୋପବନ୍ଧୁଙ୍କ ପ୍ରଥମ ମାନସ କନ୍ୟା ‘ସତ୍ୟବାଦୀ’କୁ ନବକଳେବର ପ୍ରଦାନ କରି ପୁନଃପ୍ରକାଶ କରିବାରେ କାନ୍ଧ ଲଗାଇଛି। ‘ସତ୍ୟବାଦୀ’କୁ ସମୃଦ୍ଧ, ଋଦ୍ଧିମନ୍ତ କରିଥିବା ଶିଶୁଠାରୁ ଉଚ୍ଚାଙ୍ଗ ସାହିତ୍ୟ ପର୍ଯ୍ୟନ୍ତ ତା’ର ପ୍ରିୟ ଲେଖକ ଲେଖିକାମାନଙ୍କ ସମାରୋହ ଆଜି ‘ସମାଜ’ ତଥା ‘ସତ୍ୟବାଦୀ’କୁ କରିଛି ଗୌରବାନ୍ବିତ।

prayash

ଜଣେ ଶିକ୍ଷକ, ସାମ୍ବାଦିକ, ଲେଖକ, ସ୍ବାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ ତଥା ସମାଜସେବକର ଭୂମିକା ନିର୍ବାହ କରୁଥିବା ଦାସେ ଆପଣେ ପ୍ରିୟ ରାଜ୍ୟବାସୀଙ୍କ ନିମନ୍ତେ ଶିକ୍ଷା, ସଂସ୍କୃତି, ଭାଷା, ସାହିତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଅହରହ ଘାରି ହେବା କାଇଁ ଅନ୍ୟ ସମସ୍ତଙ୍କଠେଇ ତ ଦେଖାଯାଉନଥିଲା! ହଁ, ଗୁଣ ଚିହ୍ନେ ଗୁଣିଆ ନ୍ୟାୟରେ ଜ୍ଞାନାଲୋକର ପ୍ରଜ୍ଞାରେ ଉଦ୍‌ଭାସିତ ହେଉଥିବା ଜ୍ଞାନଦୀପ୍ତ ବୁଦ୍ଧିଜୀବୀଙ୍କୁ ସେ ବେଶ୍ କଳି ପାରୁଥିଲେ ଏବଂ ମଣିମୁକ୍ତା ସାଉଁଟିଲା ଭଳି ସେମାନଙ୍କୁ ସାଉଁଟି ନେଇଥିଲେ ଆପଣା ପାଖକୁ, ନିଜର ପ୍ରିୟ ସତ୍ୟବାଦୀ ବନବିଦ୍ୟାଳୟକୁ। ଆଉ ଗୋପବନ୍ଧୁ ପରଶମଣିର ସ୍ପର୍ଶରେ ସେମାନେ ପାଲଟି ଯାଉଥିଲେ ଏକ ଏକ ମଣି ଏବଂ କାହିଁ କେତେ ବଡ଼ ବଡ଼ ଚାକିରିକୁ ପଦାଘାତ କରି ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ଗୋପବନ୍ଧୁଙ୍କ ସହିତ ଯୋଡ଼ିହୋଇ ରହିଥିଲେ ଏ ଜାତି, ଦେଶ, ଭାଷା ତଥା ସଂସ୍କୃତିର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ। ସେମାନେ ହେଲେ ପଞ୍ଚସଖା ଆଉ ଶହଶହ ସାହିତ୍ୟପ୍ରେମୀ, ଦେଶପ୍ରେମୀ ବି।

ଗୋପବନ୍ଧୁଙ୍କ ଯାଦୁକରୀ ଆତ୍ମୀୟତାର ଭାବ ବନ୍ଧନ ରଜ୍ଜୁରେ ସମସ୍ତେ ବାନ୍ଧି ହୋଇଯାଉଥିଲେ। ସେମାନଙ୍କ ସମୃଦ୍ଧ ଲେଖନୀ ଚାଳନାରେ ୧୯୧୫ରେ ସେ ପ୍ରକାଶ କରିଥିଲେ ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକା। ମାତ୍ର ତତ୍କାଳୀନ ରାଷ୍ଟ୍ରୀୟ ଆହ୍ବାନକୁ ଉପଲବ୍ଧି କରି ଭାଷାପ୍ରେମୀ ଗୋପବନ୍ଧୁ ଏକ ଜାତୀୟବାଦୀ ସମ୍ବାଦପତ୍ର ପ୍ରକାଶନରେ ବ୍ରତୀ ହେଲେ। କେବଳ ଶିକ୍ଷା ଓ ଭାଷା ସାହିତ୍ୟର ପ୍ରଚାର ପ୍ରସାର ନିମନ୍ତେ ପ୍ରକାଶ କରିଥିବା ‘ସତ୍ୟବାଦୀ’ ସହିତ ‘ସମାଜ’ ସମ୍ବାଦପତ୍ର ଦୁଇଟିକୁ ପ୍ରକାଶ କରିବାକୁ ଅସମର୍ଥ ହୋଇଥିଲେ। ସମୟ ସମୟରେ ଅର୍ଥାଭାବରେ ପେଷି ହୋଇ ଜନ୍ମିତ ସନ୍ତାନର ଭରଣପୋଷଣ କରିନପାରି ଜନ୍ମଦାତା ଅକୁହା ବେଦନାରେ ଜର୍ଜରିତ ହେଲାଭଳି ଗୋପବନ୍ଧୁ ଏକ ସଙ୍ଗେ ଦୁଇ ମାନସ ସନ୍ତାନଙ୍କର ଦାୟିତ୍ବ ବହନ କରିବାରେ ଅସମର୍ଥ ହୋଇ କ୍ଷତାକ୍ତ ହୃଦୟରେ ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକାକୁ ଅନିଚ୍ଛା ସତ୍ତ୍ବେ ବନ୍ଦ କରି ଆରମ୍ଭ କଲେ ‘ସମାଜ’ ଖବରକାଗଜ। ଶହେରୁ ଊର୍ଦ୍ଧ୍ବ ବର୍ଷ ଅତିକ୍ରାନ୍ତ ହେଲା ପରେ ମଧ୍ୟ ଗୋପବନ୍ଧୁଙ୍କ ଦ୍ବିତୀୟ ମାନସ ସନ୍ତାନ ‘ସମାଜ’ ପିତୃଋଣ ପରିଶୋଧର ସଂସ୍କାରକୁ ପାସୋରି ଯାଇନି। ପ୍ରାଣ ପ୍ରତିଷ୍ଠାତା ଗୋପବନ୍ଧୁଙ୍କ ପ୍ରଥମ ମାନସ କନ୍ୟା, ଅର୍ଥାତ୍‌ ତା’ର ବଡ଼ ଭଉଣୀ ‘ସତ୍ୟବାଦୀ’କୁ ପୁନଃପ୍ରକାଶ କରି ସମଗ୍ର ବୁଦ୍ଧିଜୀବୀଙ୍କ ମହଲରେ ପହଞ୍ଚାଇ ଦେବାର ପ୍ରୟାସ ଜାରି ରଖିଛି। ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ନାମ ବହନ କରି ପ୍ରତି ଜିଲାରେ ଏହା ପାଠକୀୟ ସ୍ବୀକୃତି ତଥା ଆଦର ଲାଭ କରିଛି। ତାକୁ ସମୃଦ୍ଧ, ଋଦ୍ଧିମନ୍ତ କରିବାରେ ସହାୟକ ସାଜିଥିବା ଆତ୍ମୀୟମାନେ ଆଜି ସାରଳା ଭବନରେ ଏକତ୍ର ହେବେ, ଆଉ ତାଙ୍କର ଅତିପ୍ରିୟ ସର୍ଜନାର ସମାହାର ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ବାର୍ଷିକ ଉତ୍ସବକୁ ଆନନ୍ଦମୁଖର କରି ଆମକୁ ଋଣୀ କରିବେ। ବରଷି ଦେବେ କୃପାବାରିଧି, ଗୋପବନ୍ଧୁଙ୍କ ମାନସ କନ୍ୟା ଏହି ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ଦୀର୍ଘାୟୁ ହେଉ। ଏମିତି ବର୍ଷ ପରେ ବର୍ଷ ନିଷ୍କଣ୍ଟକ ଭାବେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କାର, ସଂସ୍କୃତି, କଳାକୁ ପ୍ରଚାର ପ୍ରସାର କରି ଘରେ ଘରେ ପରିଚିତି ଲାଭ କରୁ। ସତ୍ୟବାଦୀ ତା’ର ଅତିପ୍ରିୟ ଲେଖକ ଲେଖିକାଙ୍କୁ ତା’ କୋଳରେ ଆପଣେଇ ନେଉ, ଏ ଓଡ଼ିଆ ଭାଷା ସାହିତ୍ୟ ଚିରଭାସ୍ବର ହେବା ପାଇଁ ତାଙ୍କୁ ଭରସା ଦେଉ- ‘‘ମୁଁ ଅଛି, ଆପଣମାନେ ଲେଖନୀ ଚାଳନା ପୂର୍ବକ ସର୍ଜନାର ସମ୍ଭାରରେ ତାକୁ ଜୁଡ଼ୁବୁଡ଼ୁ କରି ଚାଲନ୍ତୁ, ତାକୁ ପରିପାଳିତ କରିବାର ଦାୟିତ୍ବ ମୋ ଉପରେ ନ୍ୟସ୍ତ କରନ୍ତୁ।’’ ଆମେ ହିଁ ଆମ ଓଡ଼ିଆ ଭାଷା ସାହିତ୍ୟର ରକ୍ଷାକବଚ ସାଜିବାର ଦାୟିତ୍ବକୁ ଦୃଢ଼ତାର ସହ ସାଦରେ ଗ୍ରହଣ କରିବା। ନିଜେ ଲେଖିବା, ପଢ଼ିବା, ଅନ୍ୟମାନଙ୍କ ପାଖରେ ସାଗ୍ରହେ ତାକୁ ପହଞ୍ଚାଇବାର ଉଦ୍ୟମ ଜାରି ରଖିବା। ଆମେ ମହାନ, ଆମ ଭାଷା ସାହିତ୍ୟର ଗୌରବମୟ ଇତିହାସକୁ ଉଜ୍ଜ୍ବଳରୁ ଉଜ୍ଜ୍ବଳତର କରିବାରେ ଆମେ ସଭିଏଁ ପ୍ରତିଶ୍ରୁତିବଦ୍ଧ ହେବାର ଦୀକ୍ଷା ଗ୍ରହଣ କରିବା। ଏତିକି ମାଗୁଣି। ବନ୍ଦେ ଉତ୍କଳ ଜନନୀ।

kalyan agarbati

Comments are closed.