ଚୌଦ୍ୱାର : ଚୌଦ୍ୱାର ସହରାଞ୍ଚଳରେ ରାସ୍ତା ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଲାଣି । ପୌରପାଳିକା ତରଫରୁ ରାସ୍ତାରେ ଲଗାଯାଇଥିବା ଏଲଇଡ଼ି ଲାଇଟ ଗୁଡିକ ବହୁ ସ୍ଥାନରେ ଜଳୁ ନଥିବାରୁ ରାତିରେ ରାସ୍ତା ଅନ୍ଧାର ରହିବା ଫଳରେ ଜନସାଧାରଣ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତିି । ବିଶେଷ କରି ୱାର୍ଡ଼ ଗୁଡ଼ିକର ରାସ୍ତାରେ ବହୁ ସ୍ଥାନରେ ଖୁଣ୍ଟିରେ ଆଲୁଅ ଜଳୁନାହିିଁ । ଖୁଣ୍ଟ ଗୁଡ଼ିକରେ ଲାଇଟ ଜଳୁ ନଥିବାରୁ ଏହାର ସୁଯୋଗ ନେଇ ଚୋରମାନେ ବହୁ ଖୁଣ୍ଟରୁ ଲାଇଟ ସବୁ ଖୋଲି ନେଇ ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଲାଇଟ ଚୋରି ସମ୍ପର୍କରେ ପୌର କର୍ତ୍ତୃପକ୍ଷ ଥାନାରେ କେବଳ ଏତାଲା ଦାଖଲ କରି ନୀରବରେ ବସି ଯାଇଛନ୍ତି । ସୂଚନାଯୋଗ୍ୟ,ଯେ ବିଭିନ୍ନ ପୌରପାଳିକାରେ ରାସ୍ତା ଆଲୋକ ଲଗାଇବା ଓ ମରାମତି ଦାୟିତ୍ୱ ରାଜ୍ୟ ସରକାର ଇଏସ୍ଏଲ ନାମକ ଏକ ଘରୋଇ ସଂସ୍ଥାକୁ ପ୍ରଦାନ କରିଥିଲେ। ଇଏସଏଲ ସଂସ୍ଥା ଚୌଦ୍ୱାର ପୌରପାଳିକାର ରାସ୍ତା ଆଲୋକ ପରିଚାଳନା ଦାୟିତ୍ୱ ଢେଙ୍କାନାଳର ଆସ୍ଥା ନାମକ ଅନ୍ୟ ଏକ ସଂସ୍ଥାକୁ ନ୍ୟସ୍ତ କରିଥିଲେ । ସେହି ସଂସ୍ଥା ତରଫରୁ ଚୌଦ୍ୱାର ସହରର ମୋଟ ୧୯ଟି ୱାର୍ଡ଼ ପାଇଁ ମାତ୍ର ୨ଜଣ କର୍ମଚାରୀଙ୍କୁ ଦାୟିତ୍ୱ ଦେଇଥିବାବେଳେ ବହୁ ସମୟରେ ସେମାନେ କାମକୁ ଆସୁ ନଥିବା ଏବଂ ଠିକ୍ ଭାବେ କାର୍ଯ୍ୟ କରୁ ନଥିବା ବହୁ କାଉନସିଲର ଅଭିଯୋଗ କରିଛନ୍ତି । ଏଦିଗରେ ପୌର କର୍ତ୍ତୃପକ୍ଷ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ସମ୍ପୃକ୍ତ କମ୍ପାନୀ ଏଦିଗରେ କୌଣସି ପଦକ୍ଷେପ ନେଉ ନଥିବାରୁ ଆବଶ୍ୟକ ଥିବା ସ୍ଥାନ ମାନଙ୍କରେ ନୂତନ ଲାଇଟ ଲଗାଇବା ପୌରପାଳିକା ତରଫରୁ ସମ୍ଭବ ହୋଇପାରୁନାହିଁ ବୋଲି ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ସୂଚନା ଦେଇ ଏସମ୍ପର୍କରେ ବିଭାଗୀୟ ଉଚ୍ଚାଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଦିଆ ଯାଇଥିବା ପ୍ରକାଶ କରିଛନ୍ତି ।
ଚୌଦ୍ୱାର ସହରରେ ରାସ୍ତା ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ
Popular Categories



