ଦିଲ୍ଲୀରେ ପରିବେଶ ଉପଯୋଗୀ ବାଣ ବିକ୍ରି ପାଇଁ ସୁପ୍ରିମକୋର୍ଟଙ୍କ ତାଗିଦ

0

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣମାତ୍ରା ଅହେତୁକ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଠାରେ ଦୀପାବଳି ଉପଲକ୍ଷେ କେବଳ ପରିବେଶ ଉପଯୋଗୀ ଏବଂ କମ୍‍ ଧୁଆଁ ସୃଷ୍ଟିକାରୀ (ସବୁଜ) ବାଣ ବିକ୍ରି କରିବା ନିମନ୍ତେ ସୁପ୍ରିମକୋର୍ଟ ବୁଧବାର ନିର୍ଦେଶ ଦେଇଛନ୍ତି। ବିକ୍ରେତାମାନେ ଯଦି ଏହା ଭିନ୍ନ ଅନ୍ୟ କୌଣସି ବାଣ ଆଣି ଥାଆନ୍ତି ତେବେ ସେଗୁଡିକୁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ବାହାରେ ବିକ୍ରି କରିବାକୁ ବିଚାରପତି ଏ. କେ. ସିକ୍ରି ଓ ଅଶୋକ ଭୁଷଣଙ୍କ ପୀଠ ନିର୍ଦେଶ ଦେଇଛନ୍ତି। ଉଲ୍ଲେଖ ଯେ ଦେଶବ୍ୟାପୀ କେବଳ ସବୁଜ ବାଣ ଫୁଟାଯିବାକୁ ସୁପ୍ରିମକୋର୍ଟ ଅକ୍ଟୋବର ୨୩ରେ ଅନୁମତି ପ୍ରଦାନ କରିଥିଲେ। ଏଥିସହ ଦୀପାବଳି ଅବସରରେ ସନ୍ଧ୍ୟା ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୨ ଘଣ୍ଟା ପାଇଁ ସାଧାରଣ ଲୋକେ ବାଣ ଫୁଟାଇ ପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସମୟ ନିର୍ଘଣ୍ଟ କରିଥିଲେ। କିନ୍ତୁ ଆସନ୍ତା ଦୀପାବଳି ନିମନ୍ତେ ସବୁଜ ବାଣ ଉପଲବ୍ଧ ହେବ ନାହିଁ ବୋଲି କେନ୍ଦ୍ର ପରିବେଶ ଏବଂ ଜଙ୍ଗଲ ମନ୍ତ୍ରୀ ହର୍ଷ ବର୍ଦ୍ଧନ ମଙ୍ଗଳବାର ପ୍ରକାଶ କରିବା ପରେ ସୁପ୍ରିମକୋର୍ଟ ଦିଲ୍ଲୀ ପାଇଁ ଉପରୋକ୍ତ ନିର୍ଦେଶ ଜାରି କରିଛନ୍ତି। ତାମିଲନାଡ଼ୁ, ପୁଡୁଚେରୀ ସମେତ ଦକ୍ଷିଣ ଭାରତର ଅନ୍ୟ ରାଜ୍ୟଗୁଡିକରେ ରାତି ୪ଟାରୁ ସକାଳ ୫ଟା ଏବଂ ରାତି ୯ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଯାଇପାରିବ ବୋଲି ମଧ୍ୟ ସୁପ୍ରିମକୋର୍ଟ ବୁଧବାର ଅନୁମତି ପ୍ରଦାନ କରିଛନ୍ତି। ରାତି ୪ଟା ୩୦ ମିନିଟରୁ ସକାଳ ୬ଟା ୩୦ ମିନିଟ ମଧ୍ୟରେ ବାଣ ଫୁଟାଇବା ଲାଗି ଅନୁମତି ପ୍ରଦାନ ନିମନ୍ତେ ତାମିଲନାଡୁର ଆବେଦନ ଉପରେ ବିଚାର କରି ପୀଠ ଏହି ନିର୍ଦେଶ ନେଇଛନ୍ତି।

Leave A Reply