www.samajalive.in
Monday, December 15, 2025
24.1 C
Bhubaneswar

ଆମ ଦରମା ବଢ଼ାଅ

ଭୁବନେଶ୍ୱର : ‘ଆମ ଦରମା ବଢ଼ାଅ । ଦିଲ୍ଲୀ ବିଧାୟକଙ୍କ ଦରମା ୬୬ପ୍ରତିଶତ ବଢ଼ିଛି ; ଆମେ ୧ ଲକ୍ଷ ଟଙ୍କା ବି ପାଉନୁ। ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ଘଟୁଛି । ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ତେଣୁ ବିଧାୟକଙ୍କ ଦରମା ଓ ଭତ୍ତା ମଧ୍ୟ ବୃଦ୍ଧି କରାଯାଉ। ନଚେତ୍‌ ଚଳିବା କଷ୍ଟକର ହୋଇପଡିବ।’ ଆଜି ବିଧାନସଭାରେ ଏଭଳି ଯୁକ୍ତି ବାଢି ବିଧାୟକ ମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ ଶାସକ ଓ ବିରୋଧୀ ଦଳର ବିଧାୟକଗଣ। ଶାସକ ବିଜେଡି ଓ ବିରୋଧୀ ବିଜେପି ଓ କଂଗ୍ରେସର ବହୁ ବିଧାୟକ ବିଧାୟକ ଗୃହରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କ ହସ୍ତକ୍ଷେପ ଲୋଡିଥିଲେ। ବିଧାୟକ ପ୍ରଶ୍ନକୁ ନେଇ ବାଚସ୍ପତି ମଧ୍ୟ ପଦକ୍ଷେପ ନେଇଛନ୍ତି। ବିଧାୟକଙ୍କ ଦରମା ବୃଦ୍ଧି ସମ୍ପର୍କିତ ବିଲ୍ ଆଗତ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦେଶ ଦେଇଛନ୍ତି। ଗୃହର ବହୁ ସଦସ୍ୟ ପ୍ରସଙ୍ଗକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ପରେ ବାଚସ୍ପତି କହିଥିଲେ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ କମିଟି ରିପୋର୍ଟ ଦେଇସାରିଛି। ସେହି ରିପୋର୍ଟକୁ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହର ନେତାଙ୍କ ସହ ଆଲୋଚନା କରନ୍ତୁ। ଗୃହକୁ ବିଲ୍ କେମିତି ଆସିବ ସମୟୋଚିତ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ ବାଚସ୍ପତି ଶ୍ରୀ ଆରୁଖ।
ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗ ଉଠାଇ କହିଥିଲେ ଯେ, ପୂର୍ବରୁ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ ଗୃହର ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରିବା ପରେ ଏହାର ତର୍ଜମା କରି ରିପୋର୍ଟ ଦେବାକୁ ବିଧାୟକ ଅମରପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ଇତିମଧ୍ୟରେ କମିଟି ତା’ର ରିପୋର୍ଟ ପ୍ରଦାନ କରିସାରିଛି। ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ବିଧାୟକଙ୍କ ଭତ୍ତା ସେହି ଅନୁପାତରେ ବଢ଼ିନାହିଁ। ଜଣେ ବିଧାୟକ ତାଙ୍କ ପାଖରେ ଜଣେ ସହାୟକ ରଖିବାକୁ ହେଲେ ୨୦ରୁ ୨୫ ହଜାର ଟଙ୍କା ନଦେଲେ ମିଳିବେନି। ବିଧାୟକମାନେ ବହୁ ଅସୁବିଧାରେ ଗତି କରୁଛନ୍ତି। ବିଧାନସଭା ଚାଲିବାବେଳେ ବିଧାୟକ କେତେ ଅର୍ଥ ଖର୍ଚ୍ଚ କରନ୍ତି ତାହା ସମସ୍ତଙ୍କୁ ଜଣା। ତେବେ କମିଟି ରିପୋର୍ଟ ଦେବା ପରେ ସରକାର କି ପଦକ୍ଷେପ ନେଇଛନ୍ତି ତାହା ଜଣାପଡ଼ୁନି। ବିଧାନସଭାରେ ଏଥିନେଇ ବିଧେୟକ ଅଣାଯିବା ସହିତ ଏହା କାର୍ଯ୍ୟକାରୀ କରାଯାଉ, ନହେଲେ ବିଧାୟକମାନେ ଚଳିବା କଷ୍ଟକର ହୋଇପଡ଼ିବ। ଏ ସମ୍ପର୍କରେ ସ୍ପଷ୍ଟ ନିର୍ଦେଶ ଦେବାକୁ ସେ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ।
ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ବହୁ ପୂର୍ବତନ ବିଧାୟକ ସେମାନଙ୍କ ଦୁଃଖ କହୁଛନ୍ତି। କମିଟି ପକ୍ଷରୁ ସେ ରିପୋର୍ଟ ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଲୀର ବିଧାୟକଙ୍କ ଦରମା ବଢ଼ିଛି। ରିପୋର୍ଟରେ ସେ ଅନ୍ୟରାଜ୍ୟଗୁଡ଼ିକର ତୁଳନାତ୍ମକ ଚିତ୍ର ଦେଇଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ସୁରେଶକୁମାର ରାଉତରାୟ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି, ବିଜେଡି ସଭ୍ୟ ପଦ୍ମନାଭ ବେହେରା ପ୍ରମୁଖ ଏ ସଂକ୍ରାନ୍ତରେ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିବା ସହିତ ଏ ବିଷୟରେ ରୁଲିଂ ଦେବାକୁ ଦାବି କରିଥିଲେ। ସବୁ ଦଳର ବିଧାୟକଙ୍କ ଦାବିକୁ ଦୃଷ୍ଟିରେ ରଖି ବାଚସ୍ପତି କହିଥିଲେ ଯେ କମିଟି ଦେଇଥିବା ରିପୋର୍ଟ ତାଙ୍କର ହସ୍ତଗତ ହେବା ପରେ ସେ ଏହାକୁ ସଂସଦୀୟ ବ୍ୟାପାର ବିଭାଗକୁ ଯାଞ୍ଚ ପାଇଁ ପଠାଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଏ ସମ୍ପର୍କରେ ଗୃହର ନେତାଙ୍କ ସହିତ ଆଲୋଚନା କରି ତୁରନ୍ତ ବିଧେୟକ କିପରି ଆସିବ ସେ ଦିଗରେ ସମୟୋଚିତ ପଦକ୍ଷେପ ନେବାକୁ ସେ ନିର୍ଦେଶ ଦେଇଥିଲେ। ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେଉଥିବା ଶାସକ ଓ ବିରୋଧୀ ବିଧାୟକ କିନ୍ତୁ ଏ ପ୍ରସଙ୍ଗରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories