ଡେସ୍କ: ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଆଜି ମହାବିଦ୍ୟାଳୟ ପରିସରରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସରିତା ସାହୁ ଏହି ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିବା ସହ ଆମ ଭାଷା ଓ ସାହିତ୍ୟର ସମୃଦ୍ଧ ଐତିହ୍ୟ, ପରଂପରା, ମୌଳିକ ତଥା ଉଚ୍ଚକୋଟୀର ଅପ୍ରଭାବିତ ସାହିତ୍ୟିକ ସୃଷ୍ଟି ସମ୍ଭାର ସଂପର୍କରେ ଆଲୋକପାତ କରିଥିଲେ। ଏହି ମହନୀୟ ଭାଷାର ଶ୍ରୀବୃଦ୍ଧି ନିମନ୍ତେ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଅଧ୍ୟାପିକା ସାହୁ ଆହ୍ୱାନ ଦେଇଥିଲେ।
ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ତଥା ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ବିଶ୍ଵନାଥ ପଟ୍ଟନାୟକ ଯୋଗଦେଇ ଆମ ମାତୃଭାଷା ଓଡ଼ିଆର ଗରିମା ବଜାୟ ରଖିବା ପାଇଁ ସାହିତ୍ୟ ସଂରଚନାରେ ବ୍ରତୀ ହେବାକୁ ବିଭାଗର ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଡଃ ସୁବାସିନୀ ସାହୁ, ସୁଶ୍ରୀ ସଙ୍ଗୀତା ମହାପାତ୍ର, ସୁମିତ୍ରା ସାହୁ, ଗୀତାଞ୍ଜଳି ନାୟକ, ଡଃ ଅରବିନ୍ଦ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଆ ଭାଷା ଓ ସାହିତ୍ୟର ସୁଦୃଢ, ସୁଉଚ୍ଚ ସାରସ୍ବତ ସୌଧ ଓ ପ୍ରତିଭାଧର ସାହିତ୍ୟିକଙ୍କ ସଂପର୍କରେ ଆଲୋଚନା କରିଥିଲେ। ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ଇନ୍ଦ୍ରଜିତ, ସ୍ବର୍ଣ୍ଣଲତା ରାଉତ ପ୍ରମୁଖ ଓଡ଼ିଆ ଭାଷା ସାହିତ୍ୟର ଇତିହାସ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ। ଶେଷରେ ଅଧ୍ୟାପକ ଲକ୍ଷ୍ମୀଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।



