ଲଡୁଗାଁ – କେନାଲ ପାଣିରେ ବାଇକ ଭାସୁଛି । ଏପରି ଘଟଣା ଘଟିଛି କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟୁରା ନିକଟସ୍ଥ ଇନ୍ଦ୍ରାବତୀ ବାମ କେନାଲରେ । ସେଠାରେ ରେ ଏକ ପଲସର ବାଇକ ଭାସୁଥିବା ଦେଖିବାକୁ ମିଳିଛି । ଏ ନେଇ ସ୍ଥାନୀୟ ସରପଞ୍ଚ କୁରୁକ୍ଷେତ୍ର ବେହେରା ଓ କାଶିବାହଲ ସରପଞ୍ଚଙ୍କ ସ୍ଵାମୀ ରୁଦ୍ର ନାଏକ ବୁଧବାର ବିଳମ୍ବିତ ରାତିରେ ପୋଲିସ ଓ ଦମକଳ କର୍ମଚାରୀଙ୍କୁ ଖବର ଦେଇଥିଲେ । ପୋଲିସ ସମେତ ଦମକଳ ବାହିନୀ ପହଞ୍ଚି କେନାଲରୁ ବାଇକକୁ ଉଦ୍ଧାର କରିଥିଲେ ।
ଉଦ୍ଧାର ହୋଇଥିବା ବାଇକର ଆରଟିଓ ନମ୍ବରରୁ ଏହା କୋକସରା ବ୍ଲକ ଆମପାଣି ଗ୍ରାମର ସରୋଜ କୁମାର ମିଶ୍ରଙ୍କ ଜଣାପଡିଛି। କୋକସରା ପୁଲିସ ବାଇକ ନମ୍ବରରୁ ମିଳିଥିବା ଠିକଣାକୁ ଯୋଗାଯୋଗ କରି ଛାନଭିନ୍ ଜାରି ରଖିଛି। ବୁଧବାର ସନ୍ଧ୍ୟାରେ ସରୋଜ ମିଶ୍ରଙ୍କ ପୁଅ ଶାଶ୍ୱତ ମିଶ୍ର ବାଇକ ନେଇ ବାହାରକୁ ଯାଇଥିବା ନେଇ ସୂଚନା ମିଳିଥିବା ବେଳେ ପରିବାର ବର୍ଗଙ୍କ ପକ୍ଷରୁ ଏ ନେଇ କୋକସରା ଥାନାରେ ନିଖୋଜ ଥିବା ଅଭିଯୋଗ ହୋଇଛି। ଅଭିଯୋଗ କୁ ଭିତ୍ତି କରି ଗୁରୁବାର ସନ୍ଧ୍ୟାରେ ପୁଣିଥରେ ଦମକଳ କର୍ମଚାରୀ କେନାଲରେ ଖୋଜାଖୋଜି କରିଥିବା ସୁଚନା ମିଲିଛି। କେନାଲରେ ପାଣି ଅଧିକ ପ୍ରବାହିତ ହେଉଥିବା କାରଣରୁ ଖୋଜିବାରେ ବାଧାପ୍ରାପ୍ତ ହୋଇଛି। କେନାଲର ପାଣି କମିବା ପରେ ପୁଣି ତଲାସୀ କାର୍ଯ୍ୟ କରାଯିବ ବୋଲି କୋକସରା ଅଗ୍ନିଶମ ବିଭାଗ ଅଧିକାରୀ ଅନନ୍ତ ପଟେଲ କହିଛନ୍ତି ।
ବାଇକ କେଉଁ ପରିସ୍ଥିତିରେ କେନାଲରେ ଭାସି ବୁଲୁଥିଲା ? ବାଇକ ଚାଳକ କୁଆଡେ ଗଲା ? କେନାଲ ପାଣି ରେ ବୁଡି ମରିଛି ନା ଆଉ କିଛି ରହସ୍ୟ ଅଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ବାଇକ୍ କେନାଲରେ ଭାସିବା ଓ ଯୁବକ ଶାଶ୍ୱତ ରହସ୍ୟମୟ ଭାବେ ନିଖୋଜ ହେବା ଘଟଣା ଏବେ ଚର୍ଚ୍ଚା ଜୋର ଧରିବା ସହିତ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ।



