ମସ୍କୋ: ରୁଷ୍-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ଆମେରିକା ସାମରିକ ଓ ଆର୍ଥିକ ସହଯୋଗ କରିଆସୁଛି। ୟୁକ୍ରେନକୁ ଆମେରିକାର ଏହି ସହଯୋଗରେ ରୁଷ କ୍ଷୁବ୍ଧ ହୋଇଛି। ଯୁଦ୍ଧରେ ଆର୍ଥିକ ଓ ସାମରିକ ସହଯୋଗ ସହିତ ମାନସିକ ସମର୍ଥନ ଯୋଗାଇ ଦେବା ଲାଗି ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଯୁଦ୍ଧ ପ୍ରଭାବିତ ୟୁକ୍ରେନକୁ ଗସ୍ତ କରିଥିଲେ। ବାଇଡେନଙ୍କ ୟୁକ୍ରେନ ଗସ୍ତ ପରେ ରୁଷ୍ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠିଛି। ପ୍ରତିକ୍ରିୟା ସ୍ବରୂପ ଆମେରିକା ସହିତ ରୁଷ୍ କରିଥିବା ପରମାଣୁ ଚୁକ୍ତିକୁ ବାତିଲ କରିଛି। ପରମାଣୁ ଚୁକ୍ତି ବାତିଲ ସମ୍ପର୍କରେ ମଙ୍ଗଳବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ୨୦୧୦ରେ ଆମେରିକା ଓ ରୁଷ୍ ମଧ୍ୟରେ ‘ଦ ନ୍ୟୁ ଷ୍ଟାର୍ଟ’ ନାମରେ ଏକ ପରମାଣୁ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଚୁକ୍ତି ଅନୁଯାୟୀ ଦୁଇଦେଶ ନିଜର ପରମାଣୁ ଅସ୍ତ୍ରକୁ ସୀମିତ ରଖିବେ। ସେହିପରି ଦୁଇ ଦେଶ ନିଜର ସୁରକ୍ଷା ନିମନ୍ତେ କେତେ ସଂଖ୍ୟାରେ ପରମାଣୁ ଯୁଦ୍ଧାସ୍ତ୍ର ମୁତୟନ କରିବା ତାହା ମଧ୍ୟ ସୀମିତ କରାଯାଇଥିଲା। ୨୦୨୧ରେ ଏହି ଚୁକ୍ତିର ଅବଧିକୁ ଆଉ ୫ବର୍ଷ ଲାଗି ବୃଦ୍ଧି କରାଯାଇଥିଲା। ଚୁକ୍ତିରେ ଉଭୟ ବାଇଡେନ ଓ ପୁଟିନ ସ୍ବାକ୍ଷର କରିଥିଲେ। ମାତ୍ର ପୁଟିନ ଏବେ ଏହି ଚୁକ୍ତିକୁ ବାତିଲ କରିଦେଇଛନ୍ତି। ରୁଷ୍ ପାଖରେ ଏବେ ସର୍ବାଧିକ ୬୦୦୦ ପରମାଣୁ ଯୁଦ୍ଧାସ୍ତ୍ର ମହଜୁଦ ରହିଛି। ରୁଷ୍ ଓ ଆମେରିକା ପାଖରେ ବିଶ୍ବର ମୋଟ ପରମାଣୁ ଯୁଦ୍ଧାସ୍ତ୍ରର ୯୦% ରହିଛି। ଯାହା ସମଗ୍ର ବିଶ୍ବକୁ ବାରମ୍ବାର ଧ୍ବଂସ କରିବା ଲାଗି ଯଥେଷ୍ଟ।
Popular Categories



