ଚୌଦ୍ୱାର : ମଙ୍ଗୁଳି ଛକରୁ ବାହାରି ଚୌଦ୍ୱାର ସହର ମଧ୍ୟଦେଇ ସମ୍ବଲପୁର ଅଭିମୁଖେ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବାରୁ ରାଜପଥଟି ଦୁର୍ଗମ ହୋଇ ପଡ଼ିବା ସହିତ ମରଣ ଯନ୍ତା ପାଲଟିଛି । ବିଶେଷ କରି ଚୌଦ୍ୱାର ସହର ଭିତରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଲୋକମାନେ ନାନାଦି ଯନ୍ତ୍ରଣା ଭୋଗୁଛନ୍ତି । ରାସ୍ତା କାମ ତ୍ୱରାନ୍ୱିତ କରିବା ପାଇଁ ଚୌଦ୍ୱାରବାସୀଙ୍କ ତରଫରୁ ବାରମ୍ବାର ଆନ୍ଦୋଳନ, ରାସ୍ତାରୋକୋ, ଧର୍ମଘଟ ଆଦି କରାଯାଇଥିଲେ ସୁଦ୍ଧା ଏଦିଗରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଦେଖିବାକୁ ମିଳିଛି । ପରିସ୍ଥିତି ଅସମ୍ଭାଳ ହେବାରୁ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଚୌଦ୍ୱାର କଟକ ଉନ୍ନୟନ ପରିଷଦ ସଭାପତି ବାଳକୃଷ୍ଣ ମହାନ୍ତି, ସମ୍ପାଦକ ଇଂ ସୁବ୍ରତ ଘଡ଼େଇଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱରସ୍ଥିତ ଏନ୍ଏଚ୍ଏ ଆଇ ଅଧିକାରୀଙ୍କୁ ଭେଟି ତୁରନ୍ତ ରାଜପଥ ସ୍ଥିତି ଅନୁଧ୍ୟାନ କରି ଆଶୁ ପଦକ୍ଷେପ ନେବାପାଇଁ ଦାବି କରିଥିଲେ । ଫଳ ସ୍ୱରୂପ ଢ଼େଙ୍କାନାଳ ଏନ୍ଏଚ୍ଏ ଆଇ ପ୍ରକଳ୍ପ ନିର୍ଦେଶକ ଓ ଭୁବନେଶ୍ୱର ଅଫିସ ପ୍ରତିନିଧି ବୁଧବାର ଦିନ ଚୌଦ୍ୱାରରେ ପହଞ୍ଚି ରାଜପଥର ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରାକ୍ତନ ବିଧାୟକ ଶ୍ରୀ ବିଶ୍ୱାଳ, ଉପ ନଗରପାଳ ଶୁଭେନ୍ଦୁ ସାମଲ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ଉନ୍ନୟନ ପରିଷଦର ସଦସ୍ୟବୃନ୍ଦ, କାଉନସିଲର ଆଶୁତୋଷ ଦାସ, ସୁବ୍ରତ ସାମଲ ପ୍ରମୁଖ ଏନ୍ଏଚ୍ଏଆଇ ପ୍ରତିନିଧି ମାନଙ୍କୁ ରାସ୍ତା ଅବସ୍ଥା ଦେଖାଇ ତୁରନ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ସର୍ଭିସ୍ ରୋଡ଼ କାର୍ଯ୍ୟ ଆଗାମୀ ୨ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହିତ ଓଟିଏମ୍ ବଜାର ଓ ଧୂମାବତୀ ଛକରେ ୨ଟି ଅଣ୍ଡର ପାସ୍ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ ବୋଲି ପ୍ରତିନିଧି ମାନେ ପ୍ରତିଶ୍ରୁତି ଦେଇଥିଲେ।
Popular Categories



