ଆକାଶ ମେଘମୁକ୍ତ ରହିଲେ ଓଡିଶାର ସବୁ ଅଞ୍ଚଳରେ ଖାଲି ଆଖିରେ ଦେଖିହେବ ଚନ୍ଦ୍ର ଗ୍ରହଣ
ନଭେମ୍ବର ୮ରେ ସଙ୍ଗଠିତ ହେବ ଏ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ,
ଭୁବନେଶ୍ବର: ଆସନ୍ତା ନଭେମ୍ବର ୮ ତାରିଖ ଦିନ ସଙ୍ଗଠିତ ହେବ ଏ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ। ସୂର୍ୟ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଗୋଟିଏ ଗୋଟିଏ ବିରଳ ମହାଜାଗତିକ ଘଟଣା । ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ। ବିଶ୍ବର ଅନେକ ଦେଶର ବୈଜ୍ଞାନିକମାନେ ଏବେଠୁ ଲାଗିପଡିଲେଣି ଏହି ସମୟରେ ବିଭିନ୍ନ ପରିକ୍ଷା ନିରିକ୍ଷା କରିବାକୁ। କିନ୍ତୁ ଠିକ୍ ଏତିକି ବେଳେ କିଛି ଲୋକ ସୋସିଆଲ୍ ମିଡିଆରେ ଏ ବିଷୟରେ ଅପ ପ୍ରଚାର ଓ କିଛି ଭ୍ରମାତ୍ମକ ଖବର ଦ୍ବରା ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଗଲେଣି।
ଚନ୍ଦ୍ର ଗ୍ରହଣ କଣ : ଚନ୍ଦ୍ର ଗ୍ରହଣ ସମୟରେ ‘ଚନ୍ଦ୍ର ଓ ସୂର୍ଯ୍ୟ’ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ। ପୃଥିବୀର ଦୁଇପ୍ରକାରର ଛାଇ ରହିଛି। ପ୍ରଥମଟି ଛାୟା ଯାହା ଏକ ଗାଢ କଳା ରଙ୍ଗର ଛାଇ ଓ ଖାଲି ଆଖିରେ ପରିଷ୍କାର ଦେଖି ହୁଏ ଓ ଦ୍ବିତୀୟଟି ହେଉଛି ଉପଛାୟା : ଏକ ଫିକା କଳା ଛାଇ ଯାହା ଖାଲି ଆଖିରେ ଦେଖିବା କଷ୍ଟକର । ଉପଛାୟାଟି ବଡ ଓ ଅଧିକ ଅଞ୍ଚଳରେ ପଡୁଥିଲାବେଳେ ଛାୟାଟି ଛୋଟ ତ୍ରିଭୁଜ ବା ଶଙ୍କୁ ଆକାରର। ବିଜ୍ଞାନର ବ୍ୟାକ୍ଷାନରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ ଓ ଏଥିରୁ ପୁରା ବାହାରି ଗଲେ ଗ୍ରହଣ ଶେଷ ହୋଇଥାଏ । ଅନେକ ସମୟରେ ଚନ୍ଦ୍ର ଛାୟା ଭିତରେ ପ୍ରବେଶ ନକରି କେବଳ ଉପଛାୟାରେ ପ୍ରବେଶ କରି ସେଥିରୁ ବାହାରିଯାଇଥାଏ। ଯେହେତୁ ଚନ୍ଦ୍ର ଉପଛାୟାରେ ଥିବା ସମୟରେ ଖାଲି ଆଖିରେ ଦେଖିହୁଏନାହିଁ ବୋଧହୁଏ ସେଥିପାଇଁ ଆମ ଶାସ୍ତ୍ରରେ ଏହାକୁ ଗ୍ରହଣ ରୂପେ ଗଣନା କରାଯାଏ ନାହିଁ ଓ କୌଣସି ପଞ୍ଜିକାରେ ଏହାର ଉଲ୍ଲେଖ କରାଯାଏ ନାହିଁ କିନ୍ତୁ ବୈଜ୍ଞାନିକମାନେ ଏହାକୁ ଏକ ଗ୍ରହଣ ରୂପେ ଗଣନା କରନ୍ତି କାରଣ ଏଠି ଚନ୍ଦ୍ରର ଛାଇ ପୃଥିବୀରେ ପଡୁଛି। ପୂର୍ଣ୍ଣ ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ। ଏହାର କୌଣସି ପ୍ରଭାବ ଆମ ଉପରେ ତଥା ପୃଥିବୀ ଉପରେ ନାହିଁ। ଆକାଶ ମେଘମୁକ୍ତ ରହିଲେ ଏହା ଓଡିଶା ତଥା ଭାରତର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ଭୁବନେଶ୍ବରରେ ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସନ୍ଧ୍ୟା ୦୫.୦୫ ରୁ ୦୫.୧୧ ମାତ୍ର ୬ ମିନିଟ୍ ପାଇଁ ଦେଖାଯିବ। ତାପରେ ସନ୍ଧ୍ୟା ୦୫.୧୧ରୁ ୦୬.୧୯ ଯଏଁ ଆଂଶିକ ଚନ୍ଦ୍ର ଗ୍ରହଣ ଭାବରେ ଦେଖାଯିବ ।
ଭାରତରେ ପରବର୍ତ୍ତୀ ସୂର୍ଯ୍ୟ ପରାଗ (ଆଂଶିକ) ଆସନ୍ତା ୨୦୨୭ ମସିହା ଅଗଷ୍ଟ ମାସ ୨ ତାରିଖରେ ଓ ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର ମାସ ୭ ତାରିଖରେ ଦେଖାଯିବ। ପଠାଣି ସାମନ୍ତ ପ୍ଲାନେଟାରିୟମ, ଭୁବନେଶ୍ବର ତରଫରୁ ଲୋକମାନଙ୍କୁ ସଚେତନ କରିବା ସହ ଏହି ସୁଯୋଗକୁ ହାତଛଡା ନକରିବା ପାଇଁ ଅନୁରୋଧ କରାଯାଇଛି। ପଠାଣି ସାମନ୍ତ ପ୍ଲାନେଟାରିୟମ, ଭୁବନେଶ୍ଵରରେ ଏହି ଦୃଶ୍ୟକୁ ସନ୍ଧ୍ୟା ୫.୦୫ ରୁ ୬.୨୦ ସମୟରେ ଦୂରବୀକ୍ଷଣ ଯନ୍ତ୍ର ଦ୍ବାରା ଦେଖାଇବାର ବ୍ୟବସ୍ଥା କରାଯିବ। ପାଗ ମେଘୁଆ ରହିଲେ କର୍ୟ୍ୟକ୍ରମ ବାତିଲ ହେବ। ଆସନ୍ତୁ ସମସ୍ତେ ଏହି ସୁନ୍ଦର ଦୃଶ୍ୟ ଗୁଡିକୁ ଉପଭୋଗ କରିବା, ଏହାପଛରେ ରହିଥିବା କାରଣଗୁଡିକ ଜାଣିବା ଓ ସମାଜରେ ଥିବା ଅନ୍ଧ ବିଶ୍ବାସ ଦୂରକରିବାରେ ସହାୟକ ହେବା।
Comments are closed.