ସମକାଳୀନ କବିତାରେ ସର୍ବଭାରତୀୟ ଦିଗନ୍ତ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଆଦିକବି ସାରଳା ଦାସ ଚେୟାର ଅଫ ଷ୍ଟଡ଼ିଜର ମିଳିତ ଆନୁକୂଲ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗର ସମ୍ମିଳନୀ କକ୍ଷରେ ‘ସମକାଳୀନ ଭାରତୀୟ ଭାଷାର କବିତା’ ଶୀର୍ଷକ ଏକ ଜାତୀୟ ସମ୍ପାନ ଆୟୋଜିତ ହୋଇଯାଇଛି। ଏହାର ପ୍ରଥମ ପର୍ଯ୍ୟାୟ ସମ୍ପାନରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, ଆଦି କବି ସାରଳା ଦାସ ଚେୟାର ଅଫ ଓଡ଼ିଆ ଷ୍ଟଡ଼ିଜର ଚେୟାର ପ୍ରଫେସର ଉଦୟନାଥ ସାହୁ, ଭାରତୀୟ ଭାଷା ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ଓମ ପ୍ରକାଶ ସିଂହ, ଜେଏନୟୁର ହିନ୍ଦୀବିଭାଗର ଡ.ମାଲଖାନ ସିଂହ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ଆତିଥ୍ୟ ତଥା ଭାରତୀୟ ସାହିତ୍ୟ ପ୍ରେକ୍ଷାପଟରେ କବିତାର ଦିଗନ୍ତ ବ୍ୟାପ୍ତିଧର୍ମୀ ବକ୍ତୃତା ଉକ୍ତ ସମ୍ପାନକୁ ସାଫଲ୍ୟମଣ୍ଡିତ କରିଥିଲା। ଡ.ରମେଶଚନ୍ଦ୍ର ମଲ୍ଲିକ ଏହି ସମ୍ପାନରେ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଡ.ଦିଲ୍ଲୀପ କୁମାର ସ୍ୱାଇଁ, ଡ.ନାରାୟଣ ପଣ୍ଡା, ଡ.ସଂଘମିତ୍ରା ଭଞ୍ଜ ସମ୍ପାନର ଦ୍ୱିତୀୟ ଅଧିବେଶନରେ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ। ପ୍ରଫେସର କୁମୁଦଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଏହି ଅଧିବେଶନ ସୁଚାରୁ ରୂପରେ ସମାହିତ ହୋଇଥିଲା।
ସମ୍ପାଦନର ତୃତୀୟ ଅଧିବେଶନରେ ସଭାପତିତ୍ୱ କରିଥିଲେ ଡ.ରୁଦ୍ରନାରାୟଣ ମହାପାତ୍ର। ମୁଖ୍ୟବକ୍ତା ଭାବରେ ଡ.ସୁରେଶଚନ୍ଦ୍ର ରାଜହଂସ, ଡ.ମମତାରାଣୀ ବେହେରା, ଶୁଭଦର୍ଶିନୀ ପରିଡ଼ା ଯୋଗଦେଇ ସାହିତ୍ୟର ଦୀପ୍ତିକୁ ପ୍ରଭାମୟ କରିଥିଲେ। ଚତୁର୍ଥ ଅଧିବେଶନରେ ପ୍ରଫେସର ସୁବାଶଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଅସୀମ ରଞ୍ଜନ ପାଢ଼ୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ନିବେଦିତା ଜେନା, କୃଷ୍ଣଚନ୍ଦ୍ର ପ୍ରଧାନ, ବିଷ୍ଣୁପ୍ରିୟା ଓତା, ଶତ୍ରୁଘ୍ନ ପାଣ୍ଡବ, ରାଜେନ୍ଦ୍ର କୁମାର ବେହେରା ଏବଂ ପ୍ରମୋଦ କୁମାର ବେହେରା ଉପସ୍ଥିତ ଥିଲେ। ଶେଷରେ ଅନପା ମାର୍ଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.