www.samajalive.in
Saturday, December 6, 2025
15.1 C
Bhubaneswar

ଲୋକଙ୍କୁ ଆନ୍ଦୋଳିତ କରୁଛି ମୃତ ଶିଶୁ ଫିଙ୍ଗା ଘଟଣା ; କରାଯାଉଛି ସଚେତନ

ବଲାଙ୍ଗିର : ବଲାଙ୍ଗିର ରେଳ ଷ୍ଟେସନ ରାସ୍ତା ନାଳରେ ଏକ ନବଜାତ ଶିଶୁ ପଡିଥିଲା। ୭/୮ ମାସ ତଳର ଏହି ଘଟଣା। ସ୍ଥାନୀୟ ଜଣେ ମହିଳା ଶିଶୁଟିକୁ ଉଦ୍ଧାର କରିଥିଲେ। ସେ ତାକୁ ନିଜ ପାଖରେ ରଖିବାକୁ ଚାହୁଁଥିଲେ। କିନ୍ତୁ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା ସ୍ଥିତ ମା’ ଓ ଶିଶୁ ବିଭାଗକୁ ନେଇଥିଲେ। ସେଠାରେ ଖୋଳତାଡ ବେଳେ ଶିଶୁଟି ନାଳରୁ ମିଳିଥିବା ଜଣାପଡିଥିଲା। ଚାଇଲ୍ଡ ଲାଇନର କର୍ମକର୍ତ୍ତାମାନେ ପହଞ୍ଚିଥିଲେ। ଶିଶୁଟିକୁ ନିଜ ଦାୟିତ୍ବକୁ ନେଇଥିଲେ। ତେବେ ଶିଶୁଟିର ପରିଚୟ ମିଳି ପାରି ନଥିଲା। କେଉଁ ପରିସ୍ଥିତିରେ ତାକୁ ଫିଙ୍ଗି ଦିଆଯାଇଥିଲା ତାହା ଜଣାପଡି ନଥିଲା। ତେବେ ଯିଏ ଶୁଣୁଥିଲା ସେ ଆହା କହୁଥିଲା। କେଡେ ନିଷ୍ଠୁର ଓ ନିର୍ଦ୍ଦୟ ସେ ମା’ ବୋଲି ଧିକ୍କାର କରୁଥିଲେ। ଉଦ୍ଧାର ଶିଶୁଟିର ନାଁ ଦିଆଯାଇଥିଲା ’ସିଦ୍ଧାର୍ଥ’। ନିଶ୍ବାସ ନେବାରେ ସମସ୍ୟା ହେଉଥିବାରୁ ଏସ୍ଏନସିୟୁରେ ରଖାଯାଇଥିଲା। ଏବେ ବି ସେ ଠିକ୍ ଭାବେ ସୁସ୍ଥ ହୋଇପାରି ନାହିଁ। ଅଧିକ ଚିକିତ୍ସା ଆବଶ୍ୟକ ଥିବାରୁ ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ସିଦ୍ଧାର୍ଥର ଚିକିତ୍ସା ପାଇଁ ଶିଶୁ ଭବନକୁ ପଠାଇଥିବା ଜଣାପଡିଛି। ବଲାଙ୍ଗିର ସହର ସହ ଜିଲାରେ ଏଭଳି ଅନେକ ଆଲୋଡା ଶିଶୁ ମୃତ-ଜୀବିତ ଅବସ୍ଥାରେ ଉଦ୍ଧାର ହେଉଛନ୍ତି। ଯାହାକି ଉଦବେଗର ପ୍ରସଙ୍ଗ। କିଛି ଦିନ ମଧ୍ୟରେ ୨ଟି ମୃତ ଶିଶୁଙ୍କ ଶବ ଉଦ୍ଧାର ଘଟଣା ସାଧାରଣ ଲୋକଙ୍କୁ ଆନ୍ଦୋଳିତ କରୁଛି।
ଗତ ୨୩ ତାରିଖ ଦିନ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାର ମା ଓ ଶିଶୁ ବିଭାଗ କୋଠା ସମ୍ମୁଖ ଡ୍ରେନରୁ ଏକ ମୃତ ନବଜାତର ଶବ ଉଦ୍ଧାର କରାଯାଇଥିଲା। ସେହିପରି କଣ୍ଟାବାଞ୍ଜି ଡାକ୍ତରଖାନାରେ ଅଳିଆ ଆବର୍ଜନା ସଫା କରାଯାଉଥିବା ବେଳେ ସଫେଇ କର୍ମଚାରୀମାନେ ନବଜାତ ଶିଶୁର ଶବ ପାଇଥିଲେ। ବଲାଙ୍ଗିର ବସଷ୍ଟାଣ୍ଡ, ରେଳ ଷ୍ଟେସନ, ବିଭିନ୍ନ ପଡ଼ା ଅଞ୍ଚଳରୁ ମୃତ-ଜୀବିତ ଶିଶୁଙ୍କୁ ସ୍ବେଚ୍ଛାସେବୀମାନେ ଉଦ୍ଧାର କରି ଡାକ୍ତରଖାନାରେ ଦେଖାଉଛନ୍ତି। ଶେଷକୃତ୍ୟ କରୁଛନ୍ତି। ହେଲେ ଏପର୍ୟ୍ୟନ୍ତ ଶିଶୁକୁ ଫିଙ୍ଗି ଦେବାର ମାନସିକତାରୁ ଲୋକେ ବାହାରି ପାରି ନାହାନ୍ତି।

ମିଳିଥିବା ତଥ୍ୟ ଅନୁସାରେ, ଗତ ୨୦୨୧ ଏପ୍ରିଲ ୧ ତାରିଖରୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ୬ଜଣ ବାଳକ, ୧୫ ବାଳିକା ଘରୁ ପଳାଇଥିବା, ୩ଜଣ ବାଳକ ଓ ୪ଜଣ ବାଳିକା ନିଖୋଜ, ଅନାଥ ୩୫ ବାଳକ ଓ ୭୦ ବାଳିକାଙ୍କୁ ଉଦ୍ଧାର କରାଯାଇଛି। ପକସୋ ଧାରାରେ ୧୬ଜଣ ପୀଡ଼ିତାଙ୍କୁ ଶିଶୁ ମଙ୍ଗଳ ବିଭାଗ ଥଇଥାନ କରିଛି। ମାର୍ଚ୍ଚରୁ ଏପର୍ୟ୍ୟନ୍ତ ଘରୁ ପଳାଇଥିବା ୧୯ଜଣ, ନିଖୋଜ ୬ଜଣ, ୫୭ଜଣ ଅନାଥ, ୧୭ଜଣ ପୀଡ଼ିତା, ଉପେକ୍ଷିତ ୩୯ ଜଣ ବାଳକ, ବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏଚ୍ଆଇଭିରେ ସଂକ୍ରମିତ ୨୫ଜଣ ଶିଶୁଙ୍କୁ ଚିହ୍ନଟ କରାଯାଇଛି। ତେବେ ବାପା-ମା’ କାରାଗାରରେ ଥିବା ବେଳେ ୪ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ଆଶିର୍ବାଦ ଯୋଜନାରେ ୩୫୦ ବାଳକ ଓ ୩୫୫ ବାଳିକାଙ୍କୁ ସାମିଲ କରାଯାଇଛି।
ଶିଶୁ ମଙ୍ଗଳ କମିଟି, ଜିଲା ଶିଶୁ ସୁରକ୍ଷା ବିଭାଗ ସହ ଅନ୍ୟାନ୍ୟ ବିଭାଗର ସମନ୍ବୟରେ ଜିଲାରେ ଶିଶୁଙ୍କ ସୁରକ୍ଷା ପାଇଁ କାର୍ୟ୍ୟ କରାଯାଉଛି। ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମଧ୍ୟ ଶିଶୁମାନଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି। କିନ୍ତୁ ବଲାଙ୍ଗିର ଭଳି ଜିଲାରେ ମୃତ-ଜୀବିତ ଶିଶୁମାନଙ୍କୁ ଫିଙ୍ଗି ଦେବା ଭଳି ଘଟଣା ସ୍ପର୍ଶକାତର ବିଷୟ ହୋଇଛି। ଏସଂପର୍କରେ ଜିଲା ଶିଶୁ ସୁରକ୍ଷା ବିଭାଗର ଅଧିକାରିଣୀ ଲକ୍ଷ୍ମୀ ସିଂ କହିଛନ୍ତି ଯେ, ଆମେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖି କାର୍ୟ୍ୟକ୍ରମ କରୁଛୁ। ଉଦ୍ଧାର, ଥଇଥାନ, ସହାୟତା ପାଇଁ ପଦକ୍ଷେପ ନେଉଛୁ। କେଉଁଠି ଅସୁବିଧା ଥିଲେ , ନଜରକୁ ଆସିଲେ ବିଭାଗୀୟ ପରାମର୍ଶଦାତାମାନେ ସେଠାରେ ପହଞ୍ଚି ସମସ୍ୟାର ସମାଧାନର ସୂତ୍ର ବାହାର କରୁଛନ୍ତି। ଅନ୍ୟପଟେ ଲୋକଙ୍କୁ ସଚେତନ କରାଯାଉଛି। ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଯୋଗେଶ୍ବର ମହାନ୍ତି କହିଛନ୍ତି। ସେହିପରି ମୃତ-ଜୀବିତ ଶିଶୁଙ୍କୁ ଉଦ୍ଧାର କରୁଥିବା ସ୍ବେଚ୍ଛାସେବୀମାନେ ଭିନ୍ନ ମତ ରଖୁଛନ୍ତି। ଯେଉଁ ଶିଶୁମାନେ ମୃତ, ସେମାନଙ୍କୁ ଯଥାରୀତି ଶେଷକୃତ୍ୟ କରାଯାଉ। ଏଣେ ତେଣେ ଫିଙ୍ଗି ନଦିଆଯାଉ। କୁକୁର ଝୁଣି ଖାଉଥିବାର ଦୃଶ୍ୟ ଦୁଃଖ ଦିଏ। ଆଉ ଯେଉଁ ମା’ ମାନେ ଶିଶୁମାନଙ୍କୁ ଜୀବିତ ଅବସ୍ଥାରେ ଫିଙ୍ଗି ଦେଉଛନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories