ଶବ୍ଦ ବିସ୍ଫୋରଣ ଓ କୁମ୍ଭକର୍ଣ୍ଣ ନିଦ୍ରା

ବୋଧହୁଏ, ତାମସା ଓ ଉନ୍ମାଦର ଅନ୍ୟ ନାମ ଉତ୍ସବ। ଏବେ ଲାଗିଲାଣି, ଡିଜେ (ଅତ୍ୟୁଚ୍ଚ ଶବ୍ଦକାରୀ ବାଜଣାଯନ୍ତ୍ର) ବିନା ବିବାହ ଭଳି ଘରୋଇ ଉତ୍ସବ, ସାର୍ବଜନୀନ ପୂଜା ବା ଯେକୌଣସି ବିଜୟ ପର୍ବ ସଂପୂର୍ଣ୍ଣ ହେବନାହିଁ। ଅଳ୍ପଦିନ ତଳେ ଦୁର୍ଗାପୂଜା ଉତ୍ସବର ନିନାଦ ଅବିଶ୍ରାନ୍ତ ଚାଲିଥିଲା। ଶେଷ ଦିନ ଭସାଣି ଶୋଭାଯାତ୍ରା ସହର ଗଳି ପରିକ୍ରମା କରୁଥିଲା। ସହରର ପ୍ରାୟ ପ୍ରତି ଘର ରାସ୍ତାଠାରୁ ମାତ୍ର ତିରିଶ କି ଚାଳିଶ ଫୁଟ ଦୂରରେ। ଅତି ଗରିବଙ୍କ ଘର ତ ନିଷ୍କାସନ ନାଳକୁ ଲାଗି, ରାସ୍ତା ଉପରେ କହିଲେ ଚଳେ। ସେ’ ତ ‘ଶୋଭା’ଯାତ୍ରା ନ ଥିଲା, ଥିଲା ଏକ ଉନ୍ମତ୍ତ ଉଛୃଙ୍ଖଳ ଯୁବକଙ୍କ ଏକ ଭୀଷଣ ପଟୁଆର; ମାଇକ, କୀର୍ତ୍ତନ, ପାରମ୍ପରିକ ଢୋଲ-ନାଗରା ବାଦ୍ୟ ସହିତ ଡିଜେର ଆକାଶ-ଫଟା କୃତ୍ରିମ ଓ ପ୍ରଲମ୍ବିତ ବଜ୍ର-ନିର୍ଘୋଷ। ଘର ଫାଟି ପଡୁଥାଏ, ଝରକା ଓ ଦ୍ବାରା କବାଟମାନ ଖାଲି ତ କମ୍ପୁ ନଥାନ୍ତି, ସେଗୁଡ଼ିକରୁ ଶୁଭିଲା ଭଳି ଶବ୍ଦ ବାହାରୁଥାଏ। ମୁଖ୍ୟତଃ ଡିଜେର ବୈଦ୍ୟୁତିକ ତରଙ୍ଗ ସହସ୍ର ତୀର ଭଳି ଚତୁଃପାର୍ଶ୍ବ ଭେଦ କରୁଥାଏ। ଆମେ କେବଳ ଘରର କବାଟ ବନ୍ଦ କରି ଅପେକ୍ଷା କରୁଥାଉ କେତେବେଳେ ଦୂରକୁ ଚାଲିଯିବ ଏହି ଶବ୍ଦର ସୁନାମି।
ତା’ର ଦୁଇଦିନ ପରେ ଖବରକାଗଜ ପ୍ରଥମ ପୃଷ୍ଠାରେ ଅଶୁଭ ଖବର ଆସିଲା- ଡିଜେ ଶବ୍ଦ ପ୍ରଭାବରେ ଟଳିପଡ଼ିଲେ ବୃଦ୍ଧ, ଯାହା ଜମା ଆଶ୍ଚର୍ଯ୍ୟପ୍ରଦ ନଥିଲା। ଖବରଠାରୁ ଅପହଞ୍ଚ ଆହୁରି କେତେ ମୃତ୍ୟୁ ଘଟଣା ଘଟିଥିବ, ତା’ର ହିସାବ ରଖୁଛି କିଏ? ଆମେ ଏକ ସମାଜରେ ରହିଛୁ, ଯେଉଁଠି ମୃତ୍ୟୁ ନ ହେବା ଯାଏ ଘଟଣା ଖବର ହୋଇପାରେ ନାହିଁ, ସେଠି ଶବ୍ଦର ଉପଦ୍ରବ ନୀରବରେ ସହିଯାଉଥିବା ରୁଗ୍‌ଣ ବରିଷ୍ଠ ବୃଦ୍ଧ-ବୃଦ୍ଧାଙ୍କ କଥା କିଏ ପଚାରେ? କିଏ ବୁଝିବାକୁ ଚେଷ୍ଟା କରେ ଶବ୍ଦର ବିସ୍ଫୋରଣରେ ଚମକି ନିଦରୁ ଉଠିପଡୁଥିବା ଅଗଣିତ କୋମଳମତି ଶିଶୁଙ୍କ ଅବସ୍ଥା? ଏ ପ୍ରକାର ଭୟଙ୍କର ଅଶୋଭନୀୟ ଯାତ୍ରା ଓ ତା’ ସହିତ ଏ କାଳରେ ଅପରିହାର୍ଯ୍ୟ ହୋଇପଡ଼ିଥିବା ଡିଜେ ଉନ୍ମାଦର ନେତୃତ୍ବ ନେଉଥିବା ଯୁବଗୋଷ୍ଠୀ ଆଗରେ ଭଦ୍ର, ଶିକ୍ଷିତ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସେମାନଙ୍କ ଅସଂଖ୍ୟ ସଂସ୍ଥା, ଏପରିକି ନିର୍ବାଚିତ ପ୍ରତିନିଧି ଓ ଜିଲା ପ୍ରଶାସନ, ଯାହାର ଶୃଙ୍ଖଳା ରକ୍ଷକ ପ୍ରତିନିଧି ଭାବେ ପୁଲିସ ଦଳ ଶୋଭାଯାତ୍ରାରେ ଜଗୁଆଳ ସାଜି ଚାଲିଥାନ୍ତି- ଏମାନେ ଏତେ ଶକ୍ତିହୀନ, ନିଷ୍କ୍ରିୟ ହୋଇପଡ଼ନ୍ତି କାହିଁକି?
ଶବ୍ଦର ମାପହୁଏ ଡେସିବେଲ ମାନଦଣ୍ଡରେ। କୋଠରି ଭିତରେ ରେଡିଓ କିମ୍ବା ଟିଭି ଶୁଣିବା ପାଇଁ ଆମେ ଚାଳିଶ ଡେସିବେଲ ସ୍ତର ବ୍ୟବହାର କରୁ। ପ୍ରେକ୍ଷାଳୟରେ ପଚାଶରୁ ଷାଠିଏ ଡେସିବେଲ ଯଥେଷ୍ଟ। ବହୁତ ବଡ଼ ଧରଣର ଖୋଲା ସ୍ଥାନରେ ଭାଷଣ କିମ୍ବା ସଂାସ୍କୃତିକ ପରିବେଷଣ ଶୁଣିବା ସକାଶେ ସର୍ବାଧିକ ନିରାପଦ ଶବ୍ଦ ସ୍ତର ହେଉଛି ଅଶୀ କିମ୍ବା ପଞ୍ଚାଅଶୀ ଡେସିବେଲ। ପଞ୍ଚାଅଶୀରୁ ଅଧିକ ଉଚ୍ଚରେ ବାଜୁଥିବା ଶବ୍ଦ କ୍ଷତିକାରକ। କାନ ବଧିରା ପଡ଼ିବା, ଶ୍ରୁତି ଶକ୍ତି ହ୍ରାସ ପାଇବା ତଥା ରକ୍ତଚାପ, ହୃତ୍‌ସ୍ପନ୍ଦନ ବୃଦ୍ଧି, ମାନସିକ ଅବସାଦ ଭଳି ରୋଗ ଉଚ୍ଚ ଶବ୍ଦର ପରିଣତି ହୋଇପାରେ। ବ୍ୟାଧିଗ୍ରସ୍ତ ମଣିଷ ଉପରେ ଆହୁରି ସାଂଘାତିକ ପ୍ରଭାବ ପଡ଼ିବା କିଛି ବିଚିତ୍ର ନୁହେଁ। ଆମ ଚାରିପାର୍ଶ୍ବରେ ବ୍ୟବହୃତ ହେଉଥିବା ଡିଜେ ଶବ୍ଦ ୧୦୦ କିମ୍ବା ଅଧିକ ଡେସିବେଲ ସ୍ତରର; ତଦନୁସାରେ ଆଘାତ ମଧ୍ୟ।
ପୂଜା ପର୍ବ ନାମରେ ଅନେକ ଅନୈତିକ ଓ ବେଆଇନ କାମ ଦଣ୍ଡ-ଛାଡ଼ ହୋଇଯାଆନ୍ତି। ଧାର୍ମିକ ଚାନ୍ଦା ଆଦାୟ ବେଳେ ଜୁଲମ କ୍ବଚିତ ଅଭିଯୋଗର ରୂପ ନେଇପାରେ, କାରଣ କେତେକ ଜୁଲମକାରୀ ସାହିଗୁଣ୍ଡା ଭାବେ ପରିଚିତ ଥାଆନ୍ତି; ଅଭିଯୋଗ ନ ପାଇଲା ଯାଏ ପୁଲିସ ଘଟଣା ଦେଖି ମଧ୍ୟ ଦେଖେନାହିଁ। ଅଷ୍ଟପ୍ରହର ନାମ ଯଜ୍ଞ ବିନା ମାଇକରେ ପୁଣ୍ୟପ୍ରଦ ହୁଏନାହିଁ। ଶବ୍ଦ ପ୍ରଦୂଷଣ ଯୋଗୁ ପିଲାଙ୍କ ପାଠ ପଢ଼ାରେ ଯଦି କ୍ଷତି ହେଉଥାଏ, ଆଧ୍ୟାତ୍ମିକ ବାତାବରଣ ଯୋଗୁ ମିଳୁଥିବା ଲାଭ ତୁଳନାରେ ସେ କ୍ଷତି ନଗଣ୍ୟ ବିଚାର କରାଯାଏ। ଆଉ ଧର୍ମାନୁଷ୍ଠାନକୁ ଦାନରେ ମିଳୁଥିବା ଅର୍ଥ କଳା କି ଧଳା କେହି ପଚାରନ୍ତି ନାହିଁ ; କଳା ହେଲେ ବି ଧର୍ମ କାର୍ଯ୍ୟରେ ଲାଗୁଥିବାରୁ ଦାତାଙ୍କର ପୁଣ୍ୟଲାଭ ହିଁ ହୁଏ। ଶାସ୍ତ୍ର ତ ସଦା ଏକ ଜଡ଼ ବସ୍ତୁ; ଶାସ୍ତ୍ରର ପ୍ରୟୋଗକାରୀ, ବକ୍ତା ବା ପ୍ରବକ୍ତାମାନେ ଉତ୍ସବ ସାଙ୍ଗରେ ଚାଲିଥିବା ତାମସାକୁ କେବେ ସମାଲୋଚନା କରନ୍ତି ନାହିଁ।
ସାର୍ବଜନୀନ ପୂଜୋତ୍ସବ, ବିଶେଷତଃ ଯେଉଁଗୁଡ଼ିକର ଛବି ଓ ପ୍ରଚାର ଗଣମାଧ୍ୟମରେ ପ୍ରକାଶିତ ହୁଏ, ସେସବୁର ଆୟୋଜନ ପଛରେ କିଏ ଥାଆନ୍ତି? ଆଜିକାଲିର ବଡ଼ ବଡ଼ ମଣ୍ଡପର ବ୍ୟୟ ପ୍ରାୟ କୋଟିଏ ବା ଊର୍ଦ୍ଧ୍ବ। ଏତେ ପଇସା ଆସେ କେଉଁଠୁ? ସାଧାରଣ ଜୀବିକା ଥିବା ଲୋକଙ୍କ ଚାନ୍ଦା ତ ସମୁଦ୍ରକୁ ଶଙ୍ଖେ ହେବ; ପୁଞ୍ଜିପତିମାନଙ୍କ ଦାନ ବିନା ଏତେ ବିଶାଳ ଉତ୍ସବ କଦାପି ସମ୍ଭବ ନୁହେଁ ଏବଂ ପୁଞ୍ଜିପତି କେବେ ଆଧ୍ୟାତ୍ମିକତାପ୍ରିୟ, ସଂଯମୀ ଓ ନୀତିବାନ ହେବା ଇତିହାସରେ ଦେଖାଯାଏ କି? ବଢ଼ୁଥିବା ବଜାର ସଂସ୍କୃତି, ତା’ ସହିତ ସମାଜର ନୀରବ ସମର୍ଥନ ପାଇଥିବା ଜୁଆ, ଲଟେରି, କମ୍ପାନୀମାନଙ୍କ ମିଥ୍ୟା ପ୍ରଲୋଭନ ଏବଂ ସରକାର-ପ୍ରୋତ୍ସାହିତ ମଦ୍ୟପାନ- ଏସବୁକୁ ମିଶାଇ ଆମେ ଯେଉଁ ସାମାଜିକ ଜୀବନ ପାଇଛୁ, ସେହି ନୈତିକ ଅତିକ୍ରମଣରୁ ଉଦ୍ଭୂତ ସନ୍ତାନ – ଡିଜେ।
ଯଦି ସଙ୍ଗୀତ ବାଜଣା ଆଧ୍ୟାତ୍ମିକ ଚେତନା ଜାଗରଣର ଏକ ମାଧ୍ୟମ ବୋଲି ଆମେ ବିଚାର କରୁ, ତଥାପି ମଧ୍ୟ ପ୍ରଶ୍ନ, ଡିଜେ କି ପ୍ରକାର ସଂଗୀତର ବାହକ? ଆମେ ତାମସିକତାକୁ କେତେଦିନ ଧର୍ମ, ସଂସ୍କୃତି ବା ଏପରିକି ପାରିବାରିକ ଉଲ୍ଲାସ ଇତ୍ୟାଦି ନାମ ଦେବା ? କେତେଦିନ ଏପରି ଛଳନା ଚାଲିବ?
ଶେଷରେ, କୁମ୍ଭକର୍ଣ୍ଣର କାମ କଅଣ? ଶୋଇବା! ହଁ, ପୂରା ନିଶ୍ଚିନ୍ତ ଓ ଦୀର୍ଘ ନିଦ୍ରାରେ ଶୋଇବା। କାରଣ ସେ କେବଳ କ୍ଷମତା ଓ ରାଜୁତିରେ ବିଶ୍ବାସ କରେ। ଡିଜେର ଶବ୍ଦ ତା’ କର୍ଣ୍ଣ ପଟଳ ଭେଦ କରିପାରେ ନାହିଁ। ରାଜ୍ୟରେ ଯେତେ ସ୍ଖଳନ ବଢ଼ିବ, ପ୍ରଜାଏ ଯେତେ ତାମସାରେ ମସଗୁଲ ରହିବେ ଓ ଶରୀର ମନରେ ଯେତେ ଦୁର୍ବଳରୁ ଦୁର୍ବଳତର ହେବେ, କୁମ୍ଭକର୍ଣ୍ଣର ନିଦ୍ରା ସେତେ ସୁଖଦ ହେବ।

 

prayash

ସତ୍ୟବ୍ରତ ବାରିକ୍‌
ବାରିପଦା,ଦୂରଭାଷ:୯୯୩୮୦୦୯୧୮୧

kalyan agarbati

Comments are closed.