ପ୍ରୋ ଲିଗ୍‌ ହକି : କଳିଙ୍ଗରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଆଜି

ଭୁବନେଶ୍ବର : ଏଫ୍‌ଆଇଏଚ୍‌ ପୁରୁଷ ହକି ଲିଗ୍‌ର ୪ର୍ଥ ସଂସ୍କରଣ ୨୦୨୨-୨୩ ଶୁକ୍ରବାରଠାରୁ ଆରମ୍ଭ ହେଉଛି । ଭାରତ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ୨୦୨୩ ବିଶ୍ବକପ ପୂର୍ବରୁ ପ୍ରୋ ଲିଗ ହକି ଲିଗ୍‌ ଖେଳି ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଦଳ ପ୍ରସ୍ତୁତି ଲକ୍ଷ୍ୟ ରଖିଛନ୍ତି। ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରଖିଛି। ବିଶ୍ବ ମାନ୍ୟତାର ୫ନଂ ଭାରତୀୟ ଦଳରେ ଅଭିଜ୍ଞ ଗୋଲରକ୍ଷକ ପି.ଆର ଶ୍ରୀଜେଶ, ସୁରେନ୍ଦର କୁମାର, ଜର୍ମନପ୍ରୀତ ସିଂହ, ମନଦୀପ୍‌ ମୋର, ଅମିତ ରୋହିଦାସଙ୍କ ଭଳି ଖେଳାଳି ରହିଛନ୍ତି। ଦଳ ବିଶ୍ବକପ ପୂର୍ବରୁ ପ୍ରସ୍ତୁତି ଲକ୍ଷ୍ୟ ନେଇ ଉକ୍ତ ମ୍ୟାଚ ଖେଳିବ। ଭାରତୀୟ ଦଳରେ ୨ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ଖେସ ସ୍ଥାନ ପାଇଛନ୍ତି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ କହିଛନ୍ତି, ୨୦୨୩ ବିଶ୍ବକପ ପ୍ରସ୍ତୁତି​‌େ​ର ପ୍ରୋ-ଲିଗ୍‌ ହକି ବେଶ ସହାୟକ ହେବ। ଏଥିପାଇଁ ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ସ୍ଥାନ ମିଳିଛି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଖେଳାଳିମାନଙ୍କ ଫିଟ୍‌ନେସ, ଦକ୍ଷତାକୁ ମାପିବାରେ ଉକ୍ତ ପ୍ରତିଯୋଗିତା ବେଶ ସହାୟକ ହେବ। ଉକ୍ତ ସଂସ୍କରଣରେ ଆମେ ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ସହିତ ଖେଳିବୁ। ବିଜୟ ସହ ଦଳ ଅଭିଯାନ ଆରମ୍ଭ କରିବା ଆମର ଲକ୍ଷ୍ୟ ରହିଛି ବୋଲି ରିଡ୍‌ କହିଛନ୍ତି। ଅନ୍ୟପକ୍ଷରେ ଏଫ୍‌ଆଇଏଚ୍‌ ମାନ୍ୟତାରେ ୯ନମ୍ବର ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ମଧ୍ୟ ଭାରତକୁ କଡା ଟକ୍କର ଦେବାର ଲକ୍ଷ୍ୟ ରଖିଛି।
ଏଫ୍‌ଆଇଏଚ୍‌ ପ୍ରୋ-ଲିଗ ହକି ୨୦୨୨-୨୩ରେ ବିଶ୍ବର ୯ଟି ଶ୍ରେଷ୍ଠ ଦଳ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ଜର୍ମାନୀ,ଗ୍ରେଟ୍‌ ବ୍ରିଟେନ, ଭାରତ, ନେଦରଲାଣ୍ଡ୍‌ସ, ନ୍ୟୁଜିଲାଣ୍ଡ ଓ ସ୍ପେନ ରହିଛନ୍ତି। ଏଫଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି ୨୦୧୯ ପ୍ରଥମ ସଂସ୍କରଣରେ ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଥିବାବେଳେ ବେଲଜିୟମ ରନର୍ସଅପ, ୨୦୨୦-୨୧ରେ ବେଲଜିୟମ ଚମ୍ପିଆନ, ଅଷ୍ଟ୍ରେଲିଆ ରନର୍ସଅପ ଓ ଭାରତ ୪ର୍ଥ, ୨୦୨୧-୨୨ରେ ନେଦରଲାଣ୍ଡ୍‌ସ ଚମ୍ପିଆନ, ବେଲଜିୟମ ରନର୍ସଅପ ଓ ଭାରତ ୩ୟ ସ୍ଥାନ ହାସଲ କରିଥିଲା।

kalyan agarbati

Comments are closed.