ଦୃଷ୍ଟିହୀନଙ୍କ ଅସହ୍ୟ ଯାତନା : ପଟ୍ଟା ଧରି ଜମି ଖୋଜାରେ ୨୪ ବର୍ଷ

ଜଗତସିଂହପୁର (ରାଧାକାନ୍ତ ମିଶ୍ର) : ବିରିଡି ତହସିଲ ଅଧୀନ ଅଢଙ୍ଗଗଡ଼ର ବାସିନ୍ଦା ଦୃଷ୍ଟିହୀନ ଶିବପ୍ରସାଦ ରାଉଳ। ଦୀର୍ଘ ୨୪ ବର୍ଷ ପୂର୍ବେ ଦୃଷ୍ଟିହୀନଙ୍କୁ ସରକାରୀ ଯୋଜନାରେ ଯେଉଁ ଜାଗା ଖଣ୍ଡେ ମିଳିଥିଲା ଆଜି ବି ତାହା ତାଙ୍କୁ ମିଳିପାରିନି। ସେ କେବଳ ଜମିର ପଟ୍ଟା ଧରି ବାରଦ୍ବାର ହେଉଛନ୍ତି । ଶେଷରେ ବର୍ତ୍ତମାନର ପ୍ରଶାସନିକ ଅଧିକାରୀ ଯେଉଁ ଜମି ଖଣ୍ଡିକ ତାଙ୍କୁ ଦେଇଛନ୍ତି ତାହା ମଧ୍ୟ ପୂର୍ବରୁ ଜବରଦଖଲରେ ରହିଛି । ସେଠାରେ ଏକ ଘର ଅଛି । ତେଣୁ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଜାଗା ପାଇଁ ତାଙ୍କ ୨୪ ବର୍ଷର ସଂଘର୍ଷର ଅନ୍ତ କେବେ ହେବ ସେହି ଅପେକ୍ଷାରେ ରହିଛନ୍ତି ଦୃଷ୍ଟିହୀନ ଶିବ ।
୧୯୯୮ ମସିହାରେ ସରକାର ଭିନ୍ନକ୍ଷମଙ୍କୁ ୪ ଡେସିମିଲ ଜାଗା ଯୋଗାଇ ଦେଉଥିଲେ ମୁଣ୍ଡ ଗୁଞ୍ଜିବା ପାଇଁ । ସେହି ଯୋଜନାରେ ସେତେବେଳେ ଅନ୍ତର୍ଭୁକ୍ତ କରାଯାଇଥିଲା ଜଗତସିଂହପୁର ତହସିଲ ଅଧୀନ ଅଢଙ୍ଗଗଡ଼ ବାସିନ୍ଦା କୁଳମଣି ରାଉଳଙ୍କ ଦୃଷ୍ଟିହୀନ ପୁଅ ଶିବପ୍ରସାଦ ରାଉଳଙ୍କୁ । ସେ ୨୪ବର୍ଷ ହେଲା ଜମି ପାଇବାକୁ ତହସିଲରୁ କମିସନର ପର୍ଯ୍ୟନ୍ତ ଦୌଡୁଛନ୍ତି । ଏହା ଭିତରେ ଏବେ ଅଢ଼ଙ୍ଗଗଡ଼ ବିରିଡି ତହସିଲ ଅଧୀନକୁ ଆସିଛି । ଗ୍ରାମର କୁଳମଣି ରାଉଳଙ୍କ ୩ ପୁଅ ମଧ୍ୟରେ ସାନ ହେଉଛନ୍ତି ଶିବପ୍ରସାଦ ରାଉଳ। ଶିବ ୫/୬ବର୍ଷର ହୋଇଥିବା ବେଳେ ଆଖିଧରା ରୋଗରୁ ତାଙ୍କର ଦୁଇଟି ଯାକ ଆଖି ନଷ୍ଟ ହୋଇଗଲା। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଠିକ୍‌ ଭାବେ ଚିକିତ୍ସା ମଧ୍ୟ କରାଇ ପାରିନଥିଲେ। ଦୃଷ୍ଟିହୀନ ହୋଇଯିବା ପରେ ତାଙ୍କ ଭବିଷ୍ୟତ ବି ଅନ୍ଧକାରମୟ ହୋଇଗଲା। ମାତ୍ର ୧୨/୧୩ବର୍ଷ ବୟସରୁ ବସ୍‌ରେ ଚଢି ଭିକ୍ଷାବୃତ୍ତି କଲେ। ପରେ ଦୀର୍ଘ ପ୍ରାୟ ୩୦ବର୍ଷ ହେଲା ରେଳରେ ଭିକ୍ଷାବୃତ୍ତି କରୁଛନ୍ତି। ତେବେ ୧୯୯୮ ମସିହାରେ ତତ୍କାଳୀନ ରାଜ୍ୟ ସରକାର ଭିନ୍ନକ୍ଷମମାନଙ୍କୁ ମୁଣ୍ଡଗୁଞ୍ଜିବା ପାଇଁ ୪ ଡେସିମିଲ ଜମି ଯୋଗାଇ ଦେବାକୁ ସ୍ଥିର କରିଥିଲେ। ସେତେବେଳେ ବିରିଡି ଏକ ତହସିଲ ହୋଇ ନ ଥିବା ଯୋଗୁ ଜଗତସିଂହପୁର ତହସିଲ ଅଧୀନରେ ଅଢଙ୍ଗଗଡ଼ ଥିଲା। ଜଗତସିଂହପୁରର ତତ୍କାଳୀନ ତହସିଲଦାର ପ୍ରସନ୍ନ ପଟ୍ଟନାୟକ ଶିବଙ୍କୁ ଏହି ଯୋଜନାରେ ୪ ଡେସିମିଲ ଜମି ଦେବାର ବ୍ୟବସ୍ଥା କରିଥିଲେ । ୧୯୯୯ ମସିହା ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜଗତସିଂହପୁରରେ ତାଙ୍କୁ ୪ ଡେସିମିଲ ଜମିର ପଟ୍ଟା ତତ୍କାଳୀନ ଜିଲାପାଳ ପ୍ରଦାନ କରିଥିଲେ। ପରେ ତହସିଲଦାର ତାଙ୍କୁ ପଟ୍ଟା ଅନୁସାରେ ଜମିର ପଜେସନ ଦେବେ ଦେବେ ବୋଲି ବିଳମ୍ବ କଲେ। ଚିହ୍ନଟ ପାଇଁ ଆବେଦନ କରିବାକୁ ରାଜସ୍ୱ ନିରୀକ୍ଷକ କହିଲେ, ଶିବ ଆବେଦନ ମଧ୍ୟ କଲେ। ଡିସେମ୍ବରରେ ଦଖଲ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ; ମାତ୍ର ଅକ୍ଟୋବର ମାସରେ ମହାବାତ୍ୟା ହୋଇଗଲା । ତେଣୁ ୨/୩ବର୍ଷ ପର୍ଯ୍ୟନ୍ତ କେହି ତାଙ୍କ କଥା ଶୁଣିଲେ ନାହିଁ। ମହାବାତ୍ୟାରେ ଘର ଭାଙ୍ଗିଯିବାରୁ ଖାଲିଥିବା ଉକ୍ତ ସରକାରୀ ଜମିକୁ ଅନ୍ୟମାନେ ମାଡିବସି ରହିଲେ ଓ ପରେ ଘର କରିଦେଲେ। ରାଜନୈତିକ ନେତା ସେମାନଙ୍କୁ ଉଚ୍ଛେଦ ନ କରିବାକୁ ଚାପ ପକାଇବାରୁ ତହସିଲଦାର ମଧ୍ୟ ଶୁଣିଲେ ନାହିଁ ।
ତହସିଲଦାରଙ୍କ ଠାରୁ ଜିଲାପାଳଙ୍କ ପର୍ଯ୍ୟନ୍ତ ବହୁ ଅଧିକାରୀଙ୍କ ପାଖକୁ ଦୌଡି ନୟାନ୍ତ ହେଲେ ଦୃଷ୍ଟିହୀନ ଶିବ। ୨୦୧୮ରେ ଭିନ୍ନକ୍ଷମ କମିସନରଙ୍କ ବିରିଡି ଗସ୍ତ ବେଳେ ଶିବପ୍ରସାଦ ତାଙ୍କୁ ଭେଟି ଅଭିଯୋଗ କରିଥିଲେ। କମିସନର ଏ ସଂକ୍ରାନ୍ତରେ ତତ୍କାଳୀନ ଜିଲାପାଳ ୟାମିନୀ ଷଢଙ୍ଗୀଙ୍କୁ ଚିଠି କରିଥିଲେ ଶିବଙ୍କୁ ଜମି ପଜେସନ ଦେବା ପାଇଁ । ଜିଲାପାଳ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦେଲେ; ମାତ୍ର କିଛି ଫଳ ହେଲା ନାହିଁ। ପରେ ଉତ୍କଳ ଦୃଷ୍ଟିହୀନ ସଂଘ ସଭାପତି ସନ୍ନ୍ୟାସୀ ବେହେରା ଏ ବିଷୟରେ ଜଗତସିଂହପୁର ଜିଲା ଆଇନସେବା ପ୍ରାଧିକରଣକୁ ଜଣାଇଲେ । ପ୍ରାଧିକରଣ ପକ୍ଷରୁ ବିରିଡି ତହସିଲଦାରଙ୍କୁ ଚିଠି କରାଗଲା। ବିରିଡି ତହସିଲଦାର ଗତ ସେପ୍ଟେମ୍ବର ୧୯ତାରିଖରେ ଅଢଙ୍ଗଗଡ଼ ଯାଇ ଶିବଙ୍କୁ ଡାକି ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ପାଖରେ ଥିବା ଆଉ ଏକ ସରକାରୀ ଜମି ଦେଖାଇ ଦେଇଛନ୍ତି। ତେବେ ସେହି ଜମିରେ ଅନ୍ୟ ଜଣେ ବ୍ୟକ୍ତି ପୂର୍ବରୁ ଘର କରି ଔଷଧ ଦୋକାନ କରିଥିଲେ। ଦୋକାନ ଏବେ ନାହିଁ କିନ୍ତୁ ଭଙ୍ଗା ଘର ଅଛି ଓ ସେ ଜମି ଛାଡିବାକୁ ରାଜି ନୁହନ୍ତି ବୋଲି ଶିବ କହୁଛନ୍ତି । ଦୀର୍ଘ ୨୪ ବର୍ଷ ପରେ ତହସିଲଦାର ଜମି ଖଣ୍ଡେ ଦେଖାଇ ଦେଇଛନ୍ତି; ମାତ୍ର ବିବାଦ ଯୋଗୁଁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ବିଷୟରେ ବିରିଡି ତହସିଲଦାରଙ୍କୁ ପଚାରିବାରୁ ସେ ନିଜେ ଯାଇ ସ୍ଥାନୀୟ ସରପଞ୍ଚ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଜମି ଦେଖାଇ ଆସିଛନ୍ତି। ପୂର୍ବରୁ ଦୋକାନ କରିଥିବା ଲୋକ ମଧ୍ୟ ଉପସ୍ଥିତ ଥିଲେ ଓ ଏ ବିଷୟରେ ରିପୋର୍ଟ ମଧ୍ୟ ଦେଇଛୁ ବୋଲି ସେ କହିଛନ୍ତି।

kalyan agarbati

Comments are closed.