କେଦାରନାଥ ଗର୍ଭଗୃହ ସ୍ବର୍ଣ୍ଣ ଆଚ୍ଛାଦିତ

ଡେରାଡୁନ୍‌  : କେଦାରନାଥ ମନ୍ଦିର ଗର୍ଭଗୃହକୁ ସ୍ବର୍ଣ୍ଣରେ ଆଚ୍ଛାଦିତ କରିବା କାର୍ଯ୍ୟ ଶେଷ ହୋଇଛି। ଶୀତଋତୁ ପାଇଁ କେଦାରନାଥ ମନ୍ଦିର ଗୁରୁବାରଠାରୁ ବନ୍ଦ ହୋଇଥିବା ବେଳେ ଏହାର ଗୋଟିଏ ଦିନ ଆଗରୁ ଗର୍ଭଗୃହକୁ ସ୍ବର୍ଣ୍ଣରେ ଆଚ୍ଛାଦିତ କରାଯିବା କାମ ଶେଷ ହୋଇଥିଲା।
ଗତ ଦୀପାବଳିରୁ କେଦାରନାଥ ଗର୍ଭଗୃହକୁ ସ୍ବର୍ଣ୍ଣରେ ଆଚ୍ଛାଦିତ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗର୍ଭଗୃହରେ ୫୫୦ଟି ସ୍ବର୍ଣ୍ଣ ଫଳକ ଲଗାଯାଇଥିଲା। ୧୯ଜଣ କାରିଗର ଏହି କାମ ସମ୍ପନ୍ନ କରିଥିଲେ। ଏଏସ୍‌ଆଇର ଦୁଇ ଅଧିକାରୀ କାମ ତଦାରଖ କରିଥିଲେ। ସ୍ବର୍ଣ୍ଣ ଫଳକ ଲଗାଯିବା ପୂର୍ବରୁ କାନ୍ଥର ମାପଚୁପ କରାଯିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା। ସପ୍ତାହକ ପୂର୍ବରୁ ଆଇଆଇଟି ରୁରକି ଓ ଏଏସ୍‌ଆଇର ଅଧିକାରୀମାନେ କେଦାରନାଥ ମନ୍ଦିର ଗର୍ଭଗୃହ ଅନୁଧ୍ୟାନ କରିଥିଲେ। ସେମାନଙ୍କ ପରାମର୍ଶକ୍ରମେ ଗର୍ଭଗୃହରେ ସୁନା ଫଳକ ଲଗାଯାଇଥିଲା।
ସୂଚନାଥାଉ କି ୨୦୧୭ରେ କେଦାରନାଥ ମନ୍ଦିର ଗର୍ଭଗୃହକୁ ରୁପାରେ ଆଚ୍ଛାଦିତ କରାଯାଇଥିଲା। ଏଥିନିମନ୍ତେ ୨୩୦ କେଜି ରୁପା ବ୍ୟବହାର ହୋଇଥିଲା। ବର୍ତ୍ତମାନ ରୁପା ଫଳକ ହଟାଯାଇ ସେଠାରେ ସ୍ବର୍ଣ୍ଣ ଫଳକ ଲଗାଯାଇଛି। ଗର୍ଭଗୃହର କାନ୍ଥ ବ୍ୟତୀତ ଶିବଲିଙ୍ଗ ଚାରିପଟ, ଛାତ ଆଦିକୁ ସ୍ବର୍ଣ୍ଣରେ ଆଚ୍ଛାଦିତ କରାଯାଇଛି। ତେବେ କେତେ ପରିମାଣର ସ୍ବର୍ଣ୍ଣ ବ୍ୟବହାର ହୋଇଛି ଏବଂ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ସଂପର୍କରେ ଅଧିକାରୀମାନେ କୌଣସି ସୂଚନା ଦେଇ ନାହାନ୍ତି। ଗତ ଅଗଷ୍ଟରେ ଶ୍ରୀ ବଦ୍ରିନାଥ କେଦାରନାଥ ମନ୍ଦିର କମିଟି (ବିକେଟିସି) ତରଫରୁ କେଦାରନାଥ ମନ୍ଦିର ଗର୍ଭଗୃହକୁ ସ୍ବର୍ଣ୍ଣରେ ଆଚ୍ଛାଦିତ କରିବା ନିମନ୍ତେ ଅନୁମତି ପ୍ରଦାନ ପାଇଁ ଉତ୍ତରାଖଣ୍ଡ ସରକାରଙ୍କୁ ପତ୍ର ଲେଖାଯାଇଥିଲା।

kalyan agarbati

Comments are closed.