ଟି୨୦ ବ୍ୟାଟିଂ ମାନ୍ୟତାର ୯ମ ସ୍ଥାନରେ କୋହଲି
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ଜାରି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାର ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ତାରକା ଭାରତୀୟ ବ୍ୟାଟସମ୍ୟାନ୍ ବିରାଟ କୋହଲି। ବୁଧବାର ଆଇସିସି ତରଫରୁ ଜାରି ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାରେ କୋହଲି ୫ଟି ସ୍ଥାନ ଉପରକୁ ଉଠି ୯ନଂରେ ରହିଛନ୍ତି। ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଗତ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଚମତ୍କାର ବ୍ୟାଟିଂ କରି ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ କୋହଲିଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ଏହି ମ୍ୟାଚ୍ରେ କୋହଲି ଅପରାଜିତ ୮୨ ରନ୍ କରିଥିଲେ। ସେଥିରେ ୬ଟି ଚୌକା ଓ ୪ଟି ଛକା ରହିଥିଲା।
ବ୍ୟାଟିଂ ମାନ୍ୟତାରେ ପାକିସ୍ତାନର ୱିକେଟରକ୍ଷକ ବ୍ୟାଟସମ୍ୟାନ୍ ମହମ୍ମଦ ରିଜୱାନ୍ ୮୪୯ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ନ୍ୟୁଜିଲାଣ୍ଡର ଓପନର୍ ଡେଭନ୍ କନୱେ ୩ଟି ସ୍ଥାନ ଉପରକୁ ଉଠି ୮୩୧ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। କନ୍ୱେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ୫୮ଟି ବଲ୍ରୁ ୯୨ ରନ୍ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ଭାରତୀୟ ଦଳର ମଧ୍ୟଭାଗ ବ୍ୟାଟସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ୮୨୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ଦଳର ଅଧିନାୟକ ବାବର ଆଜମ୍ ୭୯୯ ପଏଣ୍ଟ ସହ ଚତୁର୍ଥ, ଦକ୍ଷିଣ ଆଫ୍ରିକାର ଆଇଡେନ୍ ମାର୍କରାମ ୭୬୨ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର ଫିନ୍ ଆଲେନ୍ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ୧୬ଟି ବଲ୍ରୁ ବିସ୍ଫୋରକ ୪୨ ରନ୍ ସଂଗ୍ରହ କରିଥିବାରୁ ୧୭ଟି ସ୍ଥାନ ଉପରକୁ ଉଠି ୧୩ନଂରେ ରହିଛନ୍ତି।
Comments are closed.