ମୋହନା: ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବା ଲାଗି କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। ଗଣଶିକ୍ଷା ବିଭାଗ କହୁଛି ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ। ଅପପୃଷ୍ଟିକୁ ରୋକିବା ଲାଗି ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରିଛନ୍ତି। ହେଲେ ବିଦ୍ୟାଳୟରେ ପିଲାମାନେ ପାଠ ପଢିବେ କଣ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘରେ ବସି ଅଣ୍ଡାର ଖୋଳପା ଛଡାଉଛନ୍ତି। ତା ସହିତ କିଛି ଛାତ୍ରୀ ସହଯୋଗୀ ମିଶି ଖାଇବା ମଧ୍ୟ ପିଲାଙ୍କୁ ବାଢୁଛନ୍ତି। ଏହି ଘଟଣା ଦିନ ୧ ଘଣ୍ଟା ୩୦ ମିନିଟର।
ଏହା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ଡେଙ୍ଗିଲି ପ୍ରାଥମିକ ବିଦ୍ୟାଳୟର। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଯାଏଁ ୬୩ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ନ୍ତି। ପ୍ରଧାନ ଶିକ୍ଷକ ମୂରଲୀ ଚୌଧୁରୀଙ୍କ ସମେତ ୪ ଜଣ ଶିକ୍ଷକ ମଧ୍ୟ ଅଛନ୍ତି। ବିଦ୍ୟାଳୟରେ ନାମ ଫଳକ ବି ନାହିଁ। ସୂଚନାଯୋଗ୍ୟ କୌଣସି ମହିଳା ସଂଘକୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହସ୍ତାନ୍ତର ନ କରି ନିଜେ ପ୍ରଧାନ ଶିକ୍ଷକ ବୁଝୁଛନ୍ତି। ଯାହାଫଳରେ ପିଲାମାନେ କାମ କରିବା ପାଇଁ ବାଧ୍ୟ ହେଉଥିବା ଅଭଯୋଗ ହେଉଛି।



