ମୃତ ଶଶୁରଙ୍କୁ କୋଟିଏ ଟଙ୍କା ଫାଇଦା
ଷ୍ଟେଟ୍ ବ୍ୟାଙ୍କ ଜାଲିଆତି, କ୍ଷେତ୍ରାଧିକାରୀଙ୍କ କାରନାମା
ଯାଜପୁର : ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ହୋଇଥିବା ଜାଲିଆତି ଘଟଣାର ପେଡ଼ି କ୍ରମଶଃ ଖୋଲିବାରେ ଲାଗିଛି। ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖାରୁ ଶତାଧିକ ଆକାଉଣ୍ଟରୁ ଫୁଲବାଣୀ ଷ୍ଟେଟ୍ବ୍ୟାଙ୍କ ଶାଖାକୁ ଟ୍ରାନ୍ସଫର କରି ମିଥ୍ୟା କାଗଜ ପତ୍ର ମାଧ୍ୟମରେ କୋଟି କୋଟି ଟଙ୍କାର ଋଣ କରାଯାଇଛି। ରଣ ହୋଇଥିବା ଏହି ଟଙ୍କାକୁ ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାର କେତେକ ବରିଷ୍ଠ ଅଧିକାରୀଙ୍କ ସମେତ କେତେକ ସରକାରୀ ଅଧିକାରୀ ଲୁଟ୍ କରିଥିବାର ଜଣା ପଡିଛି । ଏହି ଲୁଟ ଅର୍ଥର ସିଂହ ଭାଗ ବ୍ୟାଙ୍କର କର୍ମଚାରୀମାନେ ହାତେଇ ଥିବା ବେଳେ ଆଉ କିଛି ଜାଲିଆତିର ମୁଖ୍ୟ ଭୂମିକା ନେଇଥିବା ଭୁବନେଶ୍ୱରର କଳ୍ପନାସ୍ଥିତ କୋଅପରେଟିଭ ସୋସାଇଟିର ସମ୍ପାଦକ ଏବଂ ଫୁଲବାଣୀ ଜିଲା ଯୋଗାଣ ବିଭାଗର ଜଣେ ପୂର୍ବତନ ଯୋଗାଣ ନିରୀକ୍ଷକ ନେଇଛନ୍ତି। ଏହି ଜାଲିଆତି ଘଟଣା ଗତ ମଙ୍ଗଳବାର ‘ସମାଜ’ରେ ପ୍ରକାଶ ପାଇବା ପରେ ଏଥିରେ ସଂପୃକ୍ତ ଥିବା ଦଲାଲମାନେ ଅର୍ଥ ଲୋଭ ଦେଖାଇ ଏବେ ଘଟଣା ଚାପି ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
ମିଳିଥିବା ତଥ୍ୟ ଅନୁଯାୟୀ ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାର କ୍ଷେତ୍ର ଅଧିକାରୀ ଆଶୁତୋଷ ଆଚାର୍ଯ୍ୟଙ୍କ ଶଶୁର ସୁରେନ୍ଦ୍ର ପଣ୍ଡାଙ୍କ ଆକାଉଣ୍ଟକୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଟ୍ରାନ୍ସଫର ହୋଇଥିବାର ଜଣାପଡିଛି। ମୁଖ୍ୟତଃ ଯାଜପୁର ଜିଲାର ବରୀ, କାଇପଡ଼ା, ବ୍ରହ୍ମବରଦା, କୁଆଖିଆ ସମେତ ଅନ୍ୟ କେତେକ ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାକୁ ଟ୍ରାନ୍ସଫର ହୋଇଥିବା ଏକାଉଣ୍ଟରେ ରଣ ହୋଇଥିବା ଟଙ୍କା ମଧ୍ୟରୁ ଅଧିକାଂଶ ଅର୍ଥ ଶ୍ରୀ ପଣ୍ଡାଙ୍କ ଏକାଉଣ୍ଟକୁ ଆସିଛି। ସବୁଠାରୁ ବଡ଼ କଥା ହେଉଛି। ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାର କ୍ଷେତ୍ର ଅଧିକାରୀଙ୍କ ଶଶୁର ଶ୍ରୀ ପଣ୍ଡାଙ୍କ ନାମରେ ୨ଟି ଏକାଉଣ୍ଟ (୨୩ା୯ା୨୦୧୧ ରିଖରେ କରେଣ୍ଟ ଆକାଉଣ୍ଟ ନମ୍ବର ୪୦୪୬୩୬୮୬୦୦୫ ଓ ୧୪ା୬ା୨୧ ସେଭିଙ୍ଗସ୍ଆକାଉଣ୍ଟ ନମ୍ବର ୪୦୨୨୬୭୨୨୬୭୦) ଖୋଲାଯାଇଛି। ଗତ ୨୦୨୧
ନଭେମ୍ବର ୧୫ ତାରିଖରେ ପ୍ରଭାତ କୁମାର ବିଶ୍ବାଳଙ୍କ ନାମରେ ଋଣ ହୋଇଥିବା ୧୩ ଲକ୍ଷ ୪୦ ହଜାର ଟଙ୍କା ମଧ୍ୟରୁ ଶ୍ରୀପଣ୍ଡାଙ୍କ ସେଭିଙ୍ଗସ୍ ଆକାଉଣ୍ଟକୁ ସେହି ଦିନ ୩ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଛି। ସେହିପରି ବିଦୁଲତା ବିଶ୍ବାଳଙ୍କ ନାଁରେ ୨୦୨୨ ଜାନୁଆରୀ ୩ ତାରିଖରେ ହୋଇଥିବା ୧୪ ଲକ୍ଷ ଟଙ୍କା ଋଣ ଅର୍ଥରୁ ସେହି ଦିନ ଶ୍ରୀପଣ୍ଡାଙ୍କ କରେଣ୍ଟ ଆକାଉଣ୍ଟକୁ ୪ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଛି। ଏହି ଭଳି ଅନେକ ବ୍ୟକ୍ତିଙ୍କ ନାଁରେ ହୋଇଥିବା ଋଣ ଅର୍ଥ ଶ୍ରୀ ପଣ୍ଡାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବାର ଜଣା ପଡ଼ିଛି। ସେହିରି ଶ୍ରୀ ପଣ୍ଡାଙ୍କ କରେଣ୍ଟ ଆକାଉଣ୍ଟର ବ୍ୟାଙ୍କ ଷ୍ଟେଟମେଣ୍ଟକୁ ଦେଖିବାରୁ ଜଣାପଡ଼ିଛି ଯେ, ୨୦୨୧ ନଭେମ୍ବର ୧୦ତାରିଖରୁ ୨୦୨୨ ଅଗଷ୍ଟ ୧୦ ତାରିଖ ମଧ୍ୟରେ ଶ୍ରୀ ପ୍ରଣ୍ଡାଙ୍କ ଏକାଉଣ୍ଟରୁ ବିଭିନ୍ନ ଏକାଉଣ୍ଟକୁ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଟ୍ରାନ୍ସଫର କରାଯାଇଛି। ସେହିପରି ୨୦୧୧ ନଭେମ୍ବର ୧୧ ତାରିଖରୁ ୨୦୨୨ ଅଗଷ୍ଟ ୧୦ ତାରିଖ ମଧ୍ୟରେ ୧ କୋଟି ୧୩ ଲକ୍ଷ ୨୭ ହଜାର ଟଙ୍କା ବିଭିନ୍ନ ଆକାଉଣ୍ଟରୁ ଟ୍ରାନ୍ସଫର ହୋଇ ଜମା ହୋଇଛି। ଗତ ୬ ତାରିଖ ସୁଦ୍ଧା ଏହି ଆକାଉଣ୍ଟରେ ୨ ଲକ୍ଷ ୭୬ହଜାର ୭୦୮ ଟଙ୍କା ୧୭ ପଇସା ଜମା ଅଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ସୁରେନ୍ଦ୍ର ପଣ୍ଡାଙ୍କ ଘର ଯାଜପୁର ଜିଲ୍ଲାର ନରସିଂହପୁର (କବିରପୁର ) ଗ୍ରାମରେ। ସେ ସ୍ଥାନୀୟ ହରିପୁର ବଜାରରେ ଛୋଟ ଦୋକାନଟିଏ କରି ନିଜ ପରିବାର ଭରଣ ପୋଷଣ କରୁଥିଲେ; କିନ୍ତୁ ଫୁଲବାଣୀ ଷ୍ଟେଟବ୍ୟାଙ୍କରୁ ସୁରେନ୍ଦ୍ର ପଣ୍ଡାଙ୍କ ଆକାଉଣ୍ଟକୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା କିପରି ଟ୍ରାନ୍ସଫର ହେଲା ଏବଂ ଉକ୍ତ ଅର୍ଥକୁ କେଉଁ କେଉଁ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ତାହା ତଦନ୍ତ ପରିସରକୁ ଆସିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି। ହେଲେ ଶ୍ରୀପଣ୍ଡାଙ୍କ ଜ୍ବାଇଁ ତଥା ଫୁଲବାଣୀ ଷ୍ଟେଟ୍ବ୍ୟାଙ୍କର କ୍ଷେତ୍ର ଅଧିକାରୀ ଆଶୁତୋଷ ଆଚାର୍ଯ୍ୟଙ୍କୁ ଏଥିନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନାହାନ୍ତି।
ଏହି ଜାଲିଆତି ରାକେଟରେ ଯୋଗାଣ ବିଭାଗର ଜଣେ ନିରୀକ୍ଷକ ଏବଂ ତାଙ୍କ ପତ୍ନୀ, ଭୁବନେଶ୍ୱର କଳ୍ପନାସ୍ଥିତ କୋଅପରେଟିଭ ସୋସାଇଟିର ସାଂପାଦକ ଓ ଫୁଲବାଣୀ ଷ୍ଟେଟ୍ବ୍ୟାଙ୍କର କେତେକ କର୍ମଚାରୀଙ୍କ ସଂପୃକ୍ତି ଅଛି ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି, କ୍ଷେତ୍ର ଅଧିକାରୀଙ୍କ ଶଶୁର ଶ୍ରୀପଣ୍ଡାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଟ୍ରାଞ୍ଜାକସନ୍ ହୋଇଥିବା ସନ୍ଦେହ କରାଯାଉଛି। ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଶ୍ରୀପଣ୍ଡାଙ୍କ ଆକାଉଣ୍ଟରୁ କିପରି ଟ୍ରାଞ୍ଜାକସନ୍ ହେଲା ଏବଂ କିଏ ଏହା ପଛରେ ଅଛି ତାହା ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ଦାବି ହେଉଛି।
Comments are closed.