www.samajalive.in
Sunday, December 14, 2025
19.1 C
Bhubaneswar

୬୦ରୁଷ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ଆମେରିକା

ୱାଶିଂଟନ : ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ଆମେରିକା ସରକାର ସୋମବାର ୬୦ଜଣ ରୁଷ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଛନ୍ତି। ଆମେରିକାରେ କାର୍ଯ୍ୟରତ ରାଷ୍ଟ୍ରଦୂତଙ୍କୁ ବହିଷ୍କାର ସହିତ ସିଟେଲସ୍ଥିତ ବାଣିଜ୍ୟିକ ଦୂତାବାସକୁ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ବହିଷ୍କାର କରାଯାଇଥିବା ରାଷ୍ଟ୍ରଦୂତଙ୍କୁ ୭ଦିନ ମଧ୍ୟରେ ଆମେରିକା ଛାଡିବାକୁ କୁହାଯାଇଛି। ବହିଷ୍କୃତ ରାଷ୍ଟ୍ରଦୂତଙ୍କ ନାମ ପ୍ରକାଶ କରାଯାଇ ନାହିଁ। ବ୍ରିଟେନର ପୂର୍ବତନ ଗୁପ୍ତଚର ସର୍ଗେଇ ସ୍କ୍ରିପାଲଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରିବାକୁ ନେଇ ଆମେରିକା ଏପରି ପଦକ୍ଷେପ ନେଇଛି। ସ୍କ୍ରିପାଲଙ୍କୁ ବିଷ ଦେବାକୁ ନେଇ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ମିଳିତ ଭାବେ ରୁଷକୁ ଦଣ୍ଡିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପଙ୍କ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଆମେରିକାରେ କାର୍ଯ୍ୟ କରୁଥିବା ରୁଷ ରାଷ୍ଟ୍ରଦୂତମାନେ ହେଉଛନ୍ତି ଗୁପ୍ତଚର। ରାଷ୍ଟ୍ରଦୂତର ସୁରକ୍ଷା ଆଢୁଆଳରେ ରହି ଏମାନେ ଆମେରିକାରେ ଗୁପ୍ତଚର କାର୍ଯ୍ୟ କରିଆସୁଛନ୍ତି। ଏପରିକି ଦୂତାବାସ ନାମରେ ଆମେରିକାରେ ଅନେକ କାର୍ଯ୍ୟାଳୟ ଖୋଲାଯାଇଛି। ଅଧିକାରୀ ଜଣଙ୍କ କହିଛନ୍ତି ଯେ ଆମେରିକାରେ ଅଧିକ ସଂଖ୍ୟକ ରୁଷ ଗୁଇନ୍ଦା ଅଧିକାରୀଙ୍କୁ କାର୍ଯ୍ୟ କରିବା ଲାଗି ଅନୁମତି ଦିଆଯାଇପାରିବ ନାହିଁ। ସିଟେଲସ୍ଥିତ ବାଣିଜ୍ୟିକ ଦୂତାବାସଟି ଆମେରିକା ନୌସେନା ଘାଟି ନିକଟରେ ଅବସ୍ଥିତ ଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ତେଣୁ ଏବେ ଏହାକୁ ବନ୍ଦ କରିବା ଲାଗି ନିର୍ଦେଶ ଦିଆଯାଇଛି।
ରାଷ୍ଟ୍ରଦୂତଙ୍କୁ ବହିଷ୍କାର ପୂର୍ବକ ଟ୍ରମ୍ପ ପ୍ରଶାସନ ରୁଷ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସପ୍ତାହେ ପୂର୍ବରୁ ଟ୍ରମ୍ପ ରୁଷର ରାଷ୍ଟ୍ରପତି ଭାବେ ପୁନର୍ବାର ନିର୍ବାଚିତ ହେବାକୁ ନେଇ ଭ୍ଲାଦିମିର ପୁତିନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆମେରିକା ପରେ ଅନ୍ୟ କେତେକ ରାଷ୍ଟ୍ର ରୁଷ ଉପରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ନେବାର ଆଶଙ୍କା ରହିଛି। ରୁଷ୍‌ର କୂଟନୈତିକ ଉପସ୍ଥିତିକୁ ହ୍ରାସ କରିବା ଲାଗି ପଡୋଶୀ ରାଷ୍ଟ୍ରଗୁଡିକ କାର୍ଯ୍ୟାନୁଷ୍ଠାନ ନେବାର ଆଶଙ୍କା ରହିଛି। ପୋଲାଣ୍ଡ ସରକାର ରୁଷ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଥିବା ଜଣାଯାଇଛି। ଗୁପ୍ତଚର ସ୍କ୍ରିପାଲଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ ଘଟଣାରେ ରୁଷ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ୟୁରୋପୀୟ ସଂଘ ମୁଖ୍ୟ ଡୋନାଲ୍ଟ ଟସ୍କ ସଦସ୍ୟ ରାଷ୍ଟ୍ରଗୁଡିକୁ ଆହ୍ୱାନ ଦେଇଥିଲେ। ସ୍କ୍ରିପାଲଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ୨୩ଜଣ ରୁଷ ରାଷ୍ଟ୍ରଦୂତଙ୍କୁ ବ୍ରିଟେନ ବହିଷ୍କାର କରିସାରିଛି। ସେହିପରି ୟୁରୋପୀୟ ୟୁନିୟନର ଅନେକ ରାଷ୍ଟ୍ର ରୁଷରୁ ଏହାର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିଆଣିଛନ୍ତି । ଏହି ଘଟଣାକୁ ନେଇ ବ୍ରିଟେନ ଅଭିଯୋଗ କରିଛି ଯେ ଆମେରିକା, ଫ୍ରାନ୍ସ ଓ ଜର୍ମାନୀ ଉପରେ ଆକ୍ରମଣ ପାଇଁ ରୁଷ ଯୋଜନା କରୁଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories