ଭୁବନେଶ୍ବର : ଭକ୍ତ ଶିରୋମଣି ଦାସିଆଙ୍କ ପବିତ୍ର ଜୟନ୍ତୀ ଉତ୍ସବ ଚଳିତ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଭକ୍ତଙ୍କ ଜନ୍ମ ଓ ସାଧନା ପୀଠ ପୁରୀ ଜିଲ୍ଲାର ପିପିଲି ନିକଟସ୍ଥ ବାଲିଗାଁ ଠାରେ ପାଳିତ ହେବା ନିମନ୍ତେ ଉକ୍ତ ଦାସିଆ ସ୍ମୃତି କମିଟିର ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଅଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ସୋୟା ବିଶ୍ୱବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପୀଠର ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇ ଥିଲା। ଅନୁଷ୍ଠାନର ସାଧାରଣ ସଂପାଦକ ଡଃ ଘନଶ୍ୟାମ ସ୍ୱାଇଁ ଗତ ଆର୍ଥିକ ବର୍ଷର ଆୟବ୍ୟୟ ଅନୁଷ୍ଠାନର ସମୀକ୍ଷକ ଚାଟାର୍ଡ ଆକାଉଣ୍ଟାଣ୍ଟ ସତ୍ୟରଞ୍ଜନ ମିଶ୍ରଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା। ଅଧ୍ୟାବଧି ଆୟ ଓ ବ୍ୟୟର ପରିମାଣରେ ସେପରି ଆର୍ଥିକ ସ୍ୱଚ୍ଛଳତାର ଉନ୍ନତି ଘଟୁ ନଥିବାରୁ ବର୍ତ୍ତମାନର ଆର୍ଥିକ ଆବଶ୍ୟକତାକୁ ପୂରଣ ନିମନ୍ତେ ପ୍ରତ୍ୟେକ ସଦସ୍ୟ ବାର୍ଷିକ ଅନ୍ୟୁନ ୧୦୦୦/- ଅନୁଦାନ ଦେବାକୁ ଉପସ୍ଥିତ ସଦସ୍ୟ ସହମତି ପ୍ରକାଶ କରିଥିଲେ । ଆଗାମୀ ଜୟନ୍ତୀ ଉତ୍ସବରେ ନବନିର୍ମିତ ଭକ୍ତ ନିବାସ ଗୃହର ଉନ୍ମୋଚନ ନିମନ୍ତେ ଆବଶ୍ୟକୀୟ ବାକି କାର୍ଯ୍ୟକୁ ଯଥାଶିଘ୍ର ଶେଷ କରିବା ନିମନ୍ତେ ଧାର୍ମିକ ବ୍ୟକ୍ତି ବିଶେଷଙ୍କ ସହଯୋଗରେ ପୂର୍ଣ୍ଣାଙ୍ଗ କରାଯିବାକୁ ସ୍ଥିର କରାଯାଇଥିଲା । ଅନୁଷ୍ଠାନକୁ ଇତି ଅବସରରେ ୮୦-ଏ ମଞ୍ଜୁର ହୋଇଥିବାରୁ ଆୟକର ବିଭାଗର କର୍ତ୍ତୃପକ୍ଷକୁ ଧନ୍ୟବାଦ ଦିଆଯିବା ସହ ଉତ୍ସାହୀ ଦାତାମାନେ ଏହାର ସୁଯୋଗ ନେବାକୁ ଅନୁରୋଧ କରାଯାଇଥିଲା। ଦୈନନ୍ଦିନ ନିତି ନିମନ୍ତେ ଆବଶ୍ୟକୀୟ ଆର୍ଥିକ ଆବଶ୍ୟକତା ସଦସ୍ୟମାନେ ଯୋଗାଇ ଦେବାକୁ ସଚେତନ ହେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଭକ୍ତଙ୍କ ଜୟନ୍ତୀ ଉତ୍ସବ ନିମନ୍ତେ ବିଭିନ୍ନ କାର୍ଯ୍ୟଧାରା ସ୍ଥିର କରାଯାଇ ପ୍ରତ୍ୟେକ ସଦସ୍ୟ ଏଥି ନିମନ୍ତେ ନିଜ ନିଜର ସ୍ୱଚ୍ଛଳତା ଅନୁଯାୟୀ ସହଯୋଗ କରିବାକୁ ସଭାପତି ଅନୁରୋଧ କରିଥିଲେ।
ଏହି ଆଲୋଚନାରେ ସୋୟା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୂଳପତି ଡଃ ରାଜେନ୍ଦ୍ର ପ୍ରସାଦ ମହାନ୍ତି, ପାରାଦ୍ୱୀପ ବନ୍ଦରର ପ୍ରାକ୍ତନ ସଚୀବ ପ୍ରଭାତ କୁମାର ନନ୍ଦ, ଷ୍ଟେଟବ୍ୟାଙ୍କ-ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ପ୍ରାକ୍ତନ ଏଜିଏମ୍ ଲକ୍ଷ୍ମୀନାରାୟଣ ଦାଶ, ବିଶିଷ୍ଟ ସମାଜସେବୀ ଜୟ ପ୍ରକାଶ ମିଶ୍ର, ରୋଟାରୀୟାନ୍ ରୋହିତ କକର, ବରିଷ୍ଠ ସଦସ୍ୟ ସତ୍ୟବାଦୀ ଦାଶ, ଡଃ ପ୍ରେମଲତା ଦେବୀ, ଇଂ ଦିପ୍ତି ରଞ୍ଜନ ମହାନ୍ତି, ଶ୍ରଦ୍ଧାଞ୍ଜଳି ଦାସ, ମନୋରଞ୍ଜନ ମହାନ୍ତି, ଓୟୁଏଟିର ପ୍ରାକ୍ତନ ପ୍ରଫେସର ଡଃ ବିଷ୍ଣୁ ଚରଣ ଜେନା, ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, ଅବନୀକାନ୍ତ ପାଟ୍ଟଯୋଶୀ, ରବିନାରାୟଣ ମହାପାତ୍ର, ପଞ୍ଚାନନ ନାୟକ, ମାନସ ରଞ୍ଜନ ପୃଷ୍ଟି, ଚିତ୍ତରଞ୍ଜନ ମଲ୍ଲିକ, ଆଇନୀଜୀବି ସରୋଜ କୁମାର ପରିଡ଼ା, କାମେଶ୍ୱର ରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପି ହୃଦାନନ୍ଦ ନନ୍ଦ ଜଗନ୍ନାଥଙ୍କ ଜଣାଣ ଗାନ କରିଥିଲେ। ପରିଶେଷରେ ବରିଷ୍ଠ ଟ୍ରଷ୍ଟି ଅର୍ଜ୍ଜୁନ ଚରଣ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।



