୧୮ରେ ଘୂର୍ଣ୍ଣିବଳୟ ସମ୍ଭାବନା, ୨୦ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ଏକ ଘୂର୍ଣ୍ଣିବଳୟ ଓ ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଏନେଇ ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ସୂଚନା ମୁତାବକ, ଆସନ୍ତା ୧୮ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଯାହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଥିବା ବଙ୍ଗୋପସାଗର ଆଡ଼କୁ ମୁହାଁଇବ ଓ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କିଭଳି ରହିବ ସେନେଇ ବିଭାଗ ପକ୍ଷରୁ ଏବେ ସ୍ପଷ୍ଟ କରାଯାଇନାହିଁ। ପରବର୍ତ୍ତୀ ସମୟରେ ଏହାର ଗତି ଓ ସ୍ଥିତିକୁ ଦେଖି ଆକଳନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ଆସନ୍ତାକାଲି ଦକ୍ଷିଣ ବଙ୍ଗୋପସାଗର ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାର କେତେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ପାଲଲହଡାରେ ସର୍ବାଧିକ ୪୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଆସନ୍ତା ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପୂର୍ବାନୁମାନ କରାଯାଇଥିବା ବେଳେ ଆସନ୍ତା ୪ ଦିନ ଭିତରେ ଓଡ଼ିଶାରୁ ମୌସୁମୀ ଚାଲିଯିବ। ଚଳିତ ମାସ ପହିଲାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୧୩.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ପରିମାଣ ୭୧.୩ ମିଲିମିଟର ଠାରୁ ପ୍ରାୟ ୬୦ ପ୍ରତିଶତ ଅଧିକ ବୋଲି ଭୁବନେଶ୍ୱର ଆଞ୍ଚଳକି ପାଣିପାଗ କେନ୍ଦ୍ର ପକ୍ଷରୁ ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

kalyan agarbati

Comments are closed.