ଲାଠିରେ ଝାଡ଼ାବାନ୍ତି, ସପ୍ତାହରେ ୪୦ ଆକ୍ରାନ୍ତ
ପାଇପ୍ ଲାଇନରେ ନର୍ଦମା ଜଳ ରୋଗର କାରଣ
ବ୍ରହ୍ମପୁର : ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଠି ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଗତ ସପ୍ତାହକ ମଧ୍ୟରେ ଏହି ଗ୍ରାମର ୪୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସାରିଛନ୍ତି। ସଂକ୍ରମଣ ରୋକିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି। ଦୂଷିତ ପାନୀୟ ଜଳ ପିଇବା ଯୋଗୁ ଗ୍ରାମବାସୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ପାଇପ୍ ଲାଇନରେ ଫାଟ ହେବା ଏବଂ ସେଥିରେ ନର୍ଦମା ଜଳ ମିଶିଯିବା ପରେ ସେହି ଜଳ ଘରକୁ ଘର ଯୋଗାଣ ହୋଇଥିଲା। ସେହି ଜଳ ପିଇ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ, ୭ ଦିନ ତଳେ ଲାଠି ଗ୍ରାମର ଏକାଧିକ ବ୍ୟକ୍ତିଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସେମାନେ ପ୍ରଥମେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ଯାଇ ଚିକିତ୍ସିତ ହୋଇଥିଲେ। ଏହା ପରଦିନ ଆଉ କେତେଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରେ କିଛି ଶିଶୁ ଓ ମହିଳା ରହିଥିଲେ। ଏହା ପରେ ପରେ ଗ୍ରାମର ପାଖାପାଖି ୪୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଗ୍ରାମରେ ଏଭଳି ସ୍ଥିତି ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଥିଲା। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। କେତେକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଏମ୍କେସିଜିର ଝାଡାବାନ୍ତି ଓ ସଂକ୍ରାମକ ରୋଗ ବିଭାଗକୁ ପଠାଯାଇଥିଲା। ଚିକିତ୍ସା ପରେ ଅଧିକାଂଶ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ। କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ସ୍ବାସ୍ଥ୍ୟ ରାପିଡ ଆକ୍ସନ ଦଳ ଲାଠି ଗ୍ରାମରେ ପହଞ୍ଚି ଝାଡାବାନ୍ତିର କାରଣ ଖୋଜିଥିଲେ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଯୋଗାଣ ହେଉଥିବା ପାଣି ପିଇ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପାନୀୟ ଜଳ ଯୋଗାଣ ହେଉଥିବା ପାଇପ୍ ଲାଇନରେ ଫାଟ ଯୋଗୁ ସେଥିରେ ମଇଳା ପାଣି ମିଶି ଲୋକଙ୍କ ଘରକୁ ଯାଇଥିଲା। ସେହି ଦୂଷିତ ପାଣି ପିଇ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ତେଣୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ସହ ପାଇପ ଲାଇନ ଯାଞ୍ଚ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ ବିଭାଗକୁ ଚିଠି ଲେଖା ଯାଇଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଭାଗ ଦଳ ସହ କୁକୁଡାଖଣ୍ଡି ବ୍ଲକର ଆଶା ଓ ଅଙ୍ଗନବାଡି କର୍ମୀମାନେ ଲୋକଙ୍କ ଘରକୁ ଘର ବୁଲି ସଚେତନ କରୁଛନ୍ତି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର କହିଛନ୍ତି।
Comments are closed.