ଶକ୍ତି ଉପାସନା ଏବଂ ଐଶ୍ୱରୀୟ ଆଶୀର୍ବାଦର ଖୋଲାମଞ୍ଚ ଲଇଡାର ବଏଲ୍ ଯାତ୍ରା
୨୫୨ବର୍ଷର ପରମ୍ପରା
ରେଙ୍ଗାଲି : ପଶ୍ଚିମ ଓଡିଶାର ବିଭିନ୍ନ ଯାନିଯାତ୍ରା ମାନଙ୍କ ମଧ୍ୟରେ ପାର୍ବଣ ଋତୁରେ ସମ୍ବଲପୁର ଜିଲ୍ଲା ଲଇଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ପୀଠରେ ଆୟୋଜିତ ହେଉଥିବା ବଏଲ୍ ଯାତ୍ରାର ଏକ ସ୍ୱତନ୍ତ୍ର ପରିଚୟ ଏବଂ ପ୍ରସିଦ୍ଧି ରହିଛି । ୧୭୭୦ ମସିହାରୁ ତତ୍କାଳୀନ ଜମିଦାର ସମର ସିଂହଙ୍କ ପୃଷ୍ଠପୋଷକତାରେ ଆରମ୍ଭ ହୋଇଥିବା ବଏଲ୍ ଯାତ୍ରା ଅଞ୍ଚଳର ଇତିହାସ, ସାଂସ୍କୃତିକ ଚେତନା, ସାମାଜିକ ଏକତା, ଧାର୍ମିକ ମୂଲ୍ୟବୋଧ ଏବଂ ଧର୍ମନିରପେକ୍ଷତାର ବାର୍ତ୍ତା ବହନ କରୁଛି । ଆଶ୍ୱିନ ମାସର ମହାଳୟା ଅମବାସ୍ୟାଠାରୁ ପୂର୍ଣିମା ପର୍ଯ୍ୟନ୍ତ ପ୍ରତିବର୍ଷ ଆୟୋଜିତ ହୋଇଆସୁଥିବା ଏହି ଧାର୍ମିକ ମହୋତ୍ସବ ଦୁଃଖି, ରୋଗୀ ନିଃସନ୍ତାନ ଦମ୍ପତି ଆଦି ବହୁ ଲୋକଙ୍କ ପାଇଁ ପାଲଟିଯାଏ ଐଶ୍ୱରୀୟ ଆଶୀର୍ବାଦର ଖୋଲାମଞ୍ଚ । ଆମ ଦେଶରେ ବଳି କହିଲେ ପଶୁବଳିକୁ ବୁଝାଏ କିନ୍ତୁ ଲଇଡାର ବଏଲ ଯାତ୍ରା ପଶୁବଳି ସହିତ ତନ୍ତ୍ର ମନ୍ତ୍ର, ଯୋଗ ତତ୍ତ୍ୱ ଓ ସମର୍ପଣ ଭାବକୁ ବୁଝାଏ । ଏହି ଯାତ୍ରା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାଜିକ ଓ ଆଧ୍ୟାତ୍ମିକ ଐକ୍ୟ ବନ୍ଧନରେ ବାନ୍ଧି ପାରିଛି। ରାଜା ଜମିଦାର ଅମଳରୁ ଆରମ୍ଭ ହୋଇଥିବା ଏହି ନିଆରା ପରମ୍ପରା ଏବେ ଅଞ୍ଚଳବାସୀଙ୍କ ଶ୍ରଦ୍ଧା, ଭକ୍ତି, ଆସ୍ଥା ଏବଂ ଧର୍ମୀୟ ଭାବନାରେ ରୁଦ୍ଧିମନ୍ତ ହୋଇ ସାମାଜିକ ଏକତାର ମହାମିଳନ ତଥା ଖୋଲା ମଞ୍ଚ ପାଲଟି ଯାଇଛି । ଆସନ୍ତା ୯ତାରିଖ ରବିବାର ଦିନ ଲଇଡାରେ ବଏଲ୍ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।
ଜନଶ୍ରୁତି ଏବଂ କିମ୍ବଦନ୍ତି କହେ, ୧୭୭୦ ମସିହା ଆଶ୍ୱିନ କୃଷ୍ଣ ପକ୍ଷ ମହାଳୟା ଅମାବାସ୍ୟା ରାତିରେ ଲଇଡା ଜମିଦାର ସମର ସିଂହ ଦେବୀଙ୍କ ସ୍ୱପ୍ନାଦେଶ ପାଇ ଦେବୀଙ୍କ ଆଦେଶ ମୁତାବକ ଗୁଚ୍ଛାପାଲି ଗ୍ରାମ ପାଖ ଦେଇ ପ୍ରବାହିତ ଭେଡେନ ନଦୀର ଶିମୁଳି ମୁହାଣର ସମଲେଇ ଦରହକୁ ତାଙ୍କର କୂଳ ପୁରୋହିତ ଶ୍ରୀଧର ପାଟ୍ଟଯୋଶୀ, ନାବିକ କାଳିଆ ଡନସନାଏବଂ ପ୍ରଜାପଟକଙ୍କ ସହିତ ପହଞ୍ଚି ସେଠାରେ ପୂଜା ହୋମ ଆଦି ବିଧି ସଂପନ୍ନ କରି ବ୍ୟାପକ ଆଟୋପ ଆଡମ୍ବର ସହକାରେ ଦେବୀ ସମଲେଶ୍ୱରୀଙ୍କୁ ଲଇଡାକୁ ସ୍ୱାଗତ କରି ଆଣିଥିଲେ । ଦେବୀଙ୍କ ଏହି ସ୍ୱାଗତ ପର୍ବରେ ଦୁଇଶହରୁ ଅଧିକ ଛାଗବଳି ଦିଆ ଯାଇଥିଲା ବୋଲି କୁହାଯାଏ । ଦେବୀଙ୍କ ଏହି ସ୍ୱାଗତ ପର୍ବର ସ୍ମାରକୀ ସ୍ୱରୂପ ସେହି ଦିନ ଠାରୁ ହିଁ ବଏଲ ଯାତ୍ରାର ଆଦ୍ୟ ପର୍ବର ଅୟମାରମ୍ଭ । ଜମିଦାର ସମର ସିଂହଙ୍କ ଅମଳରୁ ଲଇଡାରେ ପ୍ରତିବର୍ଷ ଧାର୍ମିକ ନିଷ୍ଠା ତଥା ପାରମ୍ପାରିକ ବିଧିରେ ଆୟୋଜିତ ବଳି ଯାତ୍ରାରେ ଦେବୀଙ୍କୁ ଛେଳି, କୁକୁଡା ବଳି ମଧ୍ୟ ଦିଆଯାଇଥାଏ । ସମଲେଇ ଦରହରୁ ଦେବୀଙ୍କୁ ସ୍ୱାଗତ କରି ଅଣାଯିବା ପରେ ଜମିଦାର ଉଆସର ପୂର୍ବଦିଗରେ ବର୍ତ୍ତମାନ ରହିଥିବା ମନ୍ଦିରର ସମ୍ମୁଖରେ ଥିବା ଏକ ଖଜୁରି ଗଛ ମୂଳରେ ସ୍ଥାପନ କରାଯାଇଥିଲା ଏବଂ ଦେବୀଙ୍କ ପୂର୍ବଦିଗରେ ବୁଢାରଜା, ପଶ୍ଚିମରେ ଉଗ୍ରତାରା, ଉତ୍ତରରେ ବାଉଲି-ବଗଲାମୁଖୀ, ଦକ୍ଷିଣ-ପୂର୍ବରେ ଘଣ୍ଟେଶ୍ୱରୀ, ପ୍ରାଙ୍ଗଣରେ ଲଣ୍ଡାବୀର ଏବଂ ବଉଳ ଗଛମୂଳରେ କାନ୍ଦୁରୀଦେବୀଙ୍କୁ ପାର୍ଶ୍ବ ଦେବୀ ଦେବତା ଭାବରେ ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରାଗଲା । ଖଜୁରିଗଛ ମୂଳରେ ସ୍ଥାପିତ ଦେବୀଙ୍କ ପାଇଁ ପରବର୍ତ୍ତି ସମୟରେ ଏକ କୁଡିଆ (ଗୁଡିଘର) ନର୍ମାଣ କରାଗଲା। ବହୁ ବର୍ଷ ଦେବୀ ଗୁଡିଘରେ ପୂଜା ପାଇବା ପରେ ୧୯୨୩ ମସିହାରେ ସମ୍ବଲପୁର ବଡବଜାର ନିବାସୀ ସ୍ୱର୍ଗତ ମୁନୁ ପୃଷେଠଙ୍କ ସ୍ମୃତିରେ ତାଙ୍କ ପୁତ୍ର ଗୌନ୍ତିଆ ମୁନୁ ପୃଷେଠ ନୂତନ ମନ୍ଦିର ନିର୍ମାଣ କରାଇଥିଲେ। ଜମିଦାର ବୃନ୍ଦାବନ ସିଂହଙ୍କ ତତ୍ତ୍ୱାବଧାନରେ ମନ୍ଦିର ନିର୍ମାଣ କାମ ସରିବା ପରେ ଦେବୀଙ୍କ ଦ୍ୱିତୀୟ ପ୍ରତିମା ସ୍ଥାପନ କରାଯାଇ ମୂଳ ପ୍ରତିମା ପାଖରେ ରଖାଯାଇ ପୂଜା ଅର୍ଚ୍ଚନା ଏବେ ପର୍ଯ୍ୟନ୍ତ ଚାଲିଛି। ୧୯୬୦ମସିହାରେ ମୁନୁ ପୃଷେଠଙ୍କ ପୁତ୍ର କଙ୍ଗାଲୁ ପୃଷେଠ ମନ୍ଦିରବେଢା ଓ ମୂଖ୍ୟ ଦ୍ୱାର ନିର୍ମାଣ କରାଇଥିଲେ । ପରବର୍ତ୍ତିକାଳରେ ମନ୍ଦିରରେ ବଟଗଣେଶ, ଜ୍ୱାଳାମୁଖୀ, ବାରାହୀ, ଧୂମାବତୀ, ମାତଙ୍ଗୀ, ଜ୍ୱାଳାବଳୀ, ଭୂବନେଶ୍ୱରୀ, ବଞ୍ଜାରି(ଶୀତଲା) ଆଦି ପାର୍ଶ୍ବଦେବୀଙ୍କୁ ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରାଗଲା।
ମା ସମଲେଶ୍ୱରୀଙ୍କ ସ୍ୱପ୍ନାଦେଶ ଅନୁ୍ାଯାୟୀ ମହାଳୟା ତିଥିରେ ଦେବୀଙ୍କ ଆଦ୍ୟ ଆବିର୍ଭାବ ସ୍ଥଳି ଗୁଚ୍ଛାପାଲି ଗ୍ରାମରେ ବଏଲ୍ ଯାତ୍ରା ହେବା ସହିତ ପ୍ରତିବର୍ଷ ଆଶ୍ୱିନ ପୂର୍ଣିମାଦିନ ଦେବୀ କାଳିସୀ ଅର୍ଥାତ୍ ବରୁଆ ଦେହରେ ବିଜେ କରି ଘରଘର ବୁଲି ପ୍ରଜାପାଟକ ଦୁଃଖୀ ରଙ୍କି ତଥା ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେଇ ସେମାନଙ୍କର ଦୁଃଖସୁଖ ବୁଝି ସଙ୍କଟରୁ ଉଦ୍ଧାର ପାଇବାର ବାଟ ଦେଖାଇଥାନ୍ତି ବୋଲି ଲୋକମାନଙ୍କର ଅତୁଟ ବିଶ୍ୱାସ ରହିଛି। ପ୍ରାରମ୍ଭିକ କାଳରେ ଏହି ଯାତ୍ରା ରେ କେତେକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକ ଙ୍କ ସମ୍ପୃକ୍ତି ରହୁଥିଲା। ତେବେ କାଳକ୍ରମେ ଏହି ଯାତ୍ରାରେ ଜାତି ଧର୍ମ ନିର୍ବିଶେଷରେ ହିନ୍ଦୁ ମୁସଲମାନ ଆଦି ସବୁ ଧର୍ମ ସମ୍ପ୍ରଦାୟର ଲୋକେ ଏଥିରେ ସାମିଲ ହେଉଥିବାରୁ ସଂପ୍ରତି ଲଇଡାର ବଏଲ୍ ଯାତ୍ରା ସର୍ବଧର୍ମ ସମନ୍ୱୟର ପୀଠ ସ୍ଥଳି ପାଳଟି ଯାଇଛି। ପୂଜା କମିଟିରେ ଗ୍ରାମର ମୁସଲମାନ ସଂପ୍ରଦାୟର ଲୋକେ କର୍ମକର୍ତ୍ତା ହୋଇ ବଳିଯାତ୍ରା ଆୟୋଜନ ଏବଂ ପରିଚାଳନାରେ ସକ୍ରିୟ ସହଯୋଗ କରୁଥିବାର ନଜିର ରହିଛି।
Comments are closed.